ନୂଆଦିଲ୍ଲୀ: ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ମତଦାନ ଅନୁଷ୍ଠିତ ହେଉଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଛନ୍ତି। ଭୋଟଦାନ ଆରମ୍ଭ ହେବା ପୂର୍ବରୁ ସମସ୍ତ ଏନଡିଏ ସାଂସଦ ସକାଳ ୯.୩୦ରେ ଏକ ବୈଠକରେ ଯୋଗ ଦେଇଥିଲେ।

ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଏବଂ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବେ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ତେବେ ମତଦାନରୁ ବିରତ ରହିଛି ବିଜେଡି।

ତେବେ ସଂଖ୍ୟା ଗଣିତରେ ଆଗରେ ରହିଛି NDA । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ ହିଁ ଭୋଟ୍ ଦେଇପାରିବେ । କ’ଣ କହୁଛି ନମ୍ବର ଗେମ୍ ? ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେ ୭୮୮ ସାଂସଦ । ଏବେ ଖାଲି ପଡ଼ିଛି ୭ ସାଂସଦ ପଦ । ତେଣୁ ୭୮୧ ସାଂସଦ ଭୋଟ୍ ଦେଇପାରିବେ । ବିଜେଡିର ୭ ଓ ବିଆରଏସ୍ ର ୪ ବିଧାୟକ ଭୋଟ୍ ଦାନରୁ ବିରତ ରହିବାକୁ ଉଭୟ ଦଳ ଘୋଷଣା କରିଛନ୍ତି । ଏମିତିରେ ୭୭୦ ସାଂସଦ ଭୋଟ୍ ଦେଇପାରିବେ । ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଆବଶ୍ୟକ ୩୮୬ ଭୋଟ୍ । NDA  ପାଖରେ ଅଛନ୍ତି ୪୨୭ ସାଂସଦ । ସେହିଭଳି I.N.D.I.A ମେଣ୍ଟ ପାଖରେ ଅଛନ୍ତି ୩୫୪ ସାଂସଦ । ଏମିତିରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ପଲା ଭାରି ରହିଛି ।