କଟକ: ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ ତିନି ଲୁଟେରା। ୧୯ ତାରିଖ ବିଳମ୍ବିତ ରାତିରେ ତିନି ଜଣକୁ ଗିରଫ କରିଛି ମଧୁପାଟଣା ଥାନା । ପାଟ୍ରୋଲିଂ ବେଳେ ତାଳଦଣ୍ଡା କେନାଲ ରୋଡରେ ଏକ ବୋଲେରୋ ଗାଡ଼ି ନିକଟରେ ପାଞ୍ଚ ଜଣ ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖିଥିଲା ପୋଲିସ।

ତେବେ ପୋଲିସ ଗାଡ଼ି ନିକଟତର ହେବାରୁ ସେଠାରୁ ଦୁଇ ଜଣ ଫେରାର ହୋଇଯାଇଥିଲେ। ମାତ୍ର ପୋଲିସ ଅନ୍ୟ ତିନି ଜଣଙ୍କୁ କାବୁ କରି ବୋଲେରୋ ଯାଞ୍ଚ କରିବା ପରେ ଗାଡ଼ିରେ ନକଲି ନମ୍ବର ପ୍ଲେଟ ଲାଗିଥିବା ଜଣା ପଡ଼ିଥିଲା। ପରେ ଗାଡ଼ି ଭିତରେ ତନଖି କରିବାରୁ ଗୋଟିଏ ଖଣ୍ଡା, କଟୁରୀ, ଲୁହା ରଡ୍ ମଧ୍ୟ ମିଳିଥିଲା।

ପୋଲିସ ବୋଲେରୋ ଓ ଏକ ଆପାଚି ଗାଡ଼ିକୁ ଜବତ କରିଛି। ସେପଟେ ପଚରାଉଚରା ପରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିବା, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର କ୍ରିଷ୍ଣାନନ୍ଦପୁର ଅଞ୍ଚଳର ନୁର୍ ମହମ୍ମଦ,ସେକ୍ ଫୈଜଲ ହକ୍ ଓ ସେକ୍ ସାଜିତ୍ ଅଲ୍ଲୀ। ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା ଡିସିପି କହିଛନ୍ତି।