ଯୋଦ୍ଧପୁର: ରାଜସ୍ଥାନ ହାଇକୋର୍ଟ ଆଶାରାମ ବାପୁଙ୍କୁ ନା ବାଳିକା ଦୁଷ୍କର୍ମ ମାମଲାରେ ହୋଇଥିବା ଆଜୀବନ କାରାଦଣ୍ଡାଦେଶକୁ କାୟମ ରଖିଛନ୍ତି। ଯୋଦ୍ଧପୁର ଉଚ୍ଚନ୍ୟାୟାଳୟ ଦୁଷ୍କର୍ମ ମାମଲାରେ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି, ଯେଉଁଥିରେ ଆଶାରାମ ଏବେ ଦଣ୍ଡ ଭୋଗ କରୁଛନ୍ତି। ଏଣୁ କୋର୍ଟ ଆଶାରାମଙ୍କୁ ତତ୍କାଳ ସରେଣ୍ଡର କରିବାକୁ ଆଦେଶ ଦେଇଥିବା ବେଳେ ସେ ଆତ୍ମସମର୍ପଣ କରିଛନ୍ତି। ତେବେ କୋର୍ଟ ଆଶାରାମଙ୍କୁ ସାମୂହିକ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଦେଇଛନ୍ତି, ହେଲେ ଅନ୍ୟ ସବୁ ଆରୋପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସହ ଅଭିଯୁକ୍ତ ଶିଳ୍ପୀ ଓ ଶରତଚନ୍ଦଙ୍କ ସହିତ ଆଶାରାମ ନାବାଳିକା ଦୁଷ୍କର୍ମ ମାମଲାରେ ପୂର୍ବର ଦଣ୍ଡ ଓ ଦୋଷ ସିଦ୍ଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ କୋର୍ଟ ସବୁ ପକ୍ଷଙ୍କ ତର୍କ ଶୁଣିବା ପରେ ହାଇକୋର୍ଟ ଏପ୍ରିଲ ୨୦ ତାରିଖରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ପୀଡ଼ିତାଙ୍କ ଓକିଲ ପି.ସି.ସୋଲଙ୍କି ଗଣମାଧ୍ୟମକୁ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟ ଆଶାରାମଙ୍କ ଅପିଲକୁ ଖାରଜ କରିଦେଇଛନ୍ତି, ତେବେ ଶିଳ୍ପୀ ଓ ଶରତଚନ୍ଦଙ୍କୁ ଗଣ ଦୁଷ୍କର୍ମ ମାମଲାରୁ ମୁକ୍ତ କରିଦେଇଛନ୍ତି। ହାଇକୋର୍ଟ ସାମୂହିକ ଦୁଷ୍କର୍ମ ଅଭିଯୋଗକୁ ସ୍ୱୀକାର କରି ନାହାନ୍ତି, ହେଲେ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶକୁ କାୟମ ରଖିଛନ୍ତି।

ଏହା ୨୦୧୩ ମସିହାର ମାମଲା, ଯୋଦ୍ଧପୁରର ଆଶ୍ରାମରେ ରହି ପଢୁଥିବା ନାବାଳିକା ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମାମଲାର ଶୁଣାଣିରେ ଯୋଦ୍ଧପୁର ପକସୋ କୋର୍ଟ ୨୫ ଏପ୍ରିଲ ୨୦୧୮ରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡାଦେଶ କରିଥିଲେ। ପୋକସୋ କୋର୍ଟଙ୍କ ଏହି ରାୟକୁ ଆଶାରାମ ରାଜସ୍ଥାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ୧୬ ଫେବୃଆରୀରୁ ୨୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ମାମଲାର ଲଗାତାର ପ୍ରତିଦିନ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ୮୬ ବର୍ଷ ବୟଷ୍କ ଆଶାରାମ ବାର୍ଦ୍ଧକ୍ୟ ଓ ତତଜନିତ ବିଭିନ୍ନ ରୋଗ ଆଧାରରେ ଲଗାତାର ଜାମିନ ନିବେଦନ କରିଆସୁଛନ୍ତି। ଜାନୁୟାରୀ ୨୦୨୫ରେ ସୁପ୍ରିମକୋର୍ଟ କିଛି ସର୍ତ୍ତ ବଦଳେ ଅନ୍ତରୀଣ ଚିକିତ୍ସା ଜାମିନ ମଞ୍ଜୁର କରିଥିଲେ।

ଏହା ପରେ ୨୭ ଅଗଷ୍ଟ ୨୦୨୫ରେ ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କ ଜାମିନ ଅବଧି ବଢାଇବା ପାଇଁ ଆବେଦନକୁ ଖାରଜ କରିଦେଇଥିଲେ। ତେବେ ୨୯ ଅକ୍ଟୋବର ୨୦୨୫ରେ ହାଇକୋର୍ଟ ୬ ମାସର ଚିକିତ୍ସା ଜାମିନ ମଞ୍ଜୁର କରିଥିଲେ। ୮ ଡିସେମ୍ବର ୨୦୨୫ରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ବାତିଲ କରିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କୁ ୩ ମାସ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ଜଣାଇବାକୁ ଆଦେଶ ଦେଇଥିଲେ। ଆଶାରାମଙ୍କୁ ଜାନୁୟାରୀ ୨୦୨୩ରେ ଗୁଜରାଟ ଗାନ୍ଧି ନଗରସ୍ଥିତ ଆଶ୍ରମରେ ଜନୈକା ମହିଳାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ହୋଇଥିଲା।