ମୁମ୍ବାଇ,୨୨|୧: ରୋହିତ ଶର୍ମାଙ୍କୁ ବଡ ସମ୍ମାନ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ତଥା ହିଟମ୍ୟାନ୍ ରୋହିତ ଶର୍ମା ଏକ ବଡ ଉପାଧି ହାସଲ କରିଛନ୍ତି । ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ବା ଡି.ଲିଟ୍ ଉପାଧି ମିଳିବ । ଆଜିଙ୍କ୍ୟ ଡିଓ୍ୱାଇ ପାଟିଲ ୟୁନିଭର୍ସିଟି କ୍ରିକେଟ୍ ପ୍ରତି ରୋହିତଙ୍କ ଅତୁଳନୀୟ ଅବଦାନ ଏହଂ ବିରଳ ନେତୃତ୍ୱ କାରଣରୁ ଏହି ସମ୍ମାନ ପ୍ରଦାନ କରିବ ।

ବିଶ୍ୱବିଦ୍ୟାଳୟ ନିଜର ଦଶମ ସମାବର୍ତନ ଉତ୍ସବରେ ବୁଧବାର ଏହି ସମ୍ମାନ ନେଇ ଘୋଷଣା କରିଛି । ବିଶ୍ୱବିଦ୍ୟାଳୟ କହିଛି ଯେ, ରୋହିତଙ୍କୁ ଫ୍ୟାନ୍ସ ହିଟମ୍ୟାନ୍ ଭାବେ ଜାଣିଛନ୍ତି । ଏବେ ଏହାକୁ ଅନୁଷ୍ଠାନ ଆଉ ଏକ ନୂଆ ରୂପ ଦେବାକୁ ଚାହୁଁଛି । ବିଶ୍ୱବିଦ୍ୟାଳୟର କୂଳପତି କହିଛନ୍ତି ଯେ, ରୋହିତଙ୍କ ଅତୁଳନୀୟ ଅବଦାନକୁ କେହି ଭୁଲିପାରିବେ ନାହିଁ । ସେ ବିଶ୍ୱସ୍ତରରେ ନେତୃତ୍ୱ ନେବାର ପ୍ରତିଭାକୁ ପ୍ରମାଣିତ କରିଛନ୍ତି । ତେଣୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରି ବିଶ୍ୱବିଦ୍ୟାଳୟ ରୋହିତଙ୍କ ଅବଦାନକୁ ମନେ ପକାଇବ ।

ସୂଚନାଯୋଗ୍ୟ, ରୋହିତ ଏବେ କେବଳ ଦିନିକିଆ ଖେଳୁଛନ୍ତି । ସେ ଟେଷ୍ଟ୍ ଏବଂ ଟି ୨୦ଫର୍ମାଟରୁ ଅବସର ନେଇ ସାରିଛନ୍ତି । ବିଶ୍ୱର ଏକମାତ୍ର ବ୍ୟାଟର୍ଭାବେ ସେ ଅନ୍ତର୍ଜାତୀୟ ଦିନିକିଆରେ ତିନିର ଡବଲ ସେଞ୍ଚୁରୀ ମାରିଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଶତକ ହାସଲ କରିଥିବା ତୃତୀୟ ବ୍ୟାଟର ହେଲେ ରୋହିତ । ଏହାସହ ଦିନିକିଆ ଫର୍ମାଟରେ ସର୍ବାଧିକ ଛକା ତାଙ୍କ ବ୍ୟାଟରୁ ବାହାରିଛି ।

ଏବେ ହିଟମ୍ୟାନ୍ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିଥିଲେ । ଏଥିରେ ତାଙ୍କର ପ୍ରଦର୍ଶନ ଖାସ୍ ନଥିଲା । ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।୨୦୨୭ବିଶ୍ୱକପ୍ ପାଇଁ ସେ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଯେଉଁଥିପାଇଁ ସେ ନିଜର ପିଟନେଶ୍ ଉପରେ ଅଧିକ ଧ୍ୟାନ ରଖୁଛନ୍ତି ।