ଭୁବନେଶ୍ୱର, ୨୫/୦୯ : ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶା ବେହାଲ୍। ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ଷାର ସର୍ବାଧିକ ପ୍ରକୋପ ଆହୁରି ଦିନଟିଏ ରହିପାରେ। ଶୁକ୍ରବାର (୨୫ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ପ୍ରକୋପ ଅଧିକ ରହିବା ଆଶଙ୍କା ଅଛି। ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘଡ଼ଘଡ଼ି ସହ ୪୦- ୫୦ କିମି ବେଗରେ ପବନ ବହି ପାରେ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟି ଏବଂ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପବନ ୩୦-୪୦ -୪୦ କିମି ରହିପାରେ।

Also Read :- Horoscope Today : ସେପ୍ଟେମ୍ବର ୨୫ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

୨୬ ତାରିଖ (ଶନିବାର) ବର୍ଷା ପରିମାଣ ସାମାନ୍ୟ କମିପାରେ। ତଥାପି ଅନେକ ସ୍ଥାନରେ ବର୍ଷା ହୋଇପାରେ। ବରଗଡ଼, ନୂଆପଡ଼ାରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ଅଛି। ୨୭ (ରବିବାର)ଠାରୁ ବର୍ଷା ପ୍ରାୟତଃ କମିଯିବ। ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବଡ଼ ଆଶ୍ଵସ୍ତିର କଥା ହେଲା, ବର୍ତ୍ତମାନ ଆଉ କୌଣସି ଘୂର୍ଣ୍ଣିବଳୟ ଓ ଲଘୁଚାପ ସମ୍ଭାବନା ଦେଖାଯାଉନି। ଆଗାମୀ ଦୁଇ ସପ୍ତାହ ବଡ଼ ଧରଣର ବର୍ଷା ସମ୍ଭାବନା କମ୍। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଆସନ୍ତା ଅକ୍ଟୋବର ୭ ପର୍ଯ୍ୟନ୍ତ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନରୁ ଏହି ଅନୁମାନ କରାଯାଉଛି।

ବୁଧବାର ବିଳମ୍ବିତ ରାତିରେ କଳିଙ୍ଗପଟ୍ଟନମ ପାଖ ଶ୍ରୀକାକୁଲମରେ ସ୍ଥଳଭାଗକୁ ପଶିଥିଲା ଗଭୀର ଅବପାତ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୫–୬୫ କିମି ଥିବାବେଳେ ଝଟକା ପବନ ୭୫ କିମି ଛୁଇଁଥିଲା । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ପବନ ବି ହୋଇଥିଲା। ଗଭୀର ଅବପାତ ଗୁରୁବାର ସନ୍ଧ୍ୟାରେ କୋରାପୁଟ ଓ ରାୟଗଡ଼ା ଉପରେ ଥିଲା। ବିଳମ୍ବିତ ରାତି ସୁଦ୍ଧା ଏହା ଅବପାତ ରୂପ ନେଇଛି। ଶୁକ୍ରବାର ସକାଳ ଯାଏ ଏହା ଓଡ଼ିଶା ଉପରେ ରହିବ। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଭିତରକୁ ପ୍ରବେଶ କରିବ। ଏହାର ସମ୍ଭାବ୍ୟ ଗତିପଥରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡ଼ା ରହୁଛି। ଶୁକ୍ରବାର ଦିନ ସାଢ଼େ ୧୧ଟାବେଳକୁ ଛତିଶଗଡ଼ ଭିତରକୁ ପଳାଇଥିବ। ସେତେବେଳକୁ ଏହା ଗଭୀର ଅବପାତ ତୀବ୍ରତାରୁ କମି ଅବପାତ ଅବସ୍ଥାକୁ ଆସି ଯାଇଥିବ।

ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛି, ଗଭୀର ଅବପାତ ଛତିଶଗଡ଼ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାରଠାରୁ ବର୍ଷା ପରିମାଣ ଧୀରେଧୀରେ କମିପାରେ। ତଥାପି ପଶ୍ଚିମର କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ଆଶଙ୍କା ରହିଛି। ଗୁରୁବାର ଓ ଶୁକ୍ରବାର ଦକ୍ଷିଣ ଓ ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଇନ୍ଦ୍ରାବତୀ, କୋଲାବରେ ଜଳସ୍ତର ବଢ଼ିପାରେ। ବୋଲି ସେ କହିଛନ୍ତି ।