ବେଙ୍ଗାଲୁରୁକର୍ଣ୍ଣାଟକ ସରକାରଙ୍କ ସୁଶାସନ ଓ ପୁନର୍ବାସ ନୀତି ଅଧୀନରେ ନିକଟରେ ୨୪ ଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ମୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭୨ ବର୍ଷୀୟ ସାଇବନ୍ନା ଲିଙ୍ଗପ୍ପା ନାଟିକର, ଯିଏ ଭାରତର ସବୁଠାରୁ ଦୀର୍ଘତମ ସମୟ ପ୍ରାୟ ୩୭ ବର୍ଷ ଜେଲ୍ରେ ରହିଥିବା କଏଦୀ ବୋଲି କୁହାଯାଏ। ତେବେ ତାଙ୍କ ମୁକ୍ତି ସମାଜରେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି, କାରଣ ଏତେ ବର୍ଷ ପରେ ବି ତାଙ୍କ ମନରେ ନିଜ ଦୁଷ୍କର୍ମ ପାଇଁ କୌଣସି ଅନୁଶୋଚନା ନାହିଁ।

କ୍ରମାଗତ ହତ୍ୟାର କାହାଣୀ

ସାଇବନ୍ନା କାଲାବୁରାଗି ଜିଲ୍ଲାର ଜେଭାର୍ଗି ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସମବାୟ ସମିତିରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ। ତେବେ ସନ୍ଦେହଜନକ ମନୋଭାବ ତାଙ୍କ ଜୀବନକୁ ନଷ୍ଟ କରିଦେଇଥିଲା । ନିଜ ପ୍ରଥମ ପତ୍ନୀ ମାଲକାଭାଙ୍କ ଚରିତ୍ରକୁ ନେଇ ସନ୍ଦେହ କରି ସେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏଥିପାଇଁ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା। ୧୯୯୪ରେ ପାରୋଲ୍ରେ ବାହାରକୁ ଆସି ସେ ଦ୍ୱିତୀୟ ବିବାହ କରିଥିଲେ। ପରେ ପୁଣି ସନ୍ଦେହ ବଶତଃ ସେ ନିଜ ଦ୍ୱିତୀୟ ପତ୍ନୀ ନାଗାମ୍ମା ଏବଂ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ନିଜର ଶିଶୁ କନ୍ୟା ବିଜୟଲକ୍ଷ୍ମୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ। ହତ୍ୟା ପରେ ସେ ନିଜକୁ ମଧ୍ୟ ଛୁରୀ ଭୁସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଞ୍ଚି ଯାଇଥିଲେ।

ମୁକ୍ତି ପରେ ଅପରାଧୀର ମନ୍ତବ୍ୟ

ଜେଲ୍ରୁ ବାହାରିବା ପରେ ସାଇବନ୍ନାଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି। ସେ କହିଛନ୍ତି, "ମୋ ପାଖରେ ପ୍ରମାଣ ଅଛି ଯେ ମୋର ଦୁଇ ପତ୍ନୀ ମୋ ସହ ପ୍ରତାରଣା କରୁଥିଲେ। ମୁଁ ସେମାନଙ୍କୁ କ୍ଷମା କରିପାରିଲି ନାହିଁ।" ଏତେ ବର୍ଷ ଜେଲ୍ରେ କାଟିବା ପରେ ମଧ୍ୟ ତାଙ୍କ ମନରେ ହତ୍ୟା ପାଇଁ କୌଣସି ପଶ୍ଚାତାପ ନାହିଁ।

ଆଇନଗତ ପ୍ରକ୍ରିୟା

୨୦୦୩ରେ ଏକ ଟ୍ରାଏଲ୍ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ, କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ପରେ ଏହାକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ। ହାଇକୋର୍ଟ ତାଙ୍କୁ ଦିଆଯାଇଥିବା ଦୀର୍ଘକାଳୀନ ଏକାନ୍ତବାସକୁ 'ଅମାନବୀୟ ଓ ବେଆଇନ' ବୋଲି ଦର୍ଶାଇଥିଲେ। ତାଙ୍କ ମର୍ସି ପିଟିସନ୍ ନିଷ୍ପତ୍ତିରେ ହୋଇଥିବା ବିଳମ୍ବ ମଧ୍ୟ ତାଙ୍କ ମୁକ୍ତିରେ ସହାୟକ ହୋଇଥିଲା।

ପୁନର୍ବାସ ନା ଦୋଷୀକୁ ମୁକ୍ତି?:

କର୍ଣ୍ଣାଟକ ସରକାର ସୁଶାସନ ପାଇଁ ତାଙ୍କୁ ମୁକ୍ତ କରିଛନ୍ତି। କିନ୍ତୁ ଜଣେ ତିନି ଜଣଙ୍କୁ ହତ୍ୟା କରିଥିବା ବ୍ୟକ୍ତି, ଯାହାର ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ, ତାଙ୍କ ମୁକ୍ତି ଏବେ ସମାଜରେ ନ୍ୟାୟ ବ୍ୟବସ୍ଥା ଏବଂ ଅପରାଧୀଙ୍କ ପୁନର୍ବାସକୁ ନେଇ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଏହି ଘଟଣା ଜେଲ୍ର ସଂସ୍କାର ମୂଳକ ଭୂମିକା ଏବଂ ଅପରାଧୀଙ୍କ ସମାଜକୁ ପ୍ରତ୍ୟାବର୍ତ୍ତନ ମଧ୍ୟରେ ଥିବା ସନ୍ତୁଳନ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି।