ମୁମ୍ବାଇ: ଭାରତୀୟ କର୍ପୋରେଟ୍ ଜଗତ ପାଇଁ ଏକ ବଡ଼ ଖବର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟେକ୍ କମ୍ପାନୀ 'ଜିଓ ପ୍ଲାଟଫର୍ମସ' (Jio Platforms) ପାଇଁ IPO (Initial Public Offering) ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। କମ୍ପାନୀର ୪୯ତମ ବାର୍ଷିକ ସାଧାରଣ ସଭାରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏହା ଘୋଷଣା କରିଛନ୍ତି। ଆଜି ଜୁନ୍ ୧୯ ତାରିଖରେ କମ୍ପାନୀ ସେବି (SEBI) ନିକଟରେ ଡ୍ରାଫ୍ଟ ପେପର୍ସ (Draft Papers) ଦାଖଲ କରିବ ବୋଲି ଅମ୍ବାନୀ କହିଛନ୍ତି।

IPO ଓ ଶେୟାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଅମ୍ବାନୀଙ୍କ ସୂଚନା ଅନୁସାରେ, ଜିଓIPO ମାଧ୍ୟମରେ ୧୦ ଟଙ୍କା ଫେସ୍ ଭାଲ୍ୟୁ (Face Value) ବିଶିଷ୍ଟ ପ୍ରାୟ ୨୭ କୋଟି ନୂଆ ଶେୟାର ଜାରି କରିବ। ଶେୟାରର ମୂଲ୍ୟ ବୁକ୍ ବିଲ୍ଡିଂ ପ୍ରକ୍ରିୟା (Book Building Process) ମାଧ୍ୟମରେ ସେବିର ନିୟମ ଅନୁସାରେ ସ୍ଥିର କରାଯିବ। ଜିଓ IPOର ସମଗ୍ର ପ୍ରକ୍ରିୟାର ଦାୟିତ୍ୱ ଆକାଶ ଅମ୍ବାନୀ, ଇଶା ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ସମ୍ଭାଳିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

ଆକାଶ ଅମ୍ବାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଏବେ ହେ ସିରି ନୁହେଁ, ହେ ଜିଓ କହିଲେ କାମ କରିବ ଏଆଇ

କମ୍ପାନୀର ୪୯ତମ ବାର୍ଷିକ ସାଧାରଣ ସଭାରେ ଜିଓ ପ୍ଲାଟଫର୍ମସର ଏମଡି ଆକାଶ ଅମ୍ବାନୀ ଜିଓର ଭବିଷ୍ୟତ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନେଇ ସେ କହିଥିଲେ ଯେ ଜିଓ ଏକ ଅତ୍ୟାଧୁନିକ AI ଭଏସ୍ ଆସିଷ୍ଟାଣ୍ଟ 'ଜିଓ କଲ୍ ଏଜେଣ୍ଟ' ଲଞ୍ଚ କରିବ। ଏହା ସିଧାସଳଖ ଜିଓ ନେଟୱର୍କରେ ଜଡିତ ରହିବ, ଯେଉଁଥିପାଇଁ କୌଣସି ଆପ୍ର ଆବଶ୍ୟକତା ନାହିଁ। "ହେ ଜିଓ" କହିବା ମାତ୍ରେ ଏହା ସକ୍ରିୟ ହେବ। ଏହା ୧୦ ଜଣଙ୍କ ସ୍ୱର ଚିହ୍ନଟ କରିପାରିବ, କଲ୍ ସମରୀ ପ୍ରସ୍ତୁତ କରିବ ଏବଂ ଖାଦ୍ୟ ଅର୍ଡର କରିବା, କ୍ୟାବ୍ ବୁକିଂ ଓ ମିଟିଂ ଶେଡ୍ୟୁଲ୍ କରିବା ଭଳି କାର୍ଯ୍ୟ କରିବ। ଏହା ଏହି ବର୍ଷ ଶେଷ ସୁଦ୍ଧା ୫୦ କୋଟିରୁ ଅଧିକ ଜିଓ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆକାଶ ଅମ୍ବାନୀ କହିଛନ୍ତି।

Also read- ସାରା ବିଶ୍ୱରେ ଦେଶ ଛାଡ଼ିବେ ରେକର୍ଡ ସଂଖ୍ୟକ କୋଟିପତି: ଭାରତରେ ଟ୍ୟାକ୍ସ ଜଟଳିତା ଓ ଶିକ୍ଷା ସମସ୍ୟା ପଳାୟନର କାରଣ!

ଜିଓ ବିଶ୍ୱର ପ୍ରମୁଖ ସାଟେଲାଇଟ୍ କମ୍ପାନୀଙ୍କ ସହ ମିଶି ଭାରତ ପାଇଁ ନିଜର 'ଲୋ ଅର୍ଥ ଅର୍ବିଟ୍' (LEO) ସାଟେଲାଇଟ୍ ନେଟୱର୍କ ଉପରେ କାମ କରୁଛି। ଜାମନଗରରେ AI ବ୍ୟାକବୋନ୍ ପ୍ରସ୍ତୁତ କରାଯାଉଛି, ଯାହାର ୧୨୦ ମେଗାୱାଟ୍ର ପ୍ରଥମ ପର୍ଯ୍ୟାୟ ୨୦୨୬ ଶେଷ ସୁଦ୍ଧା ଆରମ୍ଭ ହେବ। କମ୍ପାନୀ ଏଥିପାଇଁ 'Nvidia GB300' ଜିପିୟୁର ବ୍ୟବହାର କରୁଛି।

ସେହିପରି ଜିଓ ହୋମ୍ସ ୫ Gbps ଡାଉନଲୋଡ୍ ଏବଂ ୧ Gbps ଅପଲୋଡ୍ ସ୍ପିଡ୍ ସହ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପ୍ରଦାନ କରିବ। ବର୍ତ୍ତମାନ ଜିଓର ୟୁଜର୍ ବେସ୍ ୫୨.୪ କୋଟି ଟପିଛି, ଯାହା ଚୀନ୍ ବାହାରେ ସବୁଠୁ ବଡ଼ 5G ୟୁଜର ବେସ୍।

ରିଟେଲ ବିଜନେସର ସଫଳତା: ଇଶା ଅମ୍ବାନୀ

ସେହିପରି ରିଲାଏନ୍ସ ରିଟେଲର ବ୍ୟବସାୟ ସମ୍ଭାଳୁଥିବା ଏହାର ନନ୍-ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଇଶା ଅମ୍ବାନୀଙ୍କ ବ୍ୟବସାୟର ସଫଳତା ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପଞ୍ଜୀକୃତ ଗ୍ରାହକ ସଂଖ୍ୟା ୧୧% ବୃଦ୍ଧି ସହ ୩୮.୭ କୋଟିରେ ପହଞ୍ଚିଛି। ୧.୯୩ ଅରବ ଟ୍ରାନ୍ଜାକ୍ସନ ସମ୍ପନ୍ନ ହୋଇଛି, ଯାହା ଗତ ବର୍ଷଠାରୁ ୩୯% ଅଧିକ ବୋଲି ସେ କହିଛନ୍ତି।

ଇଶା କହିଛନ୍ତି ଦେଶରେ ସ୍ମାର୍ଟ ବଜାର ଷ୍ଟୋର ସଂଖ୍ୟା ଏକ ହଜାର ଅତିକ୍ରମ କରିଛି। ଜିଓମାର୍ଟ ୩,୧୦୦ରୁ ଅଧିକ ଷ୍ଟୋର୍ ସହ ଦେଶର ବୃହତ୍ତମ କ୍ୱିକ୍ କମର୍ସ ନେଟୱର୍କ ପାଲଟିଛି, ଯାହା ୧,୨୦୦ରୁ ଅଧିକ ସହରରେ ସେବା ପ୍ରଦାନ କରୁଛି। ଏଥିରେ ବାର୍ଷିକ ରାଜସ୍ୱ ୧୧.୮% ବୃଦ୍ଧି ସହ ୩,୭୦,୦୨୬ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଇଶାନ ଅମ୍ବାନୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ୨୦୨୫-୨୬ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନେଟ୍ ପ୍ରଫିଟ୍ ୧୩% ହ୍ରାସ ପାଇ ୧୬,୯୭୧ କୋଟି ଟଙ୍କା ହୋଇଛି। ତେବେ ରାଜସ୍ୱ ୧୩% ବୃଦ୍ଧି ପାଇ ୨.୯୮ ଲକ୍ଷ କୋଟି ଟଙ୍କା ରେକର୍ଡ କରାଯାଇଛି।