ନୂଆଦିଲ୍ଲୀ: ମୁମ୍ବାଇର ଏକ ଭାରତୀୟ ନୌସେନା ଆବାସିକ ଅଞ୍ଚଳର ଏକ ସେଣ୍ଟ୍ରି ପୋଷ୍ଟରୁ ଏକ ରାଇଫଲ୍ ସହିତ ଗୁଳି ହଜି ଯାଇଛି। ଏହି ଘଟଣା ସେପ୍ଟେମ୍ବର ତାରିଖ ରାତିରେ ରିପୋର୍ଟ କରାଯାଇଥିବା ବେଳେ କିଏ ବନ୍ଧୁକ  ଓ ଗୁଳି ନେଲା ସେ ନେଇ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନୌସେନା ସେଣ୍ଟ୍ରି ଡ୍ୟୁଟିରେ ଥିବା ଜଣେ ଜୁନିଅର ନାବିକ(ନେଭି କ୍ରୁ ମେମ୍ବର)ଙ୍କ ପାଖକୁ ନୌସେନା ପୋଷାକ ପିନ୍ଧିଥିବା ଅନ୍ୟ ଜଣେ ବ୍ୟକ୍ତି  ଆସିଥିଲେ। ଏବଂ ତାଙ୍କ ଡିୟୁଟି ସରିଲା, ତାଙ୍କ ସ୍ଥାନରେ ଏବେ ସିଏ ଡିୟୁଟି କରିବେ ବୋଲି କହିଥିଲେ। ତାଙ୍କୁ ଏହାପରେ ଜୁନିଅର ସେଲର(ନାବିକ) ଜଣଙ୍କ ତାଙ୍କ ଅସ୍ତ୍ର ସହିତ ନୂଆ  ବ୍ୟକ୍ତିଙ୍କୁ ତାଙ୍କ ପୋଷ୍ଟ ହସ୍ତାନ୍ତର କରିଥିଲେ। କିନ୍ତୁ ପରେ, ଦାୟିତ୍ୱ ନେଇଥିବା ବ୍ୟକ୍ତି ରାଇଫଲ ଏବଂ ଗୁଳି ନେଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ, ନିଖୋଜ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିବା ପାଇଁ ଏକ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଛି। ଭାରତୀୟ ନୌସେନା ମୁମ୍ବାଇ ପୋଲିସ ସହିତ ସମନ୍ୱୟ ରଖି ସନ୍ଧାନ କାର୍ଯ୍ୟ ଜାରି ରଖିଛି। ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା ତାହା ତଦନ୍ତ କରିବା ପାଇଁ ଏକ ତଦନ୍ତ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲା ଅନ୍ୟ ସରକାରୀ ଏଜେନ୍ସି ଦ୍ୱାରା ମଧ୍ୟ ତଦନ୍ତାଧୀନ ଅଛି। ଭାରତୀୟ ନୌସେନା କହିଛି ଯେ ଏହା ଚାଲିଥିବା ତଦନ୍ତରେ ପୂର୍ଣ୍ଣ ସହଯୋଗ ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି।