ନୂଆଦିଲ୍ଲୀ: ବିଶିଷ୍ଟ ନିବେଶକ ରେଖା ଝୁନଝୁନୱାଲା ଚଳିତ ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକରେ କାନାରା ବ୍ୟାଙ୍କରୁ ପ୍ରାୟ ୧.୦୭ କୋଟି ଶେୟାର ବିକ୍ରି କରିଛନ୍ତି। ଅନ୍ତିମ ସେୟାରହୋଲ୍ଡିଂ ତଥ୍ୟ ଅନୁଯାୟୀ, କାନାରା ବ୍ୟାଙ୍କରେ ତାଙ୍କର ଅଂଶଧନ ୧୨.୯୨ କୋଟି ଖସି ଆସିଛି, ଯାହା ମୋଟ ଅଂଶଧନର ୧.୪୨%।

୨୦୨୬ର ପ୍ରଥମ ତ୍ରିୟମାସିକ ଶେଷ ସୁଦ୍ଧା ରେଖା ଝୁନଝୁନୱାଲାଙ୍କ ପାଖରେ ୧୩.୯୯ କୋଟି ଶେୟାର ଥିଲା, ଯାହା ମୋଟ ଅଂଶଧନର ୧.୫୪% ଥିଲା। ତ୍ରୈମାସିକ ଅବଧି ମଧ୍ୟରେ ସେ ମୋଟ ୧.୦୭ କୋଟି ଶେୟାର ବିକ୍ରି କରିଛନ୍ତି ରେଖା।

ବିକ୍ରି ପଛର କାରଣ

ଏହି ବିକ୍ରିର ମୁଖ୍ୟ କାରଣ ହେଉଛି କାନାରା ବ୍ୟାଙ୍କର ଶେୟାର ଦରରେ କ୍ରମାଗତ ହ୍ରାସ। ଚଳିତ ବର୍ଷ ୨୦୨୬ ମଧ୍ୟରେ ବ୍ୟାଙ୍କର ଶେୟାର ମୂଲ୍ୟ ୧୮%ରୁ ଅଧିକ ହ୍ରାସ ପାଇଥିବା ବେଳେ, ଗତ ଏକ ମାସରେ ୪% ହ୍ରାସ ପାଇଛି। ତେବେ ଗତ ୩ ବର୍ଷରେ ଏହି ଶେୟାର ୯୩% ଏବଂ ୫ ବର୍ଷରେ ୩୧୬% ରିଟର୍ଣ୍ଣ ଦେଇଥିଲା। ବର୍ତ୍ତମାନ ଏହି ଅଧୋଗତି କାରଣରୁ ନିବେଶକମାନେ ସତର୍କ ହୋଇଛନ୍ତି।

ରାକେଶ ଝୁନଝୁନୱାଲାଙ୍କ ପୋର୍ଟଫୋଲିଓ ଓ ଉତ୍ତରାଧିକାର

ସ୍ୱର୍ଗତ 'ବିଗ୍ ବୁଲ୍' ରାକେଶ ଝୁନଝୁନୱାଲା ପବ୍ଲିକ୍ ସେକ୍ଟର ବ୍ୟାଙ୍କ (PSU Banks) ଗୁଡ଼ିକ ଉପରେ ବହୁତ ଭରସା କରୁଥିଲେ। ସେ ସର୍ବଦା କହୁଥିଲେ ଯେ ଏହି ବ୍ୟାଙ୍କଗୁଡ଼ିକର ମୂଲ୍ୟ କମ୍ ଥିବାରୁ ଏବଂ କ୍ରେଡିଟ୍ ଗ୍ରୋଥ୍ ଓ ସମ୍ପତ୍ତି ଗୁଣବତ୍ତାରେ ସୁଧାର ଆସୁଥିବାରୁ ଏଗୁଡ଼ିକ ଦୀର୍ଘକାଳୀନ ଭିତ୍ତିରେ ଲାଭଦାୟକ ହେବ। ୨୦୨୨ରେ ତାଙ୍କର ଦେହାନ୍ତ ପରେ, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏହି ବିଶାଳ ପୋର୍ଟଫୋଲିଓ ପରିଚାଳନା କରୁଛନ୍ତି। ତାଙ୍କ ପାଖରେ ବର୍ତ୍ତମାନ ୫୧,୪୧୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୬ଟି କମ୍ପାନୀର ଶେୟାର ରହିଛି।
Also Read- କେଉଁ କମ୍ପାନୀକୁ ବିଶ୍ୱାସ କରନ୍ତି ଭାରତୀୟ ? ଦୀର୍ଘ ୧୮ ବର୍ଷ ହେଲା ନମ୍ବର-୧, ତାଲିକାରେ ଏବେ ନୂଆ କମ୍ପାନୀର ଏଣ୍ଟ୍ରି

କାନାରା ବ୍ୟାଙ୍କର ଆର୍ଥିକ ସ୍ଥିତି

କାନାରା ବ୍ୟାଙ୍କର ଦେଶ ବିଦେଶରେ ଏକାଧିକ ଶାଖା ରହିଛି। ବ୍ୟାଙ୍କର ମୋଟ ୧୦,୦୯୭ଟି ଶାଖା ରହିଥିବା ବେଳେ ୧୧,୩୦୬ଟି ଏଟିଏମ୍ ଏବଂ ଲଣ୍ଡନ, ନ୍ୟୁୟର୍କ, ଦୁବାଇ ଓ ଗିଫ୍ଟ ସିଟିରେ ୪ଟି ବିଦେଶୀ ଶାଖା ରହିଛି। ଏବର୍ଷ ବ୍ୟାଙ୍କ ୪,୫୦୬ କୋଟି ଟଙ୍କାର ନିଟ ଲାଭ କରିଛି। ପୂର୍ବ ବର୍ଷ ତୁଳନାରେ ଏହି ଲାଭ ୧୦% ହ୍ରାସ ପାଇଛି। ସେହିପରି ବ୍ୟାଙ୍କର ନେଟ୍ ଇଣ୍ଟରେଷ୍ଟ ଇନକମ୍ (NII) ୯,୮୦୮ କୋଟି ଟଙ୍କା ହୋଇଛି। ଏଥିରେ ପୂର୍ବ ବର୍ଷ ତୁଳନାରେ ୪% ବୃଦ୍ଧି ହୋଇଛି।

ମଙ୍ଗଳବାର ଦିନ ବ୍ୟାଙ୍କର ଶେୟାର ଦର ପ୍ରାୟ ୩% ହ୍ରାସ ପାଇ ୧୨୬ ଟଙ୍କାରେ କାରବାର କରୁଥିଲା। ତେବେ ରେଖା ଝୁନଝୁନୱାଲା କେଉଁ ନିର୍ଦ୍ଦିଷ୍ଟ ଦରରେ ଶେୟାର ବିକ୍ରି କରିଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ।