ଶ୍ରୀଲଙ୍କା ସରକାରଙ୍କ ଘୋଷଣା, ଭାରତ ଓ ଚୀନ୍ ସମେତ ୭ ଦେଶଙ୍କ ନିମନ୍ତେ ଜାରି ରହିବ ମାଗଣା ଭିସା ସୁବିଧା

Published By : Prameya-News7 Bureau | May 07, 2024 IST

କଲମ୍ବୋ ୭।୫: ଶ୍ରୀଲଙ୍କା ସରକାର ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ମାଗଣା ପର୍ଯ୍ୟଟକ ଭିସା ପ୍ରଦାନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସରକାର କହିଛନ୍ତି ଯେ ଭାରତ, ଚୀନ, ଋଷିଆ, ଜାପାନ, ମାଲେସିୟା, ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିୟା ଆଦି ଦେଶର ପର୍ଯ୍ୟଟକଙ୍କ ମାଗଣା ଭିସା ସୁବିଧା ଜାରି ରହିବ। ଏହି ସୁବିଧା ଆଗାମୀ ୬ ମାସ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଫ୍ରି ଭିସା ଆକ୍ସେସ ବଢାଇବା ପଛରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଯାତ୍ରାକୁ ଅଧିକ ସହଜ ଓ ସୁବିଧାଜନକ କରିବା ବୋଲି କୁହାଯାଇଛି। 

ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘଙ୍କ କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛନ୍ତି ଯେ ବିଦେଶୀ ପର୍ଯ୍ୟଟକଙ୍କୁ ୩୦ ଦିନ ଭିସା ନିମନ୍ତେ ବର୍ତ୍ତମାନର ଶୁଳ୍କ ୫୦ ଆମେରିକୀୟ ଡଲାର ଜାରି ରହିବ। ତେବେ ଏପର୍ଯ୍ୟନ୍ତ ଭାରତ ସମେତ ଚୀନ୍, ଋଷିଆ, ଜାପାନ, ମାଲେସିଆ, ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିୟା ଆଦି ଦେଶର ପର୍ଯ୍ୟଟକଙ୍କ ନିମନ୍ତେ ମାଗଣା ଟୁରିଷ୍ଟ ଭିସା ଉପଲବ୍ଧ କରାଯିବ। ଶ୍ରୀଲଙ୍କା ସରକାରଙ୍କ ଏହି ନିଷ୍ପତ୍ତି କରୋନା ମହାମାରୀ ପରେ ଆର୍ଥିକ ଓ ରାଜନୈତିକ ସଂକଟ ସମ୍ମୁଖୀନ ହୋଇଥିବା ଦେଶଙ୍କ ମଧ୍ୟରେ ପୁଣି ଥରେ ଟୁରିଜିମ ସ୍ଥାପନା କରିବାକୁ  ନିଆଯାଇଛି। 

ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ଏହି ଯୋଜନାକୁ ଗତବର୍ଷ ଅକ୍ଟୋବର ମାସରେ ଆରମ୍ଭ କରିଥିଲା। ଦେଶରେ ଏହାକୁ ପାଇଲଟ ପ୍ରୋଜେକ୍ଟ ରୂପେ ଆରମ୍ଭ କରାଯାଇଥିଲା। ନିଶୁଳ୍କ ଭିସା ସୁବିଧା ନେବା ପାଇଁ ପର୍ଯ୍ୟଟକଙ୍କୁ ଆଗମନ ପୂର୍ବରୁ ସୂଚନା ଦେବାକୁ ପଡିବ। ଏଥି ପାଇଁ ଅନଲାଇନରେ ଭିସା ଆବେଦନ କରାଯିବ। ଏହି ଅନଲାଇନ ଆବେଦନ ପ୍ରକ୍ରିୟାରେ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଯାଞ୍ଚ କାୟମ ରଖି ସହଜ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଡିଜାଇନ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.