ଢାକା: ମଧ୍ୟପ୍ରାଚ୍ୟରେ ଜାରି ସଂଘର୍ଷ ଓ ଏଥିରେ ୭ ସପ୍ତାହ ହେଲା ଜାରି ଇରାନ ଯୁଦ୍ଧର ପ୍ରଭାବ ଏବେ ଦକ୍ଷିଣ ଏସିୟ ଦେଶଙ୍କ ଉପରେ ପଡିବା ଆରମ୍ଭ ହୋଇଛି। ବାଂଲାଦେଶ ସରକାର ଶନିବାର ବିଳମ୍ବିତ ରାତ୍ରିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଖୁଚୁରା ଦରରେ ୧୦ରୁ ୧୫% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି, ଯାହା ଏବେ ଦେଶର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି।

ଥିଲା କେତେ ହେଲା କେତେ ଦେଖନ୍ତୁ ନୂଆ ଦର
ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଏବେ ଏହି ପ୍ରକାର ରହିବ। ଏଥିରେ ଏ ପର୍ଯ୍ୟନ୍ତ ପ୍ରତି ଲିଟର ୧୧୬ ଟାକାରେ ବିକ୍ରି ହେଉଥିବା ପେଟ୍ରୋଲ ୧୩୫ ଟାକା (୧.୧୦ ଡଲାର) ଦରରେ ବିକ୍ରି ହେବ। ସେହିପରି ଡିଜେଲ ଲିଟର ପିଛା ଦର ୧୧୫ ଟାକାରେ ବିକ୍ରି ହେଉଥିବା ବେଳେ କିରୋସିନ ପ୍ରତି ଲିଟର ୧୩୦ ଟଙ୍କାରେ ବିକ୍ରି ହେଉଛି। ଡଲାର ପିଛା ବାଂଲାଦେଶ ପ୍ରତି ଟାକା ୧୨୨.୭୦ରେ କାରବାର ହେଉଛି।

କାହିଁକି ବଢାଇବାକୁ ପଡିଲା ଦର?
ବାଂଲାଦେଶ ଅଧିକାରୀଙ୍କ ଅନୁସାରେ ଏପରି ନିଷ୍ପତ୍ତି ନେବା ଅନିବାର୍ଯ୍ୟ ହୋଇପଡିଥିଲା। କାରଣ ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦର ଏବେ ଆକାଶ ଛୁଆଁ। ଏହା ପଛର ମୁଖ୍ୟ କାରଣ ହେଉଛି ଇରାନ ଯୁଦ୍ଧ । ଗତ ୭ ସପ୍ତାହ ହେଲା ଜାରି ଯୁଦ୍ଧ ଯୋଗୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏହା ଛଡା ସମୁଦ୍ର ରାସ୍ତାରେ ତୈଳ ପରିବହନ ବାବଦ ବ୍ୟୟ ମଧ୍ୟ ବଢିଛି। କାରଣ ବୀମା ବାବଦ ବ୍ୟୟ ଅନେକ ଗୁଣା ବଢି ଯାଇଛି। ଏହା ଛଡା ଇନ୍ଧନ ଆବଶ୍ୟକତା ପାଇଁ ବାଂଲାଦେଶ ଆମଦାନୀ ଉପରେ ନିର୍ଭରଶୀଳ। ଏଣୁ ବଢୁଥିବା ଆମଦାନୀ ବିଲ୍ ଯୋଗୁ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଦ୍ରୁତ ହ୍ରାସ ହେବାରେ ଲାଗିଛି।

ସାଧାରଣ ଜନତା ଓ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ
ଇନ୍ଧନ ମୂଲ୍ୟରେ ଏପରି ବୃଦ୍ଧି ଯୋଗୁ ବାଂଲାଦେଶରେ ମୁଦ୍ରାସ୍ଫୀତି ଆହୁରି ବଢିବାର ସମ୍ଭାବନା ସୃଷ୍ଟି ହୋଇଛି। ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବସ୍ ଓ ଟ୍ରକ୍ ଭଡ଼ା ବଢିବ। ସେହିପରି କୃଷି ବ୍ୟୟ ମଧ୍ୟ ବୃଦ୍ଧି ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଫଳରେ ଦେଶରେ ଖାଦ୍ୟପଦାର୍ଥ ମହଙ୍ଗା ହେବ। ଏବେ ଦେଶର ଅନେକ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ମାନଙ୍କରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଭବିଷ୍ୟତରେ ତୈଳ ମୂଲ୍ୟ ଅଧିକ ବଢିବା ଆଶଙ୍କାରେ ଲୋକେ ଆଗୁଆ କିଣି ଷ୍ଟୋର କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଇନ୍ଧନ ଆମଦାନୀ ସୁରକ୍ଷିତ କରିବା ପାଇଁ ଢାକା ପୂର୍ବରୁ ଅନ୍ତର୍ଜାତୀୟ ସଂସ୍ଥାଙ୍କଠାରୁ ୨ ବିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ମାଗିଛି।