ଛତ୍ରପୁର: ନା ଥିଲା ଫିଟନେସ୍, ନା ବନ୍ଧା ଯାଇଥିଲା ଟ୍ୟାକ୍ସ । ପଲ୍ୟୁସନ୍ ସାର୍ଟିଫିକେଟ୍ ନ ଥିଲା, ଡ୍ରାଇଭରଙ୍କ ପାଖରେ ଡିଏଲ୍ ବି ନ ଥିଲା । କିଛି ନ ଥିଲା...ତଥାପି ଗଡ଼ୁଥିଲା ଗାଡ଼ି । ଗଞ୍ଜାମରେ ସୁରକ୍ଷିତ ବସ୍ ଯାତ୍ରା କେବଳ ଭଗବାନଙ୍କ ଭରସାରେ ! ଅନେକ ବର୍ଷ ଫାଙ୍କି ମାରିବା ପରେ ଶେଷରେ ପରିବହନ ବିଭାଗର ନଜରରେ ପଡ଼ିଲା ।

ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କାର ମୋଟା ଜରିମାନା କରାଯାଇଛି । ମିଳିଥିବା ସୂଚନା ମୁତାବକ, ବ୍ରହ୍ମପୁରରୁ ଛତ୍ରପୁର ଆଡ଼କୁ ଆସୁଥିବା 'ଜୟଶ୍ରୀ' ନାମକ ଏକ ଘରୋଇ ବସ୍ (ନଂ: ଓଡି ୧୯ ଆର୍ ୪୫୯୭)କୁ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରାଫିକ୍ ପୋଲିସ୍ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଗାଡ଼ିଟିର ଗତ ୨୦୨୩ ମସିହାରୁ (ପ୍ରାୟ ୩ ବର୍ଷ ହେବ) କୌଣସି ରୋଡ଼ ଟ୍ୟାକ୍ସ ବନ୍ଧା ଯାଇନି । ଏହାସହ ଗାଡ଼ିର ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର, ଇନ୍ସୁରାନ୍ସ ଏବଂ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନଥିଲା ।

ଗାଡ଼ି ମାଲିକ ସନ୍ତୋଷ କୁମାର ସାହୁଙ୍କ ନାମରେ ଏହି ଚାଲାଣ କାଟିଛି ପରିବହନ ବିଭାଗ । ରୋଡ଼ ଟ୍ୟାକ୍ସ ବାବଦକୁ ୮,୦୫,୧୬୩ ଟଙ୍କା, ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ୧୦,୦୦୦ ଟଙ୍କା,ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫,୦୦୦ ଟଙ୍କା, ରେଜିଷ୍ଟ୍ରେସନ୍/ଫିଟନେସ୍ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଲଗାଯାଇଛି । ମୋଟେ ଉପରେ ଗାଡ଼ି ଉପରେ ୮,୪୦,୧୬୩ ଟଙ୍କା ଜରିମାନା ଲଗାଯାଇଛି ।

ନିୟମ ଉଲ୍ଲଂଘନ କରିଥିବାରୁ ବସଟିକୁ ଜବତ କରାଯାଇ ଅଗସ୍ତି ନୂଆଗାଁ ସ୍ଥିତ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟରରେ ରଖାଯାଇଛି । ସମ୍ପୂର୍ଣ୍ଣ ଜରିମାନା ଅର୍ଥ ପୈଠ କରିବା ପରେ ହିଁ ଗାଡ଼ିଟିକୁ ଛଡ଼ାଯିବ ବୋଲି ଟ୍ରାଫିକ୍ ଇନ୍ସପେକ୍ଟର ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି ।