News7 Logo

Punjab floods: ପୀଡ଼ିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଡଙ୍ଗା ପଠାଇଲେ ସଲମାନ ଖାନ୍: ପ୍ରଭାବିତ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବେ

NEWS7
Punjab floods: Salman's Being Human foundation sends boats, to adopt villages

ନୂଆଦିଲ୍ଲୀ: ପଞ୍ଜାବରେ ଭୟଙ୍କର ବନ୍ୟା ପରିସ୍ଥିତିରେ ଏକାଧିକ ବଲିଉଡ୍ ଅଭିନେତା ସହଯୋଗରେ ହାତ ବଢ଼ାଇଛନ୍ତି। ଅନ୍ୟପଟେ ସଂକଟରେ ସବୁବେଳେ ସହଯୋଗର ହାତ ବଢ଼ାଉଥିବା ସଲମାନ ଖାନ ମଧ୍ୟ ପଞ୍ଜାବକୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ସଂସ୍ଥା ବିଂ ହ୍ୟୁମାନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଆହୁରି ସୁଦୃଢ଼ ​​କରିବା ପାଇଁ ୫ ଟି ଡଙ୍ଗା ପଠାଇଛି। ଏହି ଡଙ୍ଗାଗୁଡ଼ିକ ମଧ୍ୟରୁ ତିନୋଟି ଡଙ୍ଗା ଫସି ରହିଥିବା ବାସିନ୍ଦାଙ୍କୁ ଉଦ୍ଧାର କରିବା, ଖାଦ୍ୟ ଯୋଗାଇବା ଏବଂ ସ୍ୱେଚ୍ଛାସେବକମାନଙ୍କୁ ସହାୟତା କରିବାରେ ନିୟୋଜିତ ହୋଇଛି। ବାକି ଦୁଇଟି ଡଙ୍ଗାକୁ ଫିରୋଜପୁର ସୀମାରେ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଥିଲା।

ସଲମାନ ଖାନ କେବଳ ଡଙ୍ଗା ପଠାଇ ନିଜର କର୍ତ୍ତବ୍ୟ ଦେଖାଇ ନାହାନ୍ତି ବରଂ ବନ୍ୟାପୀଡ଼ିତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବେ।  ହୁସେନିୱାଲା ନିକଟସ୍ଥ ବନ୍ୟା ପ୍ରଭାବିତ ସୀମାନ୍ତ ଗ୍ରାମଗୁଡ଼ିକୁ ଫାଉଣ୍ଡେସନର ପୋଷ୍ୟ ଗାଁ ଭାବେ ଗ୍ରହଣ କରିବ ବୋଲି ପଞ୍ଜାବ ପର୍ଯ୍ୟଟନ ଅଧ୍ୟକ୍ଷ ଦୀପକ ବାଲି ସୂଚନା ଦେଇଛନ୍ତି।

ରବିବାର 'ବିଗ୍ ବସ୍ ୧୯'ରେ 'ୱିକେଣ୍ଡ୍ କା ବାର' ଏପିସୋଡ୍ ସମୟରେ ସଲମାନ ପଞ୍ଜାବରେ ଆସିଥିବା ବନ୍ୟା ଉପରେ ଆଲୋଚନା କରିଥିଲେ। ଶୋ'ରେ ଭାଷଣ ଦେଇ ସେ ଉଲ୍ଲେଖ କରିଥିଲେ, "ଆମେ ଯଥାସମ୍ଭବ ସହଯୋଗ କରୁଛୁ। ଆମେ ରିଲିଫ୍ ପାଣ୍ଠିକୁ ଦାନ କରିଛୁ। ପଞ୍ଜାବର ପ୍ରସିଦ୍ଧ ଗାୟକମାନେ ମଧ୍ୟ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତାକୁ ପାଶୋରି ରଖି ଯଥାସମ୍ଭବ ସାହାଯ୍ୟ କରୁଛନ୍ତି।"

ହିନ୍ଦୀ ଏବଂ ପଞ୍ଜାବୀ ଚଳଚ୍ଚିତ୍ର ଜଗତର ଅନେକ ସେଲିବ୍ରିଟି ରାଜ୍ୟବାସୀଙ୍କର ଏଭଳି ଦୁଃସ୍ଥିତିରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ହାସ୍ୟ ଅଭିନେତା- କପିଲ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ପଞ୍ଜାବର ପରିସ୍ଥିତି ଉପରେ ଦୁଃଖ ପ୍ରକାଶ କରିଛନ୍ତି। "ବନ୍ୟା ଯୋଗୁ ମୋର ପଞ୍ଜାବ କଷ୍ଟ ଭୋଗୁଥିବା ଦେଖି ହୃଦୟ ଭାଙ୍ଗିପଡୁଛି। ମୋର ପ୍ରାର୍ଥନା ପ୍ରଭାବିତ ସମସ୍ତ ପରିବାର ସହିତ ଅଛି। ଆମେ ସର୍ବଦା କଠିନ ସମୟରେ ଏକାଠି ଛିଡ଼ା ହୋଇଛୁ, ଏବଂ ମୁଁ ନିଶ୍ଚିତ ଯେ ଭଲପାଇବା ଏବଂ ସମର୍ଥନ ସହିତ ଆମେ ଏହି ସମୟକୁ ପାର୍ କରିଯିବୁ। ଦୃଢ଼ ରୁହନ୍ତୁ, ଆମେ ଆପଣଙ୍କ ସହିତ ଅଛୁ "

ପଞ୍ଜାବରୁ ଆସୁଥିବା ଅଭିନେତା ସୋନୁ ସୁଦ କହିଛନ୍ତି ମଧ୍ୟ  ସୋସିଆଲ୍ ମିଡିଆରେ ପୋଷ୍ଟ  କରି ଦୁଃଖ ପ୍ରକାଶ କରିଛନ୍ତି। "ପଞ୍ଜାବ ମୋର ଆତ୍ମା, ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ପ୍ରତ୍ୟେକ ପରିବାର ସେମାନଙ୍କର ଗୃହପାଳିତ ପଶୁକୁ ଯେମିତି ଫେରିପାରିବେ ତାହା ସୁନିଶ୍ଚିତ କରିବାରୁ ପଡ଼ିବ। ଏହା କେବଳ କ୍ଷତିପୂରଣ ନୁହେଁ; ଏହା ମର୍ଯ୍ୟାଦା ଏବଂ ବଞ୍ଚିବାର ପୁନରୁଦ୍ଧାର କଥା।"

ସ୍ଥାନୀୟ କଳାକାର ଏବଂ ଅଭିନେତାମାନେ ମଧ୍ୟ ସେମାନଙ୍କର ସହାୟତା ପ୍ରଦାନ କରିବାକୁ ହାତ ମିଳାଇଛନ୍ତି। ପଞ୍ଜାବୀ ଗାୟକ ଇନ୍ଦ୍ରଜିତ ସିଂହ ନିକ୍କୁ କହିଛନ୍ତି, "ଆମେ ଗାୟକ, ଆମେ ଚାହୁଁଛୁ ଯେ ଲୋକମାନେ ଯେଉଁଠାରେ ସାହାଯ୍ୟ କମ୍ ଥିଲା ଏବଂ ପ୍ରଶାସନ ପହଞ୍ଚି ନଥିଲା ସେହି ସ୍ଥାନଗୁଡ଼ିକରେ ପ୍ରୋତ୍ସାହନ ଦିଅନ୍ତୁ ଏବଂ ସାହାଯ୍ୟ କରନ୍ତୁ, ଆମେ ପହଞ୍ଚି ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ, ଆମ ପାଖରେ ମଶାରୀ, ତାରପୋଲିନ୍ ଏବଂ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଅଛି।" ଏହା ପୂର୍ବରୁ ବଲିଉଡ୍ ଅଭିନେତ ଅକ୍ଷୟ କୁମାର ମଧ୍ୟ ପଞ୍ଜାବ ପାଇଁ ୫ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ।

ପଞ୍ଜାବକୁ ସହଯୋଗର ପ୍ରୟାସ କେବଳ ଆର୍ଥିକ ଦାନ ପର୍ଯ୍ୟନ୍ତ ସୀମିତ ରହି ନାହିଁ। ଉଜୁଡ଼ି ଯାଇଥିବା ଗ୍ରାମଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବା ଭଳି କାର୍ଯ୍ୟ ବି ଅଭିନେତା ଅଭିନେତ୍ରୀମାନେ ଜାରି ରଖିଛନ୍ତି। ରିଲିଫ୍ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଥିବା ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ଗୁରଦାସ ମାନ, ଦିଲଜିତ୍ ଦୋସାଞ୍ଜ ଏବଂ ଆମ୍ମି ଭିର୍କ ପ୍ରମୁଖ। ଏମାନେ କାର୍ଯ୍ୟ ଗ୍ରାମଗୁଡିକୁ ପୋଷ୍ୟ ଭାବରେ ଗ୍ରହଣ କରିବା, ଚିକିତ୍ସା ସାମଗ୍ରୀ ଯୋଗାଇବା ଏବଂ ଚାଲୁଥିବା ରିଲିଫ୍ କାର୍ଯ୍ୟ ପାଇଁ ଲଜିଷ୍ଟିକ୍ସ ଆୟୋଜନ କରିବା ଭଳି କାର୍ଯ୍ୟ ଜାରି ରଖିଛନ୍ତି। କରଣ ଆଉଜଲା ଏବଂ ଗିପ୍ପି ଗ୍ରେୱାଲ ମୋଟରବୋଟ୍ ବ୍ୟବସ୍ଥା କରିବା ଏବଂ ଗୋରୁମାନଙ୍କ ପାଇଁ ଖାଦ୍ୟ  ଓ ଚାରା ବଣ୍ଟନ କରିବା କାର୍ଯ୍ୟ ଜାରି ରଖିଛନ୍ତି।