ନୂଆଦିଲ୍ଲୀ ୧୮।୩: ପାଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ସରକାରଙ୍କ ବିଦେଶ ବ୍ୟାପାର ସଂସଦୀୟ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଯୁଦ୍ଧ ଭଳି ପରିସ୍ଥିତିରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ଭାରତୀୟ ଆର୍ଥିକ ହୀତ ଉପରେ ପଡୁଥିବା ପ୍ରଭାବ ଆକଳନ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା।

ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ପ୍ରତ୍ୟାବର୍ତ୍ତନ
ବୈଠକରେ ପଶ୍ଚିମ ଏସିୟା, ବିଶେଷ କରି ଉପସାଗରୀୟ କ୍ଷେତ୍ରରେ ବସବାସ କରୁଥିବା ଭାରତୀୟଙ୍କ ପରିସ୍ଥିତି ଉପରେ ବିସ୍ତିର୍ଣ୍ଣ ଚର୍ଚ୍ଚା କରାଯାଇଛି। ଏଥିରେ ଥରୁର ସ୍ପଷ୍ଟ କରିଛନ୍ତି ଯେ ଇରାନରେ ଏବେବି ୯ ହଜାର ଭାରତୀୟ ରହୁଛନ୍ତି। ତେବେ ସବୁଠୁ ଭଲ କଥା ଯାହା ତାହା ହେଉଛି ପରିସ୍ଥିତି ଏବେ ଫଶି ରହିବା ଭଳି ନାହିଁ। କାରଣ ୟୁଏଇ ଓ ସାଉଦୀ ଆରବ ଭଳି ଦେଶମାନଙ୍କରୁ ଏବେ ବାଣିଜ୍ୟିକ ଉଡାଣ ସ୍ୱଭାବିକ ହେଲାଣି। ଏଣୁ ଲୋକେ ଚାହିଁଲେ ନିଜ ଇଛାରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରିବେ ଓ ଯାଇ ପାରିବେ। ତଥାପି ସରକାର ଲଗାତାର ସେଠାକାର ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି। ଯାହା ଦ୍ୱାରା କୌଣସି ବିପଦଜନକ ପରିସ୍ଥିତିରେ ନାଗରିକଙ୍କୁ ସହାୟତା କରାଯାଇ ପାରିବ।

ଛାତ୍ରଛାତ୍ରୀଙ୍କ ପାଠ ପଢା ଓ ସିବିଏସଇ ପରୀକ୍ଷା
ଯୁଦ୍ଧର ସବୁଠୁ ଖରାପ ପ୍ରଭାବ ସେଠାରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ଥରୁର କହିଛନ୍ତି ଯେ ଉପସାଗରୀୟ ଦେଶମାନଙ୍କରେ ୧୦ମ ଓ ଦ୍ୱାଦଶ ପଢୁଥିବା ୨୩ ହଜାର ଛାତ୍ର ଛାତ୍ରୀ ସିବିଏସଇ ପରୀକ୍ଷା ଦେଇ ପାରି ନାହାନ୍ତି। ଏହି ଗୁରୁତର ପ୍ରସଙ୍ଗକୁ ନେଇ ବିଦେଶ ମନ୍ତ୍ରାଳୟ ଓ ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର ଏପରି ଛାତ୍ର ଛାତ୍ରୀଙ୍କ ନିମନ୍ତେ ‘ରିମେଡିୟାଲ ଆରେଞ୍ଜମେଣ୍ଟ’ ପାଇଁ ଯୋଜନା କରୁଛନ୍ତି। ଯାହାଦ୍ୱାରା ଉପସାଗରୀୟ ଦେଶମାନଙ୍କରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ନଷ୍ଟ ନ ହୁଏ ଓ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଦ୍ୱିତୀୟ ସୁଯୋଗ ଦିଆଯାଏ।

ତୈଳ ଯୋଗାଣ
ଭାରତ ନିଜର ତୈଳ ଓ ଗ୍ୟାସ୍ ଆବଶ୍ୟକତା ପୂରଣ ନିମନ୍ତେ ଅନେକାଂଶରେ ପଶ୍ଚିମ ଏସିୟା ଉପରେ ନିର୍ଭରଶୀଳ। ବୈଠକରେ ଏ କଥା ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା ଯେ ପେଟ୍ରୋଲିୟମ ନେଇଯାଉଥିବା ଜାହାଜଙ୍କ ଆବାଗମନ ଉପରେ କିପରି ପ୍ରଭାବ ପଡୁଛି। ତେବେ ବୈଠକରେ ଉପସ୍ଥିତ ଅଧିକାରୀଙ୍କ ନିକଟରେ ପଶ୍ଚିମ ଏସିୟାରେ ଅଟକି ରହିଥିବା ଜାହାଜଙ୍କୁ ନେଇ ସଠିକ ସୂଚନା ନଥିଲା। ତେବେ ଏହା ସ୍ୱୀକାର କରାଯାଇଛି ଯେ କିଛି ଜାହାଜ ପ୍ରଭାବିତ ହୋଇଛନ୍ତି। ହେଲେ ଉପୁଜିଥିବା ପରିସ୍ଥିତିରେ ଯେପରି ଶକ୍ତିସୁରକ୍ଷା ସୁରକ୍ଷିତ ରହେ ଓ ଦେଶରେ ଇନ୍ଧନର ଅଭାବ ନରହେ ତାହା ସରକାର ନିଶ୍ଚିତ କରିବା ଆବଶ୍ୟକ ବୋଲି କୁହାଯାଇଛି।