ମୋଦି ପ୍ରଧାନମନ୍ତ୍ରୀ ରହନ୍ତୁ ବା ନ ରହନ୍ତୁ ଭାରତ ତାର ଆର୍ଥିକ ନୀତିରେ କାୟମ ରହିବ: ରଘୁରାମ ରାଜନ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ ୨୮।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦେଶର ଆଗାମୀ ସରକାରକୁ ନେଇ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତୃତୀୟବାର ହେଉ କି ନ ହେଉ, ଭାରତ କିନ୍ତୁ ନିଜର ଆର୍ଥିକ ନୀତିଗୁଡିକୁ ସ୍ଥିର ରଖିପାରେ। ରାଜନ ବ୍ଲୁମବର୍ଗ ଟିଭିର ଡେଭିଡ ଇଂଗ୍ଲସଙ୍କ ସହ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତୀୟ ନୀତିରେ ବହୁତ ନିରନ୍ତରତା ଅନ୍ତର୍ନିହିତ। ଯେଉଁ ବି ସରକାର ଆସୁ ଗତ ସରକାରର ଭଲଭଲ ନୀତିକୁ ଜାରି ରଖନ୍ତି। 

ଚିକାଗୋ ବୁଥ ସ୍କୁଲ ଅଫ ବିଜନେସ୍ ବିଶ୍ୱବିଦ୍ୟାଳୟରେ ଫାଇନାନ୍ସ ବିଭାଗ ପ୍ରଫେସର ରାଜନ ହଂକଂରେ ଆୟୋଜିତ ୟୁବିଏସ୍ ଏସିୟାନ ଇନଭେଷ୍ଟମେଣ୍ଟ କନଫରେନ୍ସରେ ଏହା କହିଛନ୍ତି।  ସେ କହିଛନ୍ତି ଯେ ଦେଶରେ ନୂଆ ସରକାର ଗଢାହେବା ପରେ ତୁରନ୍ତ ଏକ ବଜେଟ୍ ଘୋଷଣା କରିବେ, ଯାହା ସମ୍ଭବତଃ ଏହି ସବୁ ଭଲ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିବ ଯେଉଁଗୁଡିକ ଏପର୍ଯ୍ୟନ୍ତ ହୋଇଛି। ନୂଆ ସରକାର ଏହା ବି ଦେଖିବାକୁ ଉଦ୍ୟମ କରିବେ ଏଥିରେ କଣ ପରିବର୍ତ୍ତନ କରାଯାଇ ପାରିବ। 

ଭାରତରେ ୬ ସପ୍ତାହ ଧରି ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ଜୁନ ୧ ତାରିଖରେ ସମାପ୍ତ ହେବ। ଏହାର ଫଳାଫଳ ଜୁନ ୪ ରେ ଘୋଷଣା ହେବ। ଏଥିରେ ଅନୁମାନ କରାଯାଉଛି ହୁଏତ ମୋଦି ପୁଣି ଥରେ ସରକାର ଗଢିପାରନ୍ତି । ତେବେ ବିଶେଷଜ୍ଞଙ୍କ ଅନୁସାରେ ଯଦି ବିଜେପି ନିଜ ସମର୍ଥନ ହରାଏ ଆର୍ଥିକ ସଂସ୍କାରରୁ ଦେଶ ଦୂରକୁ ଯିବା ଆଶଙ୍କାରେ ଚିନ୍ତିତ ଆର୍ଥିକ ବଜାରରେ  ବିକାବିକିର ଆଶଙ୍କା କରାଯାଉଛି। 

ରାଜନ କହିଛନ୍ତି ଯେ  ଦେଶରେ ମୋଦି ସରକାର ମୌଳିକ ଭିତ୍ତିଭୂମିରେ ନିବେଶ କମ କରିଛନ୍ତି। ତେବେ ଏଥିରୁ ଆଗକୁ ଯାଇ ଭାରତକୁ ନିଜର ଭିତ୍ତିଭୂମି ମାନ ଉପରେ ଧ୍ୟାନ ଦେବ ଓ ଏହା ସୁନିଶ୍ଚିତ କରିବାର ଆବଶ୍ୟକ ଯେ ନିବେଶ କେବଳ ମୁଖ୍ୟ କର୍ପୋରେଟ ହାଉସ୍ ମାନଙ୍କୁ ଲାଭ ନ ଦେଉ। ବ୍ଲୁମବର୍ଗ ଇକୋନମିକ୍ସର ଅନୁମାନ ଭାରତ ୨୦୨୪-୨୬ ମଧ୍ୟରେ ଭିତ୍ତିଭୂମି ନିର୍ମାଣରେ ୪୪.୪ ଲକ୍ଷ କୋଟି (୫୩୪ ବିଲିୟନ ଡଲାର) ଖର୍ଚ୍ଚ କରିବ, ଯାହା ୨୦୩୦ ପର୍ଯ୍ୟନ୍ତ ଆର୍ଥିକ ବିକାଶକୁ ୯ ପ୍ରତିଶତ ପର୍ଯ୍ୟନ୍ତ ବଢାଇବାରେ ସହାୟକ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.