ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶୁକ୍ରବାର ପଶ୍ଚିମ ଏସିୟା ସଂକଟ ମଧ୍ୟରେ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦାୟି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଦୋଷ ଲାଗି ଜନତା ଦଣ୍ଡ ଭୋଗୁଛନ୍ତି। ଏ ନେଇ ରାହୁଲ ଗାନ୍ଧି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ଓ କାବ୍ୟିକ ଶୈଳୀରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ‘ଅସୁଲି’ ବୋଲି କହିଛନ୍ତି।

କଂଗ୍ରେସର ଆଭିମୁଖ୍ୟ
ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି ଯେ ୩ ଟଙ୍କା ବଢି ସାରିଲାଣି ବାକି କିସ୍ତିରେ ଅସୁଲ କରାଯିବ। ସେହିପରି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ ଇନ୍ଧନ ସଂକଟ ସହିତ ଭାରତରେ ଆର୍ଥିକ ସଂକଟର ମୁଖ୍ୟ କାରଣ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ। ସେ କହିଛନ୍ତି ଯେ ଏହି ସଂକଟ ମୋଦି ସରକାରଙ୍କ ଉପଜ। ଏଣୁ ଏହାର ଦଣ୍ଡ ଜନତା ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସରେ ପୈଠ କରୁଛନ୍ତି।

କଂଗ୍ରେସର ଦାବି
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ ଥିଲା ସେତେବେଳେ ମୋଦି ସରକାର ଜନତାଙ୍କୁ ମୂଲ୍ୟରେ ଆଶ୍ୱସ୍ତି ଦେବା ବଦଳେ ସେମାନଙ୍କଠାରୁ ଅସୁଲି କଲେ। ଏବେ ମୂଲ୍ୟ ବୃଦ୍ଧି ବେଳେ ଦର ବଢାଉଛନ୍ତି। ସେ କହିଛନ୍ତି ଯେ ସରକାରୀ ତୈଳ କମ୍ପାନୀମାନେ ୪ ବର୍ଷରେ ଲିଠର ପିଛା ୩ ଟଙ୍କା ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବାରମ୍ବାର କମି ଥିଲେ ବି ଭାରତୀୟ ତୈଳ ଗ୍ରାହକଙ୍କୁଏହାର ଲାଭ ମିଳି ନଥିଲା।