ନୂଆଦିଲ୍ଲୀ ୨୫।୧: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଗଣତନ୍ତ୍ର ଦିବସ ଆମକୁ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରେ ଦେଶର ଦିଶା ଏବଂ ଦଶା ଅବଲୋକନ କରିବାକୁ ଅବସର ଦିଏ। ସ୍ୱାଧୀନତା ସଂଗ୍ରାମ ବଳରେ ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶର ଦଶା ବଦଳିଥିଲା। ଭାରତ ସ୍ୱାଧୀନ ହେଲା ଓ ଆମେ ଆମର ରାଷ୍ଟ୍ରୀୟ ନିୟତୀର ନିର୍ମାତା ହେଲେ। ସେହିପରି ୨୬ ଜାନୁୟାରୀ ୧୯୫୦ରେ ଆମେ ଆମର ଗଣତନ୍ତ୍ରକୁ ସାମ୍ବିଧାନିକ ଆଦର୍ଶ ଦିଶାରେ ଆଗକୁ ବଢାଇବା ଆରମ୍ଭ କରିଥିଲେ।

ଏହି ଦିନ ଆମର ସମ୍ବିଧାନ ସମ୍ପୂର୍ଣ୍ଣ ଲାଗୁ ହୋଇଥିଲା। ଗଣତନ୍ତ୍ରର ଜନନୀ ଭାରତ ଉପନିବେଶବାଦୀ ଶାସନର ବିଧିବିଧାନରୁ ମୁକ୍ତ ହେବା ସହ ଆମର ଜନତାନ୍ତ୍ରିକ ଗଣରାଜ୍ୟ ଅସ୍ତିତ୍ୱକୁ ଆସିଥିଲା। ଆମର ସମ୍ବିଧାନ ବିଶ୍ୱ ଇତିହାସର ସବୁଠୁ ବଡ଼ ଲୋକତାନ୍ତ୍ରିକ ଗଣରାଜ୍ୟର ଆଧାର ଗ୍ରନ୍ଥ। ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମତା ଓ ବନ୍ଧୁତାର ଆଦର୍ଶ ଆମର ଗଣତନ୍ତ୍ରକୁ ପରିଭାଷିତ କରୁଛି। ଏହି ଆଦର୍ଶ ସମ୍ବିଧାନ ନିର୍ମାତାଙ୍କ ଭାବନା ଓ ଦେଶରେ ଏକତାର ମଜଭୁତ ଆଧାର ହୋଇ ରହିଛି।

ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆମ ସାଂସ୍କୃତିକ ଏକତା ଆମକୁ ଆମ ପୂର୍ବଜଙ୍କ ଅବଦାନ। ଏହି ସାଂସ୍କୃତିକ ଏକତା ଆଜିବି ଆମ ଗଣତନ୍ତ୍ରରେ ଜୀବନ୍ତ ହୋଇ ରହିଛି ଓ ପ୍ରତ୍ୟାକ ଭାରତୀୟଙ୍କୁ ପରସ୍ପର ସହ ଯୋଡି ରଖିଛି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଗତବର୍ଷ ନଭେମ୍ବର ୭ ତାରିଖରୁ ଆମର ଜାତୀୟ ଗୀତ ‘ବନ୍ଦେ ମାତରମ’ ରଚନାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଛି। ଭାରତ ମାତାଙ୍କ ସ୍ୱରୂପର ଏହି ବନ୍ଦନା ଗୀତ ଜନମନରେ ଦେଶ ପ୍ରେମ ସଞ୍ଚାର କରିଥାଏ। ଦେଶର ମହାକବି ସୁବ୍ରମଣ୍ୟମ ଭାରତୀ ତାମିଲ ଭାଷାରେ ବନ୍ଦେ ମାତରମର ଭାବାର୍ଥ ଆଧାରିତ ରଚନା କରି ଏହି ଭାବନାକୁ ଆହୁରି ବ୍ୟାପକ ସ୍ୱରୂପ ପ୍ରଦାନ କରିଛନ୍ତି। ଏହିପରି ବନ୍ଦେ ମା ତରମର ଭାବନାକୁ ଜନମାନସରେ ଆହୁରି ଗଭୀର ଭାବେ ଯୋଡାଗଲା। ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇ ଏହି ଗୀତ ଆହୁରି ଲୋକପ୍ରିୟ ହୋଇଛି।

ମୂଳ ରୂପେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ବନ୍ଦେ ମା ତରମ ଆମ ରାଷ୍ଟ୍ର ବନ୍ଦନାର ପ୍ରତୀକ। ଏହି ରାଷ୍ଟ୍ର ବନ୍ଦନାର ସୌର୍ଯ୍ୟ ଓ ଗୌରବର ଦିନ ପୂର୍ବରୁ ୨୩ ଜାନୁୟାରୀରେ ଦେଶବାସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି ଅର୍ପିତ କରି ସ୍ମରଣ କରିଛନ୍ତି। ୨୦୨୧ ମସିହାରୁ ଦେଶରେ ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ରୂପେ ପାଳନ କରାଯାଇ ଆସୁଛି। ଯାହାଦ୍ୱାରା ଦେଶବାସୀ ବିଶେଷ କରି ଯୁବ ବର୍ଗ ତାଙ୍କର ଅଦମ୍ୟ ଦେଶ ଭକ୍ତିରୁ ପ୍ରେରଣା ପାଇ ପାରିବେ। ନେତାଜୀ ସୁଭାଷଚନ୍ଦ୍ର ବୋଷ ଦେଇଥିବା ‘ଜୟ ହୀନ୍ଦ’ ଉଦଘୋଷ ଆମ ରାଷ୍ଟ୍ରର ଗୌରବ ଉଦଘୋଷ ଅଟେ।