ନୂଆଦିଲ୍ଲୀ / ମୁମ୍ବାଇ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖରେ ଭାରତୀୟ ଟଙ୍କା ଇତିହାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ୯୩ ସ୍ତରକୁ ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରାରମ୍ଭିକ କାରବାରରେ ଟଙ୍କା ୩ ପଇସା ଖସି ୯୨.୯୨ ରେ ଖୋଲିଥିବା ବେଳେ ପରେ ଏହା ୯୩.୦୮ କୁ ଖସିଯାଇଥିଲା, ଯାହାକି ଏଯାବତ୍ ସର୍ବନିମ୍ନ ସ୍ତର। ଏହାପୂର୍ବରୁ ମାର୍ଚ୍ଚ ୧୮ ରେ ଟଙ୍କା ୯୨.୬୩ ସ୍ତରକୁ ଖସିଥିଲା, ଯାହାକୁ ଏବେ ଅତିକ୍ରମ କରିଯାଇଛି।

କାହିଁକି ତଳକୁ ଖସୁଛି ଟଙ୍କା?

* ଅଶୋଧିତ ତୈଳ ଦର ବୃଦ୍ଧି: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା କାରଣରୁ ବ୍ରେଣ୍ଟ କ୍ରୁଡ୍ (ଅଶୋଧିତ ତୈଳ) ବ୍ୟାରେଲ ପିଛା ପ୍ରାୟ ୧୨୦ ଡଲାରରେ ପହଞ୍ଚିଥିଲା। ଯଦିଓ ଶୁକ୍ରବାର ଏହା ୧୦୭ ଡଲାର ପାଖାପାଖି ଖସିଆସିଛି, ତଥାପି ଏହା ଉଚ୍ଚ ସ୍ତରରେ ରହିଛି। ତେଲ ମହଙ୍ଗା ହେବା ଫଳରେ ଭାରତର ଆମଦାନୀ ବିଲ୍ ବଢ଼ୁଛି, ଯାହାଦ୍ୱାରା ଡଲାର ଚାହିଦା ବୃଦ୍ଧି ପାଇ ଟଙ୍କା ଦୁର୍ବଳ ହେଉଛି।

* ବଢ଼ୁଛି ଡଲାରର ଚାହିଦା: ଉଚ୍ଚ ଆମଦାନୀ ବିଲ୍ କାରଣରୁ ବିଭିନ୍ନ କମ୍ପାନୀମାନେ ଅଧିକ ଡଲାର କିଣୁଛନ୍ତି, ଯାହା ଫଳରେ ଟଙ୍କା ଉପରେ ଚାପ ବଢ଼ୁଛି।

* ବିଦେଶୀ ନିବେଶକଙ୍କ ବିକ୍ରି ପ୍ରକ୍ରିୟା: କେବଳ ମାର୍ଚ୍ଚ ମାସରେ ବିଦେଶୀ ନିବେଶକମାନେ (FII) ଭାରତୀୟ ସେୟାର ବଜାରରୁ ୮ ବିଲିୟନ ଡଲାରରୁ ଅଧିକ ଅର୍ଥ ପ୍ରତ୍ୟାହାର କରିନେଇଛନ୍ତି। ୨୦୨୫ ଜାନୁଆରୀ ପରଠାରୁ ଏହା ସର୍ବବୃହତ୍ ଆଉଟଫ୍ଲୋ ଅଟେ।

* ମଜବୁତ ହେଉଛି ଆମେରିକୀୟ ଡଲାର: ବିଶ୍ୱବ୍ୟାପୀ ଅନିଶ୍ଚିତତା ମଧ୍ୟରେ ନିବେଶକମାନେ ଡଲାରକୁ ଏକ ସୁରକ୍ଷିତ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି। ଫଳରେ ଡଲାର ମଜବୁତ ହେଉଛି ଏବଂ ଅନ୍ୟ ଦେଶର ମୁଦ୍ରାଗୁଡ଼ିକ ଦୁର୍ବଳ ହେଉଛି।

ଆପଣଙ୍କ ପକେଟ୍ ବା ବଜେଟ୍ ଉପରେ କିପରି ପଡ଼େ ଏହାର ପ୍ରଭାବ?

* ବଢ଼ିବ ମହଙ୍ଗା ମାଡ଼: ଭାରତ ନିଜ ଆବଶ୍ୟକତାର ୭୫ ରୁ ୮୦ ପ୍ରତିଶତ ଅଶୋଧିତ ତୈଳ ବିଦେଶରୁ କିଣିଥାଏ। ଟଙ୍କା ଦୁର୍ବଳ ହେଲେ ତୈଳ ଆମଦାନୀ ମହଙ୍ଗା ହୁଏ। ଏକ ଅନୁମାନ ଅନୁଯାୟୀ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧ ଟଙ୍କା କମିଲେ ତୈଳ କମ୍ପାନୀଗୁଡ଼ିକ ଉପରେ ପ୍ରାୟ ୮,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିଥାଏ। ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼େ, ଯାହାର ସିଧାସଳଖ ପ୍ରଭାବ ଖାଦ୍ୟପେୟ ଏବଂ ପରିବହନ ଖର୍ଚ୍ଚ ଉପରେ ପଡ଼ିଥାଏ। ପେଟ୍ରୋଲିୟମ ସାମଗ୍ରୀର ଦାମ୍ ୧୦% ବଢ଼ିଲେ ମୁଦ୍ରାସ୍ଫୀତି ପ୍ରାୟ ୦.୮% ବଢ଼ିପାରେ।

* ଔଷଧ ଏବଂ ଶିକ୍ଷା ହେବ ମହଙ୍ଗା: ଅନେକ ଜରୁରୀ ଔଷଧ ବିଦେଶରୁ ଆସୁଥିବାରୁ ଟଙ୍କା ଦୁର୍ବଳ ହେବା ଫଳରେ ଏଗୁଡ଼ିକର ଦାମ୍ ବଢ଼ିଯାଏ। ଏହାବ୍ୟତୀତ ବିଦେଶରେ ପାଠପଢ଼ା, ଯାତ୍ରା ଖର୍ଚ୍ଚ ଏବଂ ହୋଟେଲ୍ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଏ।

* ବିକାଶମୂଳକ ଯୋଜନା ଉପରେ ପ୍ରଭାବ: ତୈଳ କମ୍ପାନୀଗୁଡ଼ିକୁ ସରକାର ସବସିଡି ଦେଉଥିବାରୁ ଡଲାର ମହଙ୍ଗା ହେଲେ ସରକାରଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ଫଳରେ ରାସ୍ତାଘାଟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ବିକାଶମୂଳକ ଯୋଜନା ପାଇଁ ସରକାରଙ୍କୁ ଖର୍ଚ୍ଚ କାଟ୍ କରିବାକୁ ପଡ଼ିପାରେ।

* ରାଜକୋଷ ଉପରେ ଚାପ: ଦେଶକୁ ଆସୁଥିବା ଏବଂ ଯାଉଥିବା ବିଦେଶୀ ମୁଦ୍ରାର ପାର୍ଥକ୍ୟକୁ 'ଚଳିତ ଖାତା ନିଅଣ୍ଟ' (CAD) କୁହାଯାଏ। ଭାରତର ସର୍ବାଧିକ ବିଦେଶୀ ମୁଦ୍ରା ତୈଳ ଏବଂ ସୁନା ଆମଦାନୀରେ ଖର୍ଚ୍ଚ ହୋଇଥାଏ, ତେଣୁ ଆମଦାନୀ ମହଙ୍ଗା ହେଲେ କ୍ୟାଡ୍ ବୃଦ୍ଧି ପାଇଥାଏ।

ଟଙ୍କାର ପତନ ରୋକିବାକୁ କ'ଣ କରୁଛନ୍ତି ଆରବିଆଇ ?

ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମାର୍ଚ୍ଚ ମାସରେ ଏପର୍ଯ୍ୟନ୍ତ ୧୫ ବିଲିୟନ ଡଲାରରୁ ଅଧିକ ବିକ୍ରି କରି ଟଙ୍କାର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି। ସାଧାରଣତଃ ଆର୍ଥିକ ବର୍ଷର ଶେଷ ଆଡ଼କୁ ଆରବିଆଇର ହସ୍ତକ୍ଷେପ ବଢ଼ିଯାଏ, ଯାହାଦ୍ୱାରା ବଜାରକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ।

ମୁଦ୍ରା ମୂଲ୍ୟ ହ୍ରାସ କେବଳ ଭାରତରେ ନୁହେଁ ବରଂ ସମଗ୍ର ଏସିଆରେ ଦେଖିବାକୁ ମିଳୁଛି। ଡଲାର ତୁଳନାରେ ଟଙ୍କାର ଏହି ଐତିହାସିକ ପତନ ଆଗାମୀ ଦିନରେ ଦେଶର ଅର୍ଥନୀତି ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।