LIVE TV

କର୍ଣ୍ଣାଟକ ଗୁମ୍ଫାରୁ ଋଷୀୟ ମହିଳା ଓ ଶିଶୁ ମିଳିବା ମାମଲା, ଇସ୍ରାଏଲ ନାଗରିକଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

NEWS7
gfx

ନୂଆଦିଲ୍ଲୀ ୬।୧୦: କର୍ଣ୍ଣାଟକ ଗୋକର୍ଣ୍ଣ ପାହାଡ ଗୁମ୍ଫାରେ ୨ ମାସ ଧରି ରହୁଥିବା ଋଷୀୟ ମହିଳା ଓ ତାଙ୍କ ଦୁଇ ପିଲାଙ୍କ ମାମଲାରେ ସୁପ୍ରିମକୋର୍ଟ କଥିତ ପିତାଙ୍କୁ ସୋମବାର କଠୋର ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚନ୍ୟାୟାଳୟ କହିଛନ୍ତି ଯେବେ ତୁମ ପିଲାମାନେ ପାହାଡ଼ ଗୁମ୍ଫାରେ ରହୁଥିଲେ ତୁମେ କଣ କରୁଥିଲ? ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ପୀଠ ଶୁଣାଣି କାଳରେ ଏହି ଟିପ୍ପଣୀ କରିଛନ୍ତି।

ଏହା ସହିତ କୋର୍ଟ କହିଛନ୍ତି ‘ଭାରତ ଏବେ କେହି ଆସିବା ଓ ଏଠାରେ ରହିଯିବାର ସ୍ଥାନରେ  ପରିଣତ ହେଲାଣି’। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୧ ତାରିଖ ଦିନ ନିନା କୁଟିନା ଯିଏ ଜଣେ ଋଷୀୟ ନାଗରିକ ସେ ତାଙ୍କ ଦୁଇ ଝିଅଙ୍କ ସହ କର୍ଣ୍ଣାଟକର ରାମତୀର୍ଥ ପର୍ବତମାଳାର ଗୁମ୍ଫାରେ ରହୁଥିବା ବେଳେ ଉଦ୍ଧାର ହୋଇଥିଲେ। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଏହି ପରିବାର ପାଖାପାଖି ୨ ମାସ ଧରି ଏଠାରେ ଗୁମ୍ଫାରେ ରହୁଥିଲେ ଓ ସେମାନଙ୍କ ପାଖରେ ବୈଦ୍ଧ ଡକ୍ୟୁମେଣ୍ଟ ମଧ୍ୟ ନଥିଲା। ପରେ ଋଷୀୟ ଦୂତାବାସ ନିନା କୁଟିନା ଓ ତାଙ୍କ ଦୁଇ ଝିଅଙ୍କ ପାଇଁ ଜରୁରିକାଳୀନ ଯାତ୍ରା ଡକ୍ୟୁମେଣ୍ଟ ଜାରି କରିଥିଲେ ଯାହା ଦ୍ୱାରା ସେମାନେ ସ୍ୱଦେଶ ଫେରିଯାଇ ପାରିବେ।

ଏଥି ମଧ୍ୟରେ ଇସ୍ରାଏଲୀ ନାଗରିକ ଡର ସ୍ଲୋମୋ ଗୋଲ୍ଡଷ୍ଟିନ୍ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ରୁଜୁ କରି ନିଜକୁ ଦୁଇ ପିଲାଙ୍କ ପିତା ବୋଲି ଦାବି କରିଥିଲେ। ଏଥିରେ ସେ ଦୁଇ ପିଲାଙ୍କୁ ଏବେ ଋଷିଆ ନ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏଥିରେ ଗୋଲ୍ଡଷ୍ଟିନ ଉଲ୍ଲେଖ କରିଥିଲେ ଯେ ସେ ଗତ ବର୍ଷ ଗୋଆର ପାଣାଜୀ ପୋଲିସ ଷ୍ଟେସନରେ ତାଙ୍କ ପିଲା ନିଖୋଜ ହେବାର ଅଭିଯୋଗ ରୁଜୁ କରିଥିଲେ। ତେବେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଗୋଲ୍ଡଷ୍ଟିନଙ୍କ ଆବେଦନ ଖାରଜ କରିଦେଇଥିଲେ ଓ କେନ୍ଦ୍ର ସରକାରଙ୍କୁ ମା ଓ ତାଙ୍କ ଦୁଇ ଝିଅଙ୍କ ଫେରିଯିବାର ବ୍ୟବସ୍ଥା କରିବାକୁ କହିଥିଲେ।

କୋର୍ଟ କହିଥିଲେ ଯେ ନିଜେ ନିନା କୁଟିନ ଋଷିଆ ଫେରିଯିବାକୁ ଚାହୁଁଛନ୍ତି ଓ ଗୋଲ୍ଡଷ୍ଟିନ ଏହା ସ୍ପଷ୍ଟ କରିପାରୁ ନାହାନ୍ତି ପିଲା ଗୁମ୍ଫାରେ କଣ କରୁଥିଲେ। ଏଥିରେ ମାମଲା ଯେବେ ସୁପ୍ରିମକୋର୍ଟକୁ ପହଞ୍ଚିଲା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କୁ ଆପଣ କିଏ? ଆପଣଙ୍କ ଅଧିକାର କ’ଣ? ଆପଣ ପିତା ବୋଲି କୌଣସି ଅଧିକାରୀକ ଡକ୍ୟୁମେଣ୍ଟ ଉପସ୍ଥାପନ କରନ୍ତୁ। ଏଥିରେ ଜଷ୍ଟିସ୍ ବାଗଚୀ ଏହା କେବଳ ପବ୍ଲିସିଟି ଲାଗି ରୁଜୁ ପିଟିସନ ବୋଲି କହିବା ସହିତ ଗୋଲ୍ଟଷ୍ଟିନଙ୍କୁ ତାଙ୍କ ପିଟିସନ ଫେରାଇ ନେବାକୁ ଅନୁମତି ଦେଇଛନ୍ତି ଓ କହିଛନ୍ତି ଭାରତ ଏବେ କେହି ଆସି ରହିଯିବାର ଦେଶ ପାଲଟିଛି।