ଚୀନ : ଜେଲ ଯିବା ଭୟରେ ଲୋକେ ବିଭିନ୍ନ ଉପାୟ ଆପଣାନ୍ତି । କିନ୍ତୁ ଚୀନର ଜଣେ ବ୍ୟକ୍ତି ଯାହା କରିଛନ୍ତି, ତାହା ଦେଖି ପୁଲିସ ବି ଚକିତ । ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲାରେ ଦଣ୍ଡରୁ ରକ୍ଷା ପାଇବା ପାଇଁ ସେ ନିଜ ମୃତ୍ୟୁର ନାଟକ କରିବାକୁ ପଛାଇନାହାନ୍ତି । ପ୍ରଥମେ ନିଜ ପାଇଁ କବର କିଣିଲେ, ଘରେ ଔଷଧର ଖାଲି ବୋତଲ ବିଛାଇଦେଲେ। ତା'ପରେ ପରିବାର ଲୋକଙ୍କ ସାହାଯ୍ୟରେ ନିଜର ଅନ୍ତିମ ସଂସ୍କାର କରାଇଲେ । କିନ୍ତୁ କିଛି ଛୋଟ ଛୋଟ ଭୁଲ ତାଙ୍କ ଯୋଜନାକୁ ପଣ୍ଡ କରିଦେଲା । 

ରିପୋର୍ଟ ଅନୁସାରେ, ଏହି ମାମଲା ଚୀନ୍ର ହେନାନ ପ୍ରାନ୍ତର ଆନୟାଙ୍ଗ ସହରର । ସ୍ଥାନୀୟ ସି ନାମକ ବ୍ୟକ୍ତିଙ୍କୁ ଗତ ବର୍ଷ ଜାନୁଆରୀରେ ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ଯାଞ୍ଚରୁ ପୁଲିସ ଜାଣିବାକୁ ପାଇଲା, ପୂର୍ବରୁ ସେ ଦୁଇ ଥର ଲାଇସେନ୍ସ ବିନା ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ବେଳେ ଧରାପଡ଼ି ପଡ଼ିଥିଲେ। ଚୀନ୍ର ନିୟମ ଅନୁସାରେ, ମଦ୍ୟପାନ କରି ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବା ସହ ୬ ମାସ ଯାଏ ଜେଲଦଣ୍ଡ ଓ ଜରିମାନା ବି ହୋଇପାରେ। ସି' ଙ୍କ ଭୟ ଥିଲା, ଜେଲଦଣ୍ଡ ହେଲେ ଋଣଭାର ଓ ପୁରୁଣା ମାମଲାରେ ଘଣ୍ଟି ହୋଇ ତାଙ୍କ ଜୀବନ ନଷ୍ଟ ହୋଇଯିବ। ସେଥିପାଇଁ ସେ ନିଜକୁ ମୃତ ପ୍ରମାଣିତ କରିବାକୁ ଯୋଜନା କଲେ । ମାତ୍ରାଧିକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଦର୍ଶାଇ ନିଜକୁ ମୃତ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ । ଅଧିକ ଔଷଧ ଯୋଗୁ ଚେହେରା ବିଗିଡ଼ି ଯାଇ ଥିବାର ବାହାନା କରି ତାଙ୍କୁ ଚାଦରରେ ଢାଙ୍କି କବର ଦେଇଥିଲେ ପରିବାର ସଦସ୍ୟ । ପୁଲିସ ସେଠାରେ ପହଞ୍ଚିବା ବେଳକୁ ତାଙ୍କୁ ସମାଧି ଦିଆସରିଥିଲା, ସେଥିପାଇଁ ମୃତକଙ୍କ ଯାଞ୍ଚ ହୋଇପାରିଲା ନାହିଁ ।

ଅନ୍ୟପଟେ ସି' ଚୁପଚାପ ଲୁଚି ଦକ୍ଷିଣ-ପଶ୍ଚିମ ଚୀନ ୟୁନାନ ପ୍ରାନ୍ତ ଚାଲିଗଲେ । ସେଠାରେ ନୂଆ ପରିଚୟ ସହିତ କାମ ଖୋଜିବା ଆରମ୍ଭ କଲେ। କିନ୍ତୁ ପୁଲିସକୁ ମାମଲା ଗଡ଼ବଡ଼ ଲାଗିଲା । ମୃତ୍ୟୁ ପୂର୍ବରୁ ସି ନିଜର କବର କିଣିସାରିଥିବା ଜଣାପଡ଼ିଲା। ସ୍ବାସ୍ଥ୍ୟ ବିଗିଡ଼ିବା ସତ୍ତ୍ୱେ ତାଙ୍କୁ ହସ୍ପିଟାଲ ନିଆଯାଇନଥିଲା। ହସ୍ପିଟାଲରୁ ତାଙ୍କୁ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳିନଥିଲା । ସରକାରୀ ଦସ୍ତାବିଜରେ ମଧ୍ୟ ମୃତ୍ୟୁ ରେକର୍ଡ କରାଯାଇନଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିନଥିବା କହିଲେ। ଏହା ପରେ ସିସିଟିଭି, ଓ ଫୋନ୍ ରେକର୍ଡ ଯାଞ୍ଚରୁ ଜଣାପଡ଼ିଲା ସେ ଜୀବିତ ଏବଂ ଫେରାର ଅଛନ୍ତି । ଶେଷରେ ୟୁନାନରୁ ତାଙ୍କୁ ଗିରଫ କଲା ପୋଲିସ । କୋର୍ଟ ତାଙ୍କୁ ୫ ମାସ ଜେଲଦଣ୍ଡ ଓ ୨ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସି'ଙ୍କ ମା' ଓ ଜେଜେମା'ଙ୍କ ବିରୋଧରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।