ନୂଆଦିଲ୍ଲୀ: ଗୋବରରୁ ଗ୍ୟାସ୍। ସୂର୍ଯ୍ୟରୁ ବିଜୁଳି । ପବନରୁ ପାୱାର୍। ସ୍ୱଚ୍ଛ ଶକ୍ତିର ତିନିଟି ବଡ଼ ସ୍ରୋତକୁ ନେଇ ଭାରତର ଏନର୍ଜି ଟ୍ରାନ୍ସମିଶନକୁ ମିଳୁଛି ନୂଆ ଗତି। ଗୋଟିଏ ପଟେ କୃଷି ଅବଶେଷ, ଗୋବର ଓ ଜୈବିକ ବର୍ଜ୍ୟରୁ CBG ଉତ୍ପାଦନ ବଢ଼ାଇବାକୁ ୨୩ ହଜାର ୭୩୧ କୋଟି ଟଙ୍କାର ଗୋବରଧନ ଯୋଜନାକୁ ମଞ୍ଜୁରୀ। ଅନ୍ୟପଟେ ସୌର ଓ ପବନ ଶକ୍ତିକୁ ଦେଶର ଆବଶ୍ୟକତା ଥିବା ଅଞ୍ଚଳରେ ପହଞ୍ଚାଇବାକୁ ତିଆରି ହେବ ୧୦ ହଜାର ସର୍କିଟ୍ କିଲୋମିଟରର ନୂଆ ଟ୍ରାନ୍ସମିଶନ୍ ନେଟୱର୍କ। ଅର୍ଥାତ୍ ଗାଁର ଗୋବରରୁ ଆରମ୍ଭ କରି ସୂର୍ଯ୍ୟ ଓ ପବନର ଶକ୍ତି ପର୍ଯ୍ୟନ୍ତ ଗ୍ରୀନ୍ ଏନର୍ଜିର ପ୍ରତିଟି ସମ୍ଭାବନାକୁ ବ୍ୟବହାର କରି ଭାରତ ଗଢ଼ୁଛି ଭବିଷ୍ୟତର ଏନର୍ଜି ସିଷ୍ଟମ୍। କ’ଣ ରହିଛି ସରକାରଙ୍କ ଏହି ବଡ଼ ଯୋଜନାରେ? ଦେଶର ଏନର୍ଜି ସେକ୍ଟରରେ କେତେ ବଡ଼ ପରିବର୍ତ୍ତନ ଆଣିବ ଏହି ପଦକ୍ଷେପ? ପଢ଼ନ୍ତୁ ବିସ୍ତୃତ ରିପୋର୍ଟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୋବରଧନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ୨୦୨୬-୨୭ରୁ ୨୦୩୫-୩୬ ପର୍ଯ୍ୟନ୍ତ ୨୩ ହଜାର ୭୩୧ କୋଟି ଟଙ୍କା ଖର୍ଚ୍ଚ ହେବ। କୃଷି ଅବଶେଷ, ଗୋବର, ପ୍ରେସ୍ ମଡ୍ ବା ଆଖୁ ରସ ବାହାରି ସାରିବା ପରେ ଅବଶେଷ, ପୌରପାଳିକାର ଜୈବିକ ବର୍ଜ୍ୟ ସମେତ ବିଭିନ୍ନ ବାୟୋମାସ୍କୁ ବ୍ୟବହାର କରି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ବା CBG ଓ ଜୈବିକ ସାର ପ୍ରସ୍ତୁତ କରାଯିବ। ଏହା ଦ୍ୱାରା ବର୍ଜ୍ୟବସ୍ତୁର ସୁପରିଚାଳନା ସହ ନୂଆ ଆୟ ଓ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ।

Also Read- ଦେଶରେ ବନ୍ଦ ହେବକି ଫ୍ରି UPI ସର୍ଭିସ୍? ଜାଣନ୍ତୁ ମର୍ଚାଣ୍ଟ ଚାର୍ଜେସ୍ ର ସତ୍ୟତା ଓ ନିୟମ

ସରକାରଙ୍କ ଲକ୍ଷ୍ୟ ହେଉଛି CBG ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବଢ଼ାଇବା। ଏଥିପାଇଁ ଘରୋଇ ନିବେଶକୁ ଉତ୍ସାହିତ କରାଯିବ। CBG କିଣିବା ପାଇଁ ନିଶ୍ଚିତ ବଜାର, ସ୍ଥିର ମୂଲ୍ୟ ବ୍ୟବସ୍ଥା, ପୁଞ୍ଜି ସହାୟତା, ପାଇପଲାଇନ୍ ଭିତ୍ତିଭୂମି, ଋଣ ଗ୍ୟାରେଣ୍ଟି ଓ ବୈଷୟିକ ସହାୟତା ଭଳି ବ୍ୟବସ୍ଥା କରାଯିବ। ଗୋବରଧନ ଯୋଜନା ଅଧୀନରେ CBG ପାଇଁ ୬ଟି ‘ଗ୍ରୋଥ୍ ଇଞ୍ଜିନ୍’ ରହିବ। ନିଶ୍ଚିତ କ୍ରୟ ବ୍ୟବସ୍ଥା, ସ୍ଥିର ମୂଲ୍ୟ ଢାଞ୍ଚା, ପୁଞ୍ଜିଗତ ସହାୟତା, ପାଇପଲାଇନ୍ ଭିତ୍ତିଭୂମି, ଋଣ ଗ୍ୟାରେଣ୍ଟି ସହାୟତା ଏବଂ CBG ଇକୋସିଷ୍ଟମ୍ ଚ୍ୟାଲେଞ୍ଜ ଫଣ୍ଡ ଏହାର ମୁଖ୍ୟ ଅଂଶ।

ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀ CBG କିଣିବେ। ଏହା ଦ୍ୱାରା CNG ଓ PNG କ୍ଷେତ୍ରରେ CBGର ବ୍ୟବହାର ବଢ଼ିବ। ୨୦୨୬-୨୭ରେ ୩ ପ୍ରତିଶତ, ୨୦୨୭-୨୮ରେ ୪ ପ୍ରତିଶତ ଏବଂ ୨୦୨୮-୨୯ରୁ ୫ ପ୍ରତିଶତ CBG ବ୍ୟବହାରର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦେଶରେ ୨୦୦ରୁ ଅଧିକ CBG ପ୍ଲାଣ୍ଟ ଆରମ୍ଭ ହୋଇଛି। ସାଟାଟ(SATAT), MDA, ବାୟୋମାସ୍ ଏଗ୍ରିଗେସନ୍ ମେସିନାରୀ ଓ ପାଇପଲାଇନ୍ ଭିତ୍ତିଭୂମି ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଏହି କ୍ଷେତ୍ରକୁ ଆଗକୁ ବଢ଼ାଇ ଆସୁଛନ୍ତି। ଏବେ ଗୋବରଧନ ଯୋଜନା ଏହି ପ୍ରୟାସକୁ ଆହୁରି ବଡ଼ ସ୍ତରକୁ ନେବ।

CBG ରାସାୟନିକ ଭାବେ ପ୍ରାକୃତିକ ଗ୍ୟାସ୍ ସହ ସମାନ ହୋଇଥିବାରୁ ଏହାକୁ ବର୍ତ୍ତମାନର ଗ୍ୟାସ୍ ଭିତ୍ତିଭୂମିରେ ବ୍ୟବହାର କରାଯାଇପାରିବ। ଫଳରେ ଦେଶରେ ବଢ଼ୁଥିବା ଗ୍ୟାସ୍ ନେଟୱର୍କର ଲାଭ ମଧ୍ୟ CBGକୁ ମିଳିବ। ପ୍ରତ୍ୟେକ CBG ପ୍ଲାଣ୍ଟ ଏକ ସ୍ଥାନୀୟ ସର୍କୁଲାର ଇକୋନୋମିର କେନ୍ଦ୍ର ପାଲଟିପାରିବ। କୃଷି ଅବଶିଷ୍ଟ ଓ ଗୋବର ସଂଗ୍ରହଠାରୁ ଆରମ୍ଭ କରି ପରିବହନ, ପ୍ଲାଣ୍ଟ ପରିଚାଳନା ଓ ଜୈବିକ ସାର ଉତ୍ପାଦନ ପର୍ଯ୍ୟନ୍ତ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ। ସେହିପରି ବର୍ଜ୍ୟ ପରିଚାଳନା ସହ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ କମାଇବାରେ ମଧ୍ୟ ଏହା ସହାୟକ ହେବ।

Also Read- UPIକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ସାଧାରଣ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଚାର୍ଜ; ବ୍ୟବସାୟୀଙ୍କ ପାଇଁ ବଦଳିବ ନିୟମ

ଅର୍ଥାତ୍ ଗୋବର ଓ କୃଷି ବର୍ଜ୍ୟକୁ ଅବହେଳିତ ସମ୍ପଦ ନୁହେଁ, ବରଂ ଭବିଷ୍ୟତର ସ୍ୱଚ୍ଛ ଇନ୍ଧନ ଭାବେ ବ୍ୟବହାର କରିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ତେଣୁ ଏହି ଗୋବର ଏବେ ଆପଣଙ୍କର ଟଙ୍କା ରୋଜଗାର କରିବାର ମାଧ୍ୟମ ବି ପାଲଟିପାରେ। କମ୍ପ୍ରେସ୍ଡ ବାୟୋଗ୍ୟାସ୍ ଉତ୍ପାଦନ ବଢ଼ିଲେ ଗୋଟିଏ ପଟେ ଜୈବିକ ବର୍ଜ୍ୟର ସୁପରିଚାଳନା ହେବ, ଅନ୍ୟପଟେ ଦେଶର ସ୍ୱଚ୍ଛ ଶକ୍ତି ଓ ସର୍କୁଲାର ଇକୋନୋମିକୁ ନୂଆ ଗତି ମିଳିବ।

ସେପଟେ ଗ୍ରୀନ୍ ଏନର୍ଜିକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାକୁ ତିଆରି ହେବ ବିଶାଳ ଟ୍ରାନ୍ସମିଶନ୍ ନେଟୱର୍କ। ଗ୍ରୀନ୍ ଏନର୍ଜି କରିଡରର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କେନ୍ଦ୍ର ସରକାର ବଡ଼ ପ୍ରସ୍ତୁତି ଚଳାଇଛନ୍ତି। ଗୋଟିଏପଟେ ଦ୍ରୁତ ଗତିରେ ବଢ଼ୁଛି ଗ୍ରୀନ୍ ଏନର୍ଜିର ଉତ୍ପାଦନ। ଅନ୍ୟପଟେ ଏହି ବିଦ୍ୟୁତକୁ ଉତ୍ପାଦନ ସ୍ଥଳରୁ ଦୂରଦୂରାନ୍ତର ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ବି ରହିଛି। ତେଣୁ ଏହି ଦୁଇଟି ମଧ୍ୟରେ ସେତୁ ହେବ ଗ୍ରୀନ୍ ଏନର୍ଜି କରିଡର୍। ଏହି କରିଡର୍ର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ସର୍କିଟ୍ କିଲୋମିଟର ନୂଆ ଟ୍ରାନ୍ସମିଶନ୍ ନେଟୱର୍କ ନିର୍ମାଣ କରାଯିବ। ଅର୍ଥାତ୍, ଗ୍ରୀନ୍ ପାୱାରକୁ ଦେଶର ଗ୍ରିଡ୍ ସହ ଯୋଡ଼ିବା ଏବଂ ଆବଶ୍ୟକତା ଥିବା ସ୍ଥାନକୁ ପହଞ୍ଚାଇବା ପାଇଁ ଭିତ୍ତିଭୂମି ଆହୁରି ମଜବୁତ ହେବ। ଏଥିପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର।

ଏନେଇ କେନ୍ଦ୍ର ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ନବୀକରଣୀୟ ଶକ୍ତି ପାଇଁ ଟ୍ରାନ୍ସମିଶନ୍ ଭିତ୍ତିଭୂମି ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଗତବର୍ଷ ଏଥିପାଇଁ ୭୮୭ କୋଟି ଟଙ୍କା ଜାରି କରାଯାଇଥିଲା। କେବଳ ଟ୍ରାନ୍ସମିଶନ୍ ନେଟୱର୍କ ନୁହେଁ, ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବା ଉପରେ ରହିଛି ସରକାରଙ୍କ ଫୋକସ୍। ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ୩,୮୦୦ କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି। ସେହିପରି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ୧୦୪ କୋଟି ଟଙ୍କା ଜାରି କରାଯାଇଛି। କୃଷକଙ୍କ କୃଷି ପମ୍ପକୁ ସୌର ଶକ୍ତିରେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ନୂଆ ସଂସ୍କରଣ ମଧ୍ୟ ଆଣିବାକୁ ଯୋଜନା ରହିଛି।

ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଦେଶରେ ୩୦.୫ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ ଭିତ୍ତିକ ବିଦ୍ୟୁତ କ୍ଷମତା ଯୋଡ଼ାଯାଇଛି। ଗତବର୍ଷର ସମାନ ସମୟ ତୁଳନାରେ ଏହା ୨୫ ପ୍ରତିଶତ ଅଧିକ। ଗତ ଦୁଇ ବର୍ଷରେ ଦେଶରେ ମୋଟ ୯୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ ଭିତ୍ତିକ କ୍ଷମତା ଯୋଡ଼ାଯାଇଛି। ଦେଶର ଏନର୍ଜି ଟ୍ରାନ୍ଜିସନ୍ରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଗ୍ରିଡ୍ ନେଟୱର୍କର ବାଧା। ଦୀର୍ଘ ସମୟର ଏନର୍ଜି ଷ୍ଟୋରେଜ୍ ପାଇଁ ଆହୁରି କମ୍ ମୂଲ୍ୟର ବ୍ୟାଟେରୀ ଆବଶ୍ୟକ ବୋଲି ଏକ୍ସପର୍ଟ କହୁଛନ୍ତି।

ଗ୍ରୀନ୍ ଏନର୍ଜିର ଉତ୍ପାଦନ ବଢ଼ାଇବା ସହ ଏହାକୁ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚାଇବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଟ୍ରାନ୍ସମିଶନ୍ ନେଟୱର୍କର ବିସ୍ତାର ସହ ଏନର୍ଜି ଷ୍ଟୋରେଜ୍ ଓ ଗ୍ରୀନ୍ ହାଇଡ୍ରୋଜେନ୍ ଉପରେ ମଧ୍ୟ ଜୋର ଦିଆଯାଉଛି। ଟାଟା ପାୱାରର ସିଇଓ ପ୍ରବୀର ସିହ୍ନାଙ୍କ ମତରେ, ଗ୍ରୀନ୍ ହାଇଡ୍ରୋଜେନ୍କୁ ସଫଳ କରିବା ପାଇଁ ବିଦ୍ୟୁତ ମୂଲ୍ୟ କମାଇବା ଜରୁରୀ। ଏହା ସହ ଟେକ୍ନୋଲୋଜି ଓ ଖର୍ଚ୍ଚରେ ସୁଧାର ସହ ନୀତିଗତ ସମର୍ଥନ ମଧ୍ୟ ଆବଶ୍ୟକ। ଅର୍ଥାତ୍, ନବୀକରଣୀୟ ଶକ୍ତି ଉତ୍ପାଦନ ସହ ଏହାର ଟ୍ରାନ୍ସମିଶନ୍ ଓ ଷ୍ଟୋରେଜ୍ ବ୍ୟବସ୍ଥାକୁ ମଜବୁତ କରି ଦେଶର ଗ୍ରୀନ୍ ଏନର୍ଜି ଲକ୍ଷ୍ୟ ହାସଲ୍ କରିବା ଦିଗରେ ଆଗକୁ ବଢ଼ୁଛି ଭାରତ।