କୋରାପୁଟ: ଆଦିବାସୀ ସଂସ୍କୃତି ଓ ପରମ୍ପରା ତଥା ବିଶ୍ଵାସର ପ୍ରତୀକ ମାଆଙ୍କ ଡଙ୍ଗର ଯାତ୍ରା ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଆଦିମ କାଳରୁ ମାଳି ପର୍ବତ ପାହାଡ଼ ଉପରେ ରହିଥିବା ଗୁମ୍ଫାରେ ପୂଜା ପାଇ ଆସୁଛନ୍ତି ମାଁ ପାକୁଳି ଦେବୀ । ଆଗରୁ ମାଆଙ୍କ ପାଖରେ ଦିଆଯାଉଥିଲା ବଳି ଏବେ ସମୟ ବଦଳିଛି ଆଉ ବଳି ନୁହେଁ ମାଙ୍କୁ ନଡ଼ିଆ କଦଳୀ ଦେଇ ସନ୍ତୁଷ୍ଟ କରିବା ପାଇଁ ଆଗେଇ ଆସିଛନ୍ତି ଆଦିବାସୀ।

କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବ୍ଲକ ପାକଝୋଲା ନିକଟସ୍ଥ ମାଳି ପର୍ବତ ପାହାଡ଼ର ଶିଖରରେ ରହିଥିବା ଗୁମ୍ଫା ରେ କେଉଁ ଆଦିମ କାଳରୁ ମାଁ ପାକୁଳି ଦେବୀ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଚୈତ୍ର ମାସରେ ମହାଆଡମ୍ବର ସହକାରେ ମାଆ ପାକୁଳି ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ଏଠାରେ ୫ଖଣ୍ଡ ପଞ୍ଚାୟତର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ପାହାଡ଼ ଉପରେ ନାଚ ଗୀତ କରି ଅଞ୍ଚଳ ବାସୀ ଖୁସି ମନାଇଥାନ୍ତି।

ପୂର୍ବରୁ ମାଙ୍କ ପାଖରେ ପଶୁ ପକ୍ଷୀ ବଳି ଦିଆଯାଉଥିଲା କିନ୍ତୁ ଏବେ ସମୟ ବଦଳିବା ସହିତ ବଦଳିଛି ଅନ୍ଧ ବିଶ୍ୱାସ। ମାଙ୍କ ପାଖରେ ଆଉ ପଶୁ ପକ୍ଷୀ ବଳି ଦେବା ନାହିଁ ମାଙ୍କୁ ଫଳ ନଡ଼ିଆ କଦଳୀ ଦେଇ ସନ୍ତୁଷ୍ଟ କରିବା ପାଇ ଆଗେଇ ଆସିଛି ମାଳି ପର୍ବତ ସୁରକ୍ଷା ସମିତି । ମାଳି ପର୍ବତରେ ମାଁ ସନ୍ତୁଷ୍ଟ ହେଲେ ଅଞ୍ଚଳରେ କୌଣସି ବିପଦ ପଡିବ ନାହିଁ ବୋଲି ସେମାନଙ୍କ ବିଶ୍ୱାସ ରହିଛି।

ଆଦିବାସୀ ମାନଙ୍କର ପରମ୍ପରା ବଞ୍ଚି ରହିବା ସହିତ ମାଳି ପର୍ବତକୁ ସୁରକ୍ଷା ଦେବା ପାଇଁ ଅଞ୍ଚଳ ବାସୀ ଅଣ୍ଟା ଭିଡ଼ିଛନ୍ତି। ଯଦି ମାଆ ରାଗିବେ ତେବେ ଅଞ୍ଚଳରେ ମହାମାରୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗ ବ୍ୟାଧି ମାଡି ଆସିବ। ମାଆଙ୍କୁ ସନ୍ତୁଷ୍ଟ କଲେ ଅଞ୍ଚଳବାସୀଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତି ବୋଲି ସ୍ଥାନୀୟ ବାସୀଙ୍କ ବିଶ୍ୱାସ ରହିଛି। ଆଦିବାସୀ ମାନଙ୍କ ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ସେମାନେ ପାହାଡ଼କୁ ମାନି ଆସିଥାନ୍ତି।

ଏହିଠାରୁ ସେମାନେ ବିଭିନ୍ନ ପ୍ରକାର ବନ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ପାହାଡ଼ରେ ପୂଜା ପାଉଥିବା ମାଆକୁ ସୁରକ୍ଷା ଦେବା ପାଇଁ ଅଞ୍ଚଳ ବାସୀ ଆଗେଇ ଆସିଥାନ୍ତି। ଏତେ ସୁନ୍ଦର ସ୍ଥାନ ଏବେ ଦୃଷ୍ଟି ଆଢୁଆଳରେ ରହି ଯାଇଛି। ଯଦି ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିବ ତେବେ ଆଗାମୀ ଦିନରେ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି ଅଞ୍ଚଳ ବାସୀ ଆଶା ରଖିଛନ୍ତି ।

ମାଳି ପର୍ବତର ଶିଖରରେ ଗୁମ୍ଫା ଭିତରେ ବିଦ୍ୟମାନ ରହିଛନ୍ତି ଆଦିବାସୀଙ୍କ ଆରାଧ୍ୟ ମାଆ ପାକୁଲି । ଫଳ ନଡ଼ିଆ କଦଳୀ ଦେଇ ମାଆଙ୍କୁ ସନ୍ତୁଷ୍ଟ କରୁଛନ୍ତି ଆଦିବାସୀ। ମାଳି ପର୍ବତ ସୁରକ୍ଷା ସମିତିର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।