କଟକ: ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ପ୍ରସଙ୍ଗ । ମୁହଁ ଖୋଲିଲେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ପିତା ପ୍ରଭାତ ବିଶ୍ବାଳ । ସେ କହିଛନ୍ତି ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇନାହାଁନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ମତେ ନବୀନ ନିବାସରେ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ । ସଵୁ ବିଧାୟକଙ୍କ ସାମ୍ନାରେ ମତେ ଅପମାନିତ କରାଗଲା ।

ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ । ମୋର ଓ ପୁଅର ରାଜନୈତିକ ଭବିଷ୍ୟତ ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ । ସେ ଆହୁରି କହିଛନ୍ତି ଯେ, ସଂତୃପ୍ତ ମିଶ୍ର ଟ୍ରଷ୍ଟ ସମ୍ପର୍କରେ ମିଛ କହିଥିଲେ । ଆହୁରି ବି ନବୀନଙ୍କ ଟ୍ରଷ୍ଟ ଗଠନକୁ ସେ ସ୍ୱୀକାର ସମ୍ପର୍କରେ ସ୍ବୀକାର କରିଛନ୍ତି । ଦଳ ପାଇଁ କେତେ ରାତି ଅନିଦ୍ରା ହୋଇଛି ତାହା ନବୀନ ଜାଣନ୍ତି । ଏବେ ନବୀନ ବାବୁ ସେ ସବୁ ପାଶୋରୀ ଦେଲେଣି ।

also read...କ୍ରସ ଭୋଟିଂର ଉତ୍ତର ରଖିଲେ ୬ ବିଜେଡି ବିଧାୟକ, ପ୍ରମିଳା କହିଲେ- ଆଇନ କ'ଣ ଏକା ସେମାନଙ୍କ ପାଇଁ ?

କ୍ରସ ଭୋଟିଂ କରିଥିଲେ ବିଧାୟକ:

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ ବିଜେଡିର କିଛି ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ଅଛନ୍ତି। ସେମାନେ ଦଳର ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହାନ୍ତି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସେମାନେ ଭୋଟ୍ ଦେଇଥିଲେ ବିଜେଡିର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଦଳୀୟ ସ୍ୱୀକୃତିପ୍ରାପ୍ତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହାନ୍ତି।

ସୌଭିକ ଖୋଲିଥିଲେ ମୁହଁ:

ମତ ସାବ୍ୟସ୍ତ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲିଥିଲେ ।  କହିଥିଲେ, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦ ଯାହାଙ୍କ ଉପରେ ରହିଛି, ମୋ ଭୋଟ୍ ମୁଁ ତାଙ୍କୁ ଦେଇଛି। ମୁଁ ସ୍ପଷ୍ଟ କରି କହିଦେଉଛି ଯେ ପ୍ରଭୁ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି, ଅନ୍ୟାୟ କରୁଥିବା ଲୋକ ଯେତିକି ପାପୀ ଅନ୍ୟାୟ ସହିବା ଲୋକ ବି ସେତିକି ପାପୀ। ଗତ ୨୯ ବର୍ଷ ଭିତରେ ଅନେକ ତ୍ୟାଗ ଓ ଅନେକ ବଳିଦାନ ଏବଂ କେତେ କ’ଣ ସହିଛନ୍ତି ମୋର ପୂଜ୍ୟ ପିତା ଡକ୍ଟର ପ୍ରଭାତ ବିଶ୍ୱାଳ। ମୁଁ ଭାବୁଛି ସେ ବିଷୟରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି।

ଭୋଟ୍ ମାଧ୍ୟମରେ ପ୍ରତିଶୋଧ ନେଲେ କି ବୋଲି ପଚରାଯିବାରେ ସୌଭିକ କହିଥିଲେ, ନିଶ୍ଚିତ ଭାବରେ। କାରଣ ଯେତେବେଳେ କୌଣସି ଏଜେନ୍ସୀ କାହା ଘରେ ରେଡ୍ କରେ, କେଉଁଠି ପୁଳ ପୁଳା ଟଙ୍କା ମିଳୁଛି ତ କେଉଁଠି ସୁନା, ହୀରା, ମୋତିମାଣିକ ବା ଜମି ମିଳୁଛି। କିନ୍ତୁ ଆମଠାରୁ କ’ଣ ମିଳିଛି ବୋଲି ଆଜି ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଗଲା ନାହିଁ। ପ୍ରତ୍ୟେକ ମୁହୂର୍ତ୍ତରେ ମୋର ପୂଜ୍ୟ ପିତା ଡକ୍ଟର ପ୍ରଭାତ ବିଶ୍ୱାଳଙ୍କର ପ୍ରମୁଖ ଭୂମିକା ରହିଥିଲା ବିଜୁ ଜନତା ଦଳରେ। ସେ ୧୮/ ୧୯ ଘଣ୍ଟା ପରିଶ୍ରମ କରୁଥିଲେ।

ଏମିତି କେହି ବି ନାହାନ୍ତି, ଯିଏ କହି ପାରିବେ ସେ ପ୍ରଭାତ ବିଶ୍ୱାଳଙ୍କ ପାଖକୁ ଯାଇଥିଲେ ଓ ସେ ତାଙ୍କୁ ନିରାଶ କରିଥିଲେ। ୧୯୯୭ରୁ ୨୦୨୬ ପର୍ଯ୍ୟନ୍ତ ଦଳ ପ୍ରତି ଅନେକ ପରିଶ୍ରମ, ଅନେକ ତ୍ୟାଗ ଓ ଅନେକ ବଳିଦାନ ରହିଛି ଡକ୍ଟର ପ୍ରଭାତ ବିଶ୍ୱାଳଙ୍କର। କିନ୍ତୁ ବିଜୁ ଜନତା ଦଳର କିଛି ନେତୃତ୍ୱ ସବୁବେଳେ ତାଙ୍କ ପ୍ରତି ଅସହିଷ୍ଣୃତା ପ୍ରକାଶ କରିଛନ୍ତି। ତାଙ୍କ ଚରିତ୍ରକୁ ସେମାନେ ସହିପାରିନାହାନ୍ତି। ଯେଉଁମାନେ ଚୋରି କରିବା ପାଇଁ ପସନ୍ଦ କରନ୍ତି ସେମାନେ ପ୍ରଭାତ ବିଶ୍ୱାଳ କ’ଣ ପାଇଁ ଚୋରି କରିପାରିବେ ନାହିଁ କହି ପ୍ରଭାତ ବିଶ୍ୱାଳଙ୍କୁ ଶତ୍ରୁ କରିଛନ୍ତି। ଯେଉଁମାନେ ମଦ୍ୟପ, ସେମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ। କାରଣ ପ୍ରଭାତ ବିଶ୍ୱାଳ ମଦ ପିଅନ୍ତି ନାହିଁ। ଦୁର୍ନୀତିଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଛନ୍ତି ଡକ୍ଟର ପ୍ରଭାତ ବିଶ୍ୱାଳ।

କଣ କହିଥିଲେ ବିଜେଡି ସୁପ୍ରିମୋ?

ସେପଟେ କ୍ରସ୍ ଭୋଟିଂ କଥା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ଦେଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ମୁଁ କିଛି ଦିନ ହେଲା କହି ଆସୁଛି ଯେ ବିଜେପି ଓ ତାଙ୍କ ସାଥୀମାନେ ଘୋଡ଼ା ବେପାର କରିବେ । ଆହୁରି ବି ସେ କହିଥିଲେ କ୍ରିମିନାଲ ରେକର୍ଡ ଥିବା ଲୋକ କ୍ରସ ଭୋଟିଂ କରିଥିଲେ । ଏବେ ରାଜନୀତି ହେବାରେ ଲାଗିଛି ତୀବ୍ର । 

​​​​​​​