ରେଗା ୭।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ଏବେ ବେଶ ଉଷ୍ମ। ନିର୍ବାଚନ ରାଲି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ବୟାନ ଏବେ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ରେଗାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭା ମଞ୍ଚରୁ ପ୍ରିୟଙ୍କା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଓ ଅନ୍ୟ ଅଧିକାରୀମାନଙ୍କ ଉପରେ ବର୍ଷିଛନ୍ତି।  ଏଥିରେ ସେ ନିର୍ବାଚନ କମିଶନର ଓ ତାଙ୍କ ଅଧିନସ୍ଥ ଅଧିକାରୀଙ୍କ ଉପରେ ଗୁରୁତର ଆରୋପ ଲଗାଇଛନ୍ତି। ପ୍ରିୟଙ୍କା ଏପରି ସମୟରେ ଏହି ଆରୋପ ଲଗାଇଛନ୍ତି ଯେତେବେଳେ ରାଜ୍ୟ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଡକୁ ମୁହାଁଉଛି।

ପ୍ରିୟଙ୍କା ଗାନ୍ଧି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ କାମ ନ କରନ୍ତି ତେବେ ଜନତା ଏପରି ଅଧିକାରୀଙ୍କୁ କେବେ କ୍ଷମା କରିବେ ନାହିଁ । ଏଥିରେ ସେ ଚେତାବନୀ ଦେଇ କହିଛନ୍ତି ଜ୍ଞାନେଶ କୁମାର ଯଦି ଆପଣ ଭାବୁଥାନ୍ତି ଶାନ୍ତିରେ ଆପଣଙ୍କ ରିଟାୟରମେଣ୍ଟ ହୋଇଯିବେ, ତେବେ ଆପଣଙ୍କ ଏପରି ଭାବନା ଭୁଲ। ଏପରି ହେବ ନାହିଁ ଏଣୁ ଜନତାଙ୍କୁ ସେ ଜ୍ଞାନେଶ କୁମାରଙ୍କ ନାମ ମନେ ରଖିବା ପାଇଁ କହିଥିବା ବେଳେ ତାଙ୍କ ଅଧିନସ୍ଥ ଦୁଇ ଅଧିକାରୀ ଏସ.ଏସ. ସନ୍ଧୁ ଓ ବିବେକ ଯୋଶୀଙ୍କ ନାମ ଭୁଲିବେନି ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି ଜ୍ଞାନେଶ କୁମାର,ଏସ.ଏସ. ସନ୍ଧୁ ଓ ବିବେକ ଯୋଶୀ ନିର୍ବାଚନ ଆୟୋଗଙ୍କ ବରିଷ୍ଠତମ ଅଧିକାରୀ। ଏମାନେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସହିତ ଖେଳୁଛନ୍ତି। ଏହି ୩ ଜଣ ଆପଣଙ୍କ ଅଧିକାର ଛଡଉଛନ୍ତି। ସେମାନଙ୍କ ନାମ ମନେ ରଖନ୍ତୁ। ସେମାନଙ୍କୁ ପଦ ଓ ଆୟୋଗ ପଛରେ ଲୁଚିବାକୁ ଦିଅନ୍ତୁନି, ଯେଉଁମାନେ ଦେଶ ସହିତ ବିଶ୍ୱାସଘାତ କରୁଛନ୍ତି। ପ୍ରିୟଙ୍କା ଗାନ୍ଧି ତାଙ୍କ ଭାଷଣରେ ନିର୍ବାଚନ ପ୍ରକ୍ରିୟାରେ କଥିତ ଅନିୟମିତତା କଥା ଉଲ୍ଲେଖ କରି ହରିୟାଣା ଭଳି ବିହାରରେ ମଧ୍ୟ ଭୋଟ ସହିତ ଖେଳ ଖେଳା ଯାଉଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ଜନତାଙ୍କୁ ଧୋକା ଦେବାକୁ କୌଣସି ଉଦ୍ୟମ ଏବେ ସଫଳ ହେବ ନାହିଁ। ପ୍ରିୟଙ୍କା ଏହା ବି କହିଛନ୍ତି ଯେ ଯଦି ନିର୍ବାଚନ ଅଧିକାରୀ ଭାବୁଥାନ୍ତି ସେମାନଙ୍କ ଭୁଲ କାମ ଉପରେ ପର୍ଦ୍ଦା ପକାଇ ଦିଆଯିବ, ତେବେ ଏହା ଭୁଲ। କାରଣ ଦେଶର ଜନତା ସବୁ ଦେଖୁଛନ୍ତି। ତେବେ ପ୍ରିୟଙ୍କା ଗାନ୍ଧିଙ୍କ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ପାଖାପାଖି ୨୫ ଲକ୍ଷ ନକଲୀ ଭୋଟ ଉପଯୋଗ କରି ଫଳାଫଳକୁ ପ୍ରଭାବିତ କରାଯାଇଥିଲା।

ତେବେ ପ୍ରିୟଙ୍କା ଗାନ୍ଧିଙ୍କ ଭାଷଣ ପରେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେପି ଓ ଏନଡିଏ ନେତାମାନେ ଏହାକୁ ଗଣତନ୍ତ୍ରିକ ସଂସ୍ଥାଙ୍କ ଉପରେ ସିଧା ଆକ୍ରମଣ ବୋଲି କହିଛନ୍ତି। ନିର୍ବାଚନ ପ୍ରକ୍ରିୟା କାଳରେ କୌଣସି ନେତା ନିର୍ବାଚନ ଆୟୋଗଙ୍କ ଅଧିକାରୀଙ୍କୁ ଧମକାଇବାର ଅଧିକାର ଅଛିକି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ବିବାଦରେ ଅଭିବ୍ୟକ୍ତିର ସୀମାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।    

ଏଥର ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ଲାଗି ଭୋଟଗ୍ରହଣ ହୋଇସାରିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ବେଳେ ଏହା ୧୨୨ ସିଟ୍ ଲାଗି ହେବ। ନଭେମ୍ବର ୧୪ ତାରିଖରେ ଭୋଟ ଗଣନା ହେବ। ଏହି ନିର୍ବାଚନରେ ତେଜସ୍ୱୀ ଯାଦବ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପିର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱୀତା ହେଉଛି।