ସଂରକ୍ଷଣ ଦେଶରେ ଟ୍ରେନ୍ ବଗି ପରି ହୋଇଛି, ଯେଉଁମାନେ ପୂର୍ବରୁ ଲାଭ ନେଉଛନ୍ତି...ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

Published By : Prameya-News7 Bureau | May 06, 2025 IST

News7

ନୂଆଦିଲ୍ଲୀ: 'ସଂରକ୍ଷଣ ଏବେ ଦେଶରେ ଟ୍ରନ୍ ବଗି ପରି ହୋଇଛି, ଯେଉଁ ଲୋକେ ଏହି ବଗିରେ ଚଢିଛନ୍ତି, ସେମାନେ ଅନ୍ୟମାନଙ୍କୁ ଏଥିରେ ଚଢିବାକୁ ଦେବାକୁ ଚାହୁଁନାହାନ୍ତି ।' ସୁପ୍ରିମକୋର୍ଟର ବରିଷ୍ଠ ନ୍ୟାୟଧୀଶ ତଥା ଭାରତର ଆଗାମୀ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଏଭଳି ଟିପ୍ପଣୀ କରିଛନ୍ତି । ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନରେ ଅନ୍ୟ ପଛୁଆ ବର୍ଗ (ଓବିସି)ର ସଂରକ୍ଷଣ ସହ ଜଡ଼ିତ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି ।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, 'ସାମାଜିକ, ରାଜନୈତିକ ଓ ଆର୍ଥିକ ରୂପେ ପଛୁଆ ଥିବା ଅଧିକ ବର୍ଗକୁ ଚିହ୍ନଟ କରିବା ସରକାରଙ୍କ ଦାୟିତ୍ୱ । ସଂରକ୍ଷଣର ଲାଭ କେବଳ କିଛି ହିଁ ପରିବାର ଓ ଗୋଷ୍ଠୀକୁ ମିଳୁଛି । କ’ଣ ଅନ୍ୟ ବଞ୍ଚିତ ଲୋକଙ୍କୁ ଏହାର ଲାଭ ମିଳିବା ଉଚିତ ନୁହେଁ କି ?'

୨୦୧୬-୧୭ ପରଠାରୁ ମହାରାଷ୍ଟ୍ରରେ ସ୍ଥାନୀୟ ପୌର ନିର୍ବାଚନ ହୋଇନାହିଁ । ଏହାର ମୁଖ୍ୟ କାରଣ ହେଉଛି ଓବିସି ସଂରକ୍ଷଣକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ । ୨୦୨୧ ମସିହାରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଅଧ୍ୟାଦେଶକୁ ଖାରଜ କରିଦେଇଥିଲେ ।

ଲାଇଭ ଲ’ର ରିପୋର୍ଟ ଅନୁସାରେ ଶୁଣାଣି ବେଳେ ଜଷ୍ଟିସ୍ କାନ୍ତ କହିଛନ୍ତି, 'ଏହି ଦେଶରେ ଜାତି ଆଧାରିତ ସଂରକ୍ଷଣ ରେଳଗାଡ଼ିର ବଗି ପରି ହୋଇଛି । ଯେଉଁମାନେ ଏହି ବଗିରେ ଚଢିଛନ୍ତି, ସେମାନେ ଅନ୍ୟମାନଙ୍କୁ ଭିତରକୁ ଆସିବାକୁ ଦେଉନାହାନ୍ତି ।' ଏହାସହ ଖଣ୍ଡପୀଠ କହିଛନ୍ତି ଯେ ମହାରାଷ୍ଟ୍ର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣର ବିବାଦସ୍ପୟ ପ୍ରସଙ୍ଗ ୨୦୨୨ର ରିପୋର୍ଟ ପୂର୍ବ ପରି ରହିବ । ମାମଲାରେ ସର୍ବୋଚ୍ଚ ଅଦାଲତ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ରାଜ୍ୟରେ ସ୍ଥାନୀୟ ନିର୍ବାଚନ ପାଇଁ ଚାରି ସପ୍ତାହ ଭିତରେ ଅଧିସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଶେଷରେ ଭାରତର ପରବର୍ତ୍ତୀ ସିଜେଆଇ ହେବାକୁ ଥିବା ଜଷ୍ଟିସ ଭିଆର ଗବାଇ ନିଜର ଏକ ରାୟରେ ସମାନ ତୁଳନା କରିଥିଲେ । ସେ ଏସସି/ଏସଟି ବର୍ଗର ଉପବର୍ଗୀକରଣ (Sub-Classification)କୁ ବୈଧ କରିଥିଲେ । ଏହାସହ କହିଥିଲେ ଯେ ଯେଉଁ ଲୋକ ଥରେ ରାଷ୍ଟ୍ରପତିଙ୍କ ସୂଚୀରେ ସାମିଲ ହୋଇଛନ୍ତି, ସେମାନେ ଅନ୍ୟଙ୍କୁ ଏଥିରେ ସାମିଲ ହେବାକୁ ଦେଉ ନାହାନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଏପରି ସମୟରେ ହୋଇଛି, ଯେତେବେଳେ କେନ୍ଦ୍ର ସରକାର ଆଗାମୀ ଜନଗଣନାରେ ଜାତି ଗଣନାକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ କହିଛନ୍ତି ଯେ ଏହି ପଦକ୍ଷେପ ବଞ୍ଚିତ ବର୍ଗର ଟିହ୍ନଟରେ ସହାୟକ ହେବ ଓ ସଂରକ୍ଷଣ ପରି ଯୋଜନାର ସଠିକ୍ ଲାଭ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.