କଟକ ୨୭/୧୧: ଡିସେମ୍ବର ପହିଲାରୁ ହେବନି ବସ୍‌ ଧର୍ମଘଟ  । ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ଡାକରା ସ୍ଥଗିତ ରଖିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଏ ସଂପର୍କରେ ସୂଚନା ଦେଇଛନ୍ତି ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର କୁମାର ସାହୁ । କିଛି ଦିନ ତଳେ ଯାନବାହନ ଚେକିଂ ପାଇଁ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ଦେବାକୁ ଘୋଷଣା କରିଥିଲେ ସରକାର । ଯାହାକୁ ଦୃଢ ବିରୋଧ କରିଥିଲା ବସ୍‌ ମାଲିକ ସଂଘ । ନିଷ୍ପତ୍ତିର ପୁଣିଥରେ ବିଚାର ନହେଲେ ଏହି ବ୍ୟବସ୍ଥା ଲାଗୁ ହେବା ଦିନ ଠାରୁ ପ୍ରତିବାଦ ସ୍ବରୂପ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଚେତାବନୀ ଦେଇଥିଲା ସଂଘ ।

​​​​​​​

ତେବେ ତ୍ବରିତ ପଦକ୍ଷେପ  ଭାବରେ ଏକ ପ୍ରତିନିଧି ମଣ୍ଡଳୀ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଅବଗତ କରାଇବା ସହ ଆଲୋଚନା କରିଥିଲେ । । ପ୍ରତିନିଧି ମଣ୍ଡଳୀରେ ସଂଘର ସଭାପତି ଲୋକନାଥ ପାଣି, ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ଓ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ । ଉଭୟ ପକ୍ଷ ଆଲୋଚନା ପରେ ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ  ନ ହେବା ନେଇ ପ୍ରତିଶ୍ରୁତି ଦେଇଥିଲା ପରିବହନ ବିଭାଗ । ଏହା ପରେ ଡିସେମ୍ବର ୧ରୁ ହେବାକୁ ଥିବା ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି ।  ବସ୍‌ ମାଲିକ ସଂଘର ଏପରି ନିଷ୍ପତ୍ତି ପରେ ଯାତ୍ରୀ ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି ।