ବେଙ୍ଗାଲୁରୁ: ଅଳଙ୍କାର ଦୋକାନରୁ ୧୦ ଲକ୍ଷ ଟଙ୍କାର ଗହଣା ଚୋରି ଘଟଣାରେ ବଡ଼ ଖୁଲାସା ହୋଇଛି । କେହି କବାଟ ଭାଙ୍ଗି ଭିତରକୁ ପଶିନଥିଲେ କିମ୍ବା ବାହାରକୁ ଆସିବାର କୌଣସି ସୁରାକ ନଥିଲା । ସିସିଟିଭି ଦେଖିବା ପରେ ସବୁ ଅବାକ। ଗୋଟିଏ ମୂଷା ଏତେ ବଡ଼ ଚୋରି କରିବ କେହି ବିଶ୍ବାସ କରିବା କଷ୍ଟ । କିନ୍ତୁ ସତ ହେଉଛି, ମୂଷା ହିଁ ଚୋର । ରାତାରାତି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିଲା ମୂଷା । ଏହି ସବୁ ଅଳଙ୍କାରକୁ ତାର ଗାତରେ ଲୁଚାଇ ରଖିଥିଲା ।  କର୍ଣ୍ଣାଟକର ତୁମକୁରୁ ସହରରେ ଏକ ଚଳଚ୍ଚିତ୍ରର କାହାଣୀ ଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ପ୍ରସିଦ୍ଧ ଅଳଙ୍କାର ଦୋକାନରୁ ରାତିାରାତି ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଓ ହୀରା ଗହଣା ଗାଏବ ହୋଇଯାଇଥିଲା। 

ତୁମକୁରୁ ସହରର କ୍ୟାଲଟେକ୍ସ ସର୍କଲ ନିକଟରେ ଅବସ୍ଥିତ 'ବିଶ୍ୱାସ ଜୁଏଲରୀ' ନାମକ ଦୋକାନରେ ଏହି ଅଜବ ଘଟଣାଟି ଘଟିଥିଲା। ସକାଳେ କର୍ମଚାରୀମାନେ ଦୋକାନ ଖୋଲିବା ପରେ କାଚ କାଉଣ୍ଟରରୁ ଗହଣା ଗାଏବ ଥିବା ଦେଖିବାକୁ ପାଇଥିଲେ। ପ୍ରାୟ ୫୦ ଗ୍ରାମରୁ ଅଧିକ ଓଜନର ହୀରା ଓ ସୁନାର ମୁଦି ଏବଂ ନେକଲେସ୍ ଗାଏବ ହୋଇଥିଲା । ଏହି ସବୁ ଅଳଙ୍କାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ।

ଦୋକାନର ମୁଖ୍ୟ ଶଟର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାରୁ କୌଣସି ବାହାର ଲୋକ ଭିତରକୁ ପଶିବା ଅସମ୍ଭବ ମନେହେଉଥିଲା। ଚୋରି ସନ୍ଦେହରେ ପୋଲିସକୁ ଖବର ଦେବା ପୂର୍ବରୁ କର୍ମଚାରୀମାନେ ଦୋକାନର CCTV ଫୁଟେଜ୍ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଭିଡିଓରେ ଯାହା ଦେଖିଲେ, କେହି ବିଶ୍ବାସ କରିପାରିଲେ ନାହିଁ । କୌଣସି ଚୋର ନୁହେଁ, ବରଂ ଏକ ମୂଷା ଦୋକାନ ଭିତରେ ଚୁପଚାପ୍ ବୁଲୁଥିବାର ଦେଖାଯାଇଥିଲା। ମୂଷାଟି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଗହଣାକୁ ନିଜ ପାଟିରେ ଟାଣି ଟାଣି ନେଉଥିବା CCTVରେ ସ୍ପଷ୍ଟ କଏଦ ହୋଇଥିଲା।

CCTV ଭିଡିଓ ଦେଖିବା ପରେ କର୍ମଚାରୀମାନେ ମୂଷାଟି ଯାଇଥିବା ରାସ୍ତାକୁ ଅନୁଧ୍ୟାନ କରି ଦୋକାନ ଭିତରେ ଥିବା ଏକ ଗାତ ପାଖରେ ପହଞ୍ଚିଥିଲେ।  ସେମାନେ ସାବଧାନତାର ସହ ଗାତଟିକୁ ଖୋଳିବା ପରେ ସେଥିରେ ଥିବା ସମସ୍ତ ଗହଣା ମିଳିଯାଇଥିଲା। ମୂଷାର ଗାତରୁ ୧୦ଟି ମୁଦି ଏବଂ ୩ଟି ନେକଲେସ୍  ମିଳିଥିଲା । ସମସ୍ତ ଗହଣା ସୁରକ୍ଷିତ ଅବସ୍ଥାରେ ମିଳିଯିବା ପରେ ଦୋକାନ ମାଲିକ ଓ କର୍ମଚାରୀ ବଡ଼ ଆର୍ଥିକ କ୍ଷତିରୁ ବଞ୍ଚିଯାଇ ଆଶ୍ୱସ୍ତି ଲାଭ କରିଛନ୍ତି। ଏହି ଅଜବ ଘଟଣାର CCTV ଫୁଟେଜ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।