ନୂଆଦିଲ୍ଲୀ: ମହିଳା ଯାତ୍ରୀଙ୍କ ପାଖ ସିଟ୍ ବାଛି ପାରିବେ ଅନ୍ୟ ମହିଳା ଯାତ୍ରୀ। ଏକୁଟିଆ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ପାଇଁ ଏହି ବିଶେଷ ସୁବିଧା ନେଇ ଆସିଛି ଇଣ୍ଡିଗୋ ବିମାନ ସେବା ପ୍ରଦାନକାରୀ କମ୍ପାନୀ। ଅନ୍ୟ ମହିଳା ଯାତ୍ରୀମାନେ କେଉଁସବୁ ସିଟ୍ ପ୍ରି ବୁକ୍ କରିଛନ୍ତି ତାହା ୱେବ୍ ଚେକ୍ ଇନ୍ ସମୟରେ ମହିଳା ଯାତ୍ରୀମାନେ ଦେଖିପାରିବେ। ଆରମଦାୟକ ଓ ନିରାପତ୍ତା ଯାତ୍ରା ପାଇଁ କମ୍ପାନୀ ଏହି ସୁବିଧା ଆରମ୍ଭ କରିଛି। ଏକୁଟିଆ ମହିଳା ଯାତ୍ରୀଙ୍କ ଧ୍ୟାନରେ ରଖି ଏହି ସେବା ଆରମ୍ଭ କରାଯାଇଛି।
ନୂଆ ସୁବିଧା ନେଇ ଇଣ୍ଡିଗୋ କହିଛି ଏହି ସେବା ଲଞ୍ଚ କରିବା ପୂର୍ବରୁ ମହିଳା ଯାତ୍ରୀଙ୍କ ଆବଶ୍ୟକତାକୁ ଭଲ ଭାବରେ ବୁଝିବା ପାଇଁ କମ୍ପାନୀ ମାର୍କେଟ୍ ରସର୍ଚ୍ଚ କରିଥିଲା। ଏହି ପଦକ୍ଷେପ ମହିଳା ସୁରକ୍ଷା ଏବଂ ଆରାମଦାୟକ ଯାତ୍ରା ପ୍ରତି ଏୟାରଲାଇନ୍ସର ପ୍ରତିବଦ୍ଧତା ବୋଲି ଇଣ୍ଡିଗୋ କହିଛି।
ଏହି ନୂଆ ସୁବିଧା ମାଧ୍ୟମରେ ମହିଳା ଯାତ୍ରୀମାନେ ସେମାନଙ୍କ ସୁବିଧା ଅନୁଯାୟୀ ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ପାଖରେ ସିଟ୍ ଚୟନ କରିପାରିବେ। ଏହି ସୁବିଧା କେବଳ ୱେବ ଚେକ୍ ଇନ୍ ସମୟରେ ମହିଳା ଯାତ୍ରୀଙ୍କ ଦ୍ୱାରା ବୁକ୍ ହୋଇଥିବା ସିଟ୍ ବିଷୟରେ ସୂଚନା ଦେବ। କମ୍ପାନୀ ଏହିସୁବିଧାକୁ ବର୍ତ୍ତମାନ ପରୀକ୍ଷଣ ଭାବରେ ଲଞ୍ଚ କରିଛି। ଏହା ସଫଳ ହେଲେ ଏହାକୁ ସମ୍ପୂର୍ଣ୍ଣ ରୂପେ ଲାଗୁ କରାଯାଇପାରେ ବୋଲି କୁହାଯାଉଛି।
ତେବେ ବିମାନବନ୍ଦରରେ ଥିବା ଚେକ୍ ଇନ୍ କାଉଣ୍ଟର ନ ଯାଇ ବି ଗ୍ରାହକ ନିଜ ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟରରେ ଚେକ୍ ଇନ୍ କରିପାରିବେ। ସାଧାରଣତ ଘରୋଇ ବିମାନ ପାଇଁ, ପ୍ରସ୍ଥାନ ସମୟର ୪୮ ଘଣ୍ଟା ପୂର୍ବରୁ ଅନଲାଇନ୍ ଚେକ୍ ଇନ୍ କରାଯାଇପାରିବ। କାରଣ ବିମାନ ଛାଡ଼ିବାର ଦୁଇ ଘଣ୍ଟା ପୂର୍ବରୁ ଏହା ବନ୍ଦ ହୋଇଯାଏ। ଅବଶ୍ୟ, ଅନ୍ତର୍ଜାତୀୟ ଯାତ୍ରା ପାଇଁ ୱେବ୍ ଚେକ୍ ଇନ୍ ସାଧାରଣତ ପ୍ରସ୍ଥାନ ସମୟର ୨୪ ଘଣ୍ଟା ପୂର୍ବରୁ ଖୋଲିଥାଏ, ଏବଂ ବିମାନ ଛାଡ଼ିବା ପୂର୍ବରୁ ୬୦ ମିନିଟ୍ ପୂର୍ବରୁ ବନ୍ଦ ହୋଇଯାଏ। ତେବେ ବିଭିନ୍ନ ବିମାନ ସେବା ପାଇଁ ୱେବ୍ ଚେକ୍ ଇନ୍ ସମୟସୀମା ଭିନ୍ନ ହୋଇପାରେ।
୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ବାପାମା ସହିତ ଶିଟ୍ ଦେବାକୁ ହେବ।
ନିକଟରେ, ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ସିଟ୍ ଚୟନ ବିଷୟରେ ମଧ୍ୟ ନିୟମ ଜାରି କରାଯାଇଥିଲା। ଏମାନଙ୍କୁ ବାପାମା କିମ୍ବା ଗାର୍ଡିଆନ୍ଙ୍କ ପାଖରେ ସିଟ୍ ଦିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିର୍ଦ୍ଦେଶ ଦେଇଥିଲେ। ଡିଜିସିଏ କହିଥିଲେ ଯେ ଯଦି ଶିଶୁ ଏବଂ ଅଭିଭାବକମାନେ ସମାନ ପିଏନ୍ଆର୍ରେ ଯାତ୍ରା କରୁଛନ୍ତି, ତେବେ ସିଟ୍ ଚୟନ ପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ। ଏହା ସହିତ ଡିଜିସିଏ ଏୟାରଲାଇନ୍ସକୁ ମଧ୍ୟ ଏହାର ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୨ ବର୍ଷରୁ କମ ବୟସର ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସିବାକୁ ଦିଆଯାଉ ନଥିବାରୁ ଅନେକ ଯାତ୍ରୀ ଦୁଃଖ ପ୍ରକାଶ କରି ସୋସିଆଲ୍ ମିଡିଆରେ ପ୍ରତିକ୍ରୟା ଦେଇଥିଲେ। ଏହାପରେ ଡିଜିସିଏ ଏହି ନିଷ୍ପତ୍ତି ନେଇଥିଲା।