News7 Logo

ରାହୁଲଙ୍କ ସୁରକ୍ଷା ଚିନ୍ତା; ବାରମ୍ବାର ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରୁଛନ୍ତି କଂଗ୍ରେସ ନେତା

NEWS7
rahul gandhi

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ସୁରକ୍ଷା ପ୍ରୋଟୋକଲ୍ ର ଉଲ୍ଲଂଘନ କରୁଛନ୍ତି । ଏବେ ତାଙ୍କ ବିରୋଧରେ ସିଆରପିଏଫ ଡିଜି ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ପତ୍ର ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି, ସୁରକ୍ଷା ସଂପର୍କିତ ନିୟମାବଳୀ ମାନୁନାହାନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଭିଆଇପି ସୁରକ୍ଷା ବର୍ଗରେ ଆସୁଛନ୍ତି । ହେଲେ ସେ ପ୍ରୋଟୋକଲ୍ ଉଲ୍ଲଂଘନ କରି ସୁରକ୍ଷା ଅଧିକାରୀଙ୍କୁ ଚିନ୍ତାରେ ପକାଇଛନ୍ତି । ସେ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଉ ନାହାନ୍ତି ବୋଲି ଜଣାପଡ଼ିଛି ।

ସିଆରପିଏଫ୍ ଡିଜି (ସୁରକ୍ଷା) ସୁନୀଲ ଜୁନ ଏନେଇ ସେପ୍ଟେମ୍ବର ୧୦ରେ ଏହି ଚିଠି ଲେଖିଛନ୍ତି । ଏହି ଚିଠିରେ, ସେ ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ପ୍ରୋଟୋକଲ୍ ପାଳନ ନକରିବା ଅଭିଯୋଗ କରିଛନ୍ତି । ସୁନୀଲ ଜୁନ୍ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ତାଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଉନାହାନ୍ତି । ରାହୁଲ ଗାନ୍ଧୀଙ୍କୁ ଏଏସଏଲ ସହିତ Z+ ସୁରକ୍ଷା ଦିଆଯାଏ । ସେପଟେ ରାହୁଲ ଗାନ୍ଧୀ CRPF ସୁରକ୍ଷାର ୟେଲୋ ବୁକ୍ ପ୍ରୋଟୋକଲ୍ ଉଲ୍ଲଂଘନ କରୁଛନ୍ତି ଏବଂ ବିନା ସୂଚନାରେ ବିଦେଶ ଗସ୍ତରେ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ଜେଡ୍ ପ୍ଲସ୍ ସୁରକ୍ଷାରେ ଥିବା ବ୍ୟକ୍ତି ବିଦେଶ ଗସ୍ତରେ ଯିବାର ୧୫ ଦିନ ପୂର୍ବରୁ ସେମାନଙ୍କର ସୁରକ୍ଷା ସଂସ୍ଥାକୁ ଜଣାଇବା ନିୟମ ରହିଛି । କିନ୍ତୁ ରାହୁଲ ଗାନ୍ଧୀ ଏପରି କରୁନାହାନ୍ତି । ରାହୁଲ ଗାନ୍ଧୀଙ୍କୁ ଭିଭିଆଇପି ସୁରକ୍ଷା ଦିଆଯାଉଥିବା ବେଳେ ସେ ଏହାର ନିୟମ ମାନୁନାହାନ୍ତି । ସେ ପ୍ରୋଟୋକଲ ପାଳନ କରୁ ନାହାନ୍ତି । ସିଆରପିଏଫର ସୂଚନା ଅନୁଯାୟୀ, ଗତ ୯ ମାସ ମଧ୍ୟରେ ରାହୁଲ ଗାନ୍ଧୀ ୬ ଥର ସୁରକ୍ଷା ଉଲ୍ଲଂଘନ କରି ବିଦେଶ ଗସ୍ତ କରିଛନ୍ତି । ଏ ସଂପର୍କରେ ସେ ସୁରକ୍ଷା ଏଜେନ୍ସିକୁ ବି ସୂଚନା ଦେଇ ନାହାନ୍ତି । ଫଳରେ ସୁରକ୍ଷା ଏଜେନ୍ସିକୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଗତ ୯ ମାସ ମଧ୍ୟରେ ପ୍ରୋଟୋକଲ୍ ଭାଙ୍ଗି  ରାହୁଲଙ୍କ ବିଦେଶ ଗସ୍ତ -

ପ୍ରଥମ, ୩୦ ଡିସେମ୍ବର ୨୦୨୪ ରୁ  ୯ ଜାନୁଆରୀ ପର୍ଯ୍ୟନ୍ତ ଇଟାଲୀ ଗସ୍ତ ।

ଦ୍ଵିତୀୟ, ୧୨ ମାର୍ଚ୍ଚରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଭିଏତନାମ ଗସ୍ତ ।

ତୃତୀୟ, ୧୭ରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଦୁବାଇ ଗସ୍ତ ।

ଚତୁର୍ଥ, ୧୧ରୁ ୧୮ ଜୁନ ପର୍ଯ୍ୟନ୍ତ କତାରର ଦୋହା ଗସ୍ତ ।

ପଞ୍ଚମ, ୨୫ ଜୁନରୁ ୬ ଜୁଲାଇ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତ ।

ଷଷ୍ଠ, ୪ ରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଲେସିଆ ଗସ୍ତ ।

ସିଆରପିଏଫ୍ ପକ୍ଷରୁ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଛି । ଭବିଷ୍ୟତରେ ସୁରକ୍ଷା ପ୍ରୋଟୋକଲକୁ ମାନିବାକୁ ରାହୁଲଙ୍କୁ ଅପିଲ୍ କରିଛି ସିଆରପିଏଫ ।