ସୁପର ସନ୍‌ଡେରେ ଜମିବ ହାଇଭୋଲଟେଜ୍ ପ୍ରଚାର : ବ୍ରହ୍ମପୁରରେ ନଡ୍ଡା-କଟକରେ ରାହୁଲଙ୍କ କ୍ୟାମ୍ପେନିଂ

Published By : Prameya-News7 Bureau | April 28, 2024 IST

ଭୁବନେଶ୍ୱର ୨୮।୦୪ :  ଜମୁଛି ନିର୍ବାଚନ ୨୦୨୪ । ରବିବାର ଦିନ ଓଡିଶା ଆସିବେ ଦୁଇ ହେଭିଓ୍ୱେଟ୍‌ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ ଦୁଇ ଦଳର ଦୁଇ ହେଭିଓ୍ବେଟ୍‌ । ଦକ୍ଷିଣ ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ସେହିଭଳି ଉପକୂଳ ଓଡ଼ିଶାର କଂଗ୍ରେସ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ । ଦୁଇ ହେଭିଓ୍ବେଟ୍‌ଙ୍କ ଆଗମନକୁ ନେଇ ଉତ୍ସାହିତ ଅଛନ୍ତି ଉଭୟ ଦଳର ନେତା ଓ କର୍ମୀ ।

ରବିବାର ଅପରାହ୍ଣ ୪ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା । ସେଠାରୁ ସ୍ବତନ୍ତ୍ର ବିମାନରେ ସିଧା ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ ଯିବେ । ସାଢ଼େ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବେ ନଡ୍ଡା । ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ବ୍ରହ୍ମପୁରରେ ରାତ୍ରି ରହଣୀ କରି ପରଦିନ ସକାଳେ ଦିଲ୍ଲୀ ଫେରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିକଟରେ ସୋନପୁର ଆସି ବିଜେପି ନେତାଙ୍କ କର୍ମୀଙ୍କ ମନରେ ଜୋସ୍‌ ଭରିଥିଲେ ବିଜେପି ଚାଣକ୍ୟ ଅମିତ୍‌ ଶାହା । ଆଉ ଏବେ ଦକ୍ଷିଣ ଓଡ଼ିଶାରେ ଦଳୀୟ ନେତାକର୍ମୀ ଲାଗି ବୁଷ୍ଟର ଡୋଜ୍‌ ହେବ ନଡ୍ଡାଙ୍କ ମନ୍ତ୍ର । ଯେହେତୁ ୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ  ଦକ୍ଷିଣ ଓଡ଼ିଶାରେ ଦଳର ସମୀକରଣ ବଦଳିଛି ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଦଳକୁ ବଳ ଦେବ ବୋଲି କୁହାଯାଉଛି । 

ସେହିଭଳି ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରବିବାର ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ଏହା ପରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକର ସତ୍ୟଭାମାପୁର ଯିବେ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସତ୍ୟଭାମାପୁରରୁ ହେଲିକପ୍ଟର ଯୋଗେ ସାଲେପୁର ଯିବେ । ଦିନ ୧୨ଟା ୨୫ରୁ ୧ଟା ୪୫ ଯାଏଁ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ ରାହୁଲ ଗାନ୍ଧୀ । ଉପକୂଳ ଓଡ଼ିଶାରେ କଂଗ୍ରେସର ସ୍ଥିତି ସେତେଟା ଭଲ ନଥିବାରୁ କର୍ମୀଙ୍କ ମନରେ ଜୋସ୍‌ ଭରିବାକୁ ଆଗୁଆ ପ୍ରଚାର କରିବେ ରାହୁଲ ଗାନ୍ଧୀ । ସାଲେପୁର ସଭାରେ ଉପକୂଳ ଜିଲ୍ଲାର ୫ଟି ଲୋକସଭା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଲକ୍ଷ୍ୟ କରି କଂଗ୍ରେସ ନ୍ୟାୟ ସମାବେଶର ଆୟୋଜନ କରିଛି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.