ସଂକଟ ଆଡକୁ ବଢୁଛି ଆମେରିକା, ବୁଡ଼ିଗଲା ଆଉ ଏକ ବ୍ୟାଙ୍କ, ରିପବ୍ଲିକ୍ ଫାଷ୍ଟବ୍ୟାଙ୍କ ବନ୍ଦ

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ ୨୭।୪: ବିଶ୍ୱରେ ସୁପରପାୱାର ବୋଲାଉଥିବା ଆମେରିକାର ଆର୍ଥିକ ପରିସ୍ଥିତି ଜଟିଳ ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଛନ୍ତି। ଗତବର୍ଷ ଆମେରିକାରେ ୫ଟି ବ୍ୟାଙ୍କ ବୁଡିଯାଇଥିଲେ। ଏଥିରେ ସିଲିକନ ଭେଲି, ସିଗ୍ନେଚର ବ୍ୟାଙ୍କ ଓ ଫାଷ୍ଟ ରିପବ୍ଲିକ ଭଳି ବ୍ୟାଙ୍କମାନଙ୍କୁ ବନ୍ଦ ହେବାକୁ ପଡିଥିଲା। ଏଥିରେ ୨୦୨୪ ଆରମ୍ଭ ହେଉ ହେଉ ଆମେରିକାର ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ବନ୍ଦ ହୋଇଯାଇଛି। ଆମେରିକୀୟ ରେଗ୍ୟୁଲେଟର ରିପବ୍ଲିକ ଫାଷ୍ଟ ବ୍ୟାଙ୍କକୁ ଫୁଲଟନ ବ୍ୟାଙ୍କକୁ ବିକ୍ରି କରିଦେଇଛନ୍ତି। 

ଏପ୍ରିଲ ଶେଷ ସପ୍ତାହରେ ଆମେରିକୀୟ ରିପବ୍ଲିକ ଫାଷ୍ଟ ବ୍ୟାଙ୍କ ବିକ୍ରି ହୋଇଯାଇଛି। ବ୍ୟାଙ୍କିଙ୍ଗ ନିୟାମକ ବ୍ୟାଙ୍କର ଦାୟିତ୍ୱ ନିଜ ହାତକୁ ନେଇ ବିକ୍ରି କରିଦେଇଛନ୍ତି। ଆମେରିକା ଫେଡେରାଲ ଡିପୋଜିଟ୍ ଇନସ୍ୟୁରାନ୍ସ କର୍ପୋରେସନ (ଏଫଡିଆଇସି) ବ୍ୟାଙ୍କକୁ ଫୁଲଟନ ଫାଇନାନସିଆଲ କର୍ପୋରେସନର ୟୁନିଟି ଫୁଲଟନ ବ୍ୟାଙ୍କକୁ ବିକ୍ରି କରିଦିଆଯାଇଥିବାର ସୂଚନା ଦେଇଛନ୍ତି। ଗତବର୍ଷ ଆମେରିକାରେ ରିଜନାଲ ବ୍ୟାଙ୍କିଙ୍ଗ ସଂକଟ କାରଣରୁ ୫ଟି ବ୍ୟାଙ୍କ ବୁଡି ଯାଇଥିଲେ। ଏହା ପରଠାରୁ ସେଠାରେ ରିଜନାଲ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ଯାହାର ପ୍ରଥମ ଶିକାର ଫିଲାଡେଲଫିଆର ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ହୋଇଛି। 

ଫୁଲଟନ ବ୍ୟାଙ୍କକୁ ଏହି ବ୍ୟାଙ୍କର ସବୁ ଆସେଟସ୍ ଓ ଆକାଉଣ୍ଟ ଟ୍ରାନ୍ସଫର କରିଦିଆଯିବ। ରିପବ୍ଲିକ ଫାଷ୍ଟ ବ୍ୟାଙ୍କର ମୋଟ ୬ ବିଲିୟନ ଡଲାରର ଆସଟେସ୍ ଓ ୪ ବିଲିୟନ ଡଲାରର ଡିପୋଜିଟ ରହିଛି। ବ୍ୟାଙ୍କର ୩୨ଟି ବ୍ରାଞ୍ଚ ଅଛି। ଏ ସବୁର ନିୟନ୍ତ୍ରଣ ଏବେ ଫୁଲଟନ ବ୍ୟାଙ୍କ ହାତକୁ ଚାଲିଯିବ। ବ୍ୟାଙ୍କର ଗ୍ରାହକ ଏବେ ଫୁଲଟନ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଯିବେ। ଗତବର୍ଷ ଆମେରିକାରେ ୫ଟି ବ୍ୟାଙ୍କ ବୁଡିଥିବା ବେଳେ ଚଳିତବର୍ଷ ରିପବ୍ଲିକ ଫାଷ୍ଟ ବ୍ୟାଙ୍କରୁ ଆରମ୍ଭ ହୋଇଛି। ଆମେରିକା ସେଣ୍ଟ୍ରାଲ ବ୍ୟାଙ୍କ ଲୋକଙ୍କୁ ଇଜି ମନି ଓ ଭାରି ଲିକ୍ୱିଡିଟିରେ ଅଭ୍ୟସ୍ତ କରିଦେଇଛନ୍ତି। ହେଲେ ଏବେ ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ଆମେରିକୀୟ ଫାଇନାନସିଆଲ ସିଷ୍ଟମରେ ସଂକଟ ଦେଖାଦେଇଛି। 

୨୦୨୨ ମସିହାରେ ଆମେରିକୀୟ ବ୍ୟାଙ୍କମାନଙ୍କୁ ୬୨୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଥିଲା। ଆମେରିକୀୟ ଫେଡ ରିଜର୍ଭ ଯେଉଁପରି ସୁଧହାର ବୃଦ୍ଧି କରୁଛନ୍ତି ସେଥିରେ ବ୍ୟାଙ୍କମାନଙ୍କର ଆର୍ଥିକ ଅବସ୍ଥା ଦୟନିୟ ହୋଇପଡୁଛି। ଫଳରେ ବ୍ୟାଙ୍କମାନଙ୍କ କ୍ଷତି ବଢିବଢି ଚାଲିଥିବା ବେଳେ ଲୋକେ ବ୍ୟାଙ୍କରୁ ସେମାନଙ୍କ ସଞ୍ଚୟ କାଢି ନେଉଛନ୍ତି। ଅନ୍ୟପଟେ ଉଚ୍ଚ ସୁଧହାର ଯୋଗୁ ବ୍ୟାଙ୍କମାନଙ୍କୁ ଋଣ ବିତରଣ କରିବାରେ ଅସୁବିଧା ହେଉଛି। ଯେଉଁଥି ପାଇଁ ଆମେରିକାର ବ୍ୟାଙ୍କିଙ୍ଗ ସିଷ୍ଟମ ଏବେ ଜଟିଳ ସମୟ ଦେଇ ଗତି କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.