କଂଗ୍ରେସ ଛାଡ଼ିଲେ ଦେଶର ସବୁଠୁ ଧନୀ ମହିଳା, ବିଜେପିରେ ହେବେ ସାମିଲ

Published By : Prameya-News7 Bureau | March 28, 2024 IST

Aaj Tak

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିଲେ ଦେଶର ସବୁଠୁ ଧନୀ ମହିଳା ଏବଂ ହରିୟାଣାର ପୂର୍ବତନ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ । ୮୪ ବର୍ଷୀୟ ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପୋଷ୍ଟରେ କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି। କିଛି ଦିନ ତଳେ ହିଁ ତାଙ୍କ ପୁଅ ଏବଂ ଶିଳ୍ପପତି ନବୀନ ଜିନ୍ଦଲ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ତେବେ ସେ କହିଛନ୍ତି, ‘‘ଜଣେ ବିଧାୟକ ଭାବରେ ୧୦ ବର୍ଷ ପର୍ଯ୍ୟନ୍ତ ହିସାରବାସୀଙ୍କ ପ୍ରତିନିଧିତ୍ବ କରିବା ସହ ଜଣେ ମନ୍ତ୍ରୀ ଭାବରେ ନିଃସ୍ବାର୍ଥ ଭାବରେ ହରିୟାଣା ରାଜ୍ୟର ସେବା କରିଛି। ହିସାରବାସୀ ହେଉଛନ୍ତି ମୋର ପରିବାର, ଆଉ ନିଜ ପରିବାରର ପରାମର୍ଶରେ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।’’ ଏହା ସହ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ମଧ୍ୟ ଦେଇଛନ୍ତି।

ଫୋର୍ବ୍ସ ଇଣ୍ଡିଆ ଅନୁଯାୟୀ, ଭାରତର ୧୦ ସବୁଠୁ ଧନୀ ମହିଳାଙ୍କ ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କ ସମୁଦାୟ ସମ୍ପତ୍ତି ୨୯.୧ ବିଲିୟନ ଡଲାର ଅର୍ଥାତ୍ ୨୪.୨୭ ହଜାର କୋଟି ରହିଛି। ସାବିତ୍ରୀ ଜିନ୍ଦଲ ହରିୟାଣାରେ ପୂର୍ବ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସମୟରେ କଂଗ୍ରେସ ସରକାରରେ ମନ୍ତ୍ରୀ ରହିଥିଲେ। ତେବେ ୨୦୧୪ର ଲୋକସଭା ନିର୍ବାଚନରେ ସେ ହିସାରରୁ ବିଜେପିର ଡା. କମଲ ଗୁପ୍ତାଙ୍କ ଠାରୁ ପରାଜିତ ହୋଇଥିଲେ। ଗୁପ୍ତା ବର୍ତ୍ତମାନ ନାଏବ ସିଂହ ସୈନୀ ସରକାରରେ ମନ୍ତ୍ରୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରସିଦ୍ଧ ଉଦ୍ୟୋଗପତି ଏବଂ ହରିୟାଣାର ପୂର୍ବତନ ମନ୍ତ୍ରୀ ଓ ପି ଜିନ୍ଦଲ ଏବଂ ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନଙ୍କୁ ଆଗାମୀ ଲୋକସଭା ନିର୍ବାଚନ‌ରେ କୁରୁକ୍ଷେତ୍ରରୁ ବିଜେପି ପ୍ରାର୍ଥୀ କରିଛି। କଂଗ୍ରେସ ସାଂସଦ ଭାବରେ ୨୦୦୪-୧୪ ପର୍ଯ୍ୟନ୍ତ ଲୋକସଭାରେ କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ନବୀନ ଜିନ୍ଦଲ ରବିବାର ପାର୍ଟୀ ଛାଡ଼ିଥିଲେ। ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଏଜେଣ୍ଡାରେ ଯୋଗଦେବାକୁ ଚାହୁଥିବା ଇଚ୍ଛା ପ୍ରକାଶ କରି ବିଜେପିରେ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.