LIVE TV

ପାକିସ୍ତାନୀ ଖେଳାଳି ହାରିସ୍ ରୌଫ ଉପରେ ICCର ଆକ୍ସନ, ଗନ୍ ସେଲିବ୍ରେସନ ପାଇଁ ଫରହାନଙ୍କୁ ତାଗିଦ୍

NEWS7
HARISH RAUF

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଭାରତ-ପାକିସ୍ତାନ ମଧ୍ୟରେ ସୁପର-୪ ମୁକାବିଲାରେ ବିବାଦୀୟ ଆଚରଣ କରିବା ପାକିସ୍ତାନୀ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି । ପାକିସ୍ତାନୀ ଖେଳାଳି ହାରିସ୍ ରୌଫ ଓ ସାହିବଜାଦା ଫରହାନ ଉପରେ ଆଇସିସି ଆକ୍ସନ ନେଇଛି । ରିପୋର୍ଟ ଅନୁସାରେ ହରିସ୍ ରୌଫଙ୍କ ଉପରେ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମନା ଲଗାଯାଇଛି । ଅନ୍ୟପଟେ ସାହିବଜାଦା ଫରହାନଙ୍କୁ ଗନ୍ ସେଲିବ୍ରେସନ୍ ପାଇଁ ତାଗିଦ୍ କରାଯାଇଛି । ତେବେ ତାଙ୍କ ଉପରେ କୌଣସି ଜରିମାନା ଲଗାଯାଇ ନାହିଁ ।

ସୂତ୍ର ଅନୁଯାୟୀ, ଆଇସିସି ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ଶୁକ୍ରବାର ଅପରାହ୍ନରେ ପାକିସ୍ତାନୀ ଟିମ୍ ହୋଟେଲରେ ଶୁଣାଣି ଶେଷ କରିଥିଲେ । ଉଭୟ ଖେଳାଳି (ହାରିସ୍ ରଉଫ ଏବଂ ସାହିବଜାଦା ଫରହାନ) ବ୍ୟକ୍ତିଗତ ଭାବରେ ଶୁଣାଣିରେ ହାଜର ହୋଇଥିଲେ ସେମାନଙ୍କର ଲିଖତ ପ୍ରତିକ୍ରିୟା ଦାଖଲ କରାଯାଇଥିଲା । ପାକିସ୍ତାନୀ ଟିମ୍ ମ୍ୟାନେଜର ନାଭିଦ ଆକ୍ରମ ଚିମା ଏହି ଶୁଣାଣି ବେଳେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ବୁଧବାର ହାରିସ୍ ରୌଫ ଏବଂ ସାହିବଜାଦା ଫରହାନଙ୍କ ବିରୋଧରେ ଆଇସିସିରେ ଏକ ଅଭିଯୋଗ ଦାଖଲ କରିଥିଲା । ରିପୋର୍ଟ ଅନୁଯାୟୀ, ରୌଫ ଭାରତୀୟ ଦର୍ଶକଙ୍କୁ ପରିହାସ କରି "ବିମାନ ପଡ଼ିବା" ଇଙ୍ଗିତ କରିଥିଲେ । ଅନ୍ୟପଟେ ଫରହାନଙ୍କ ସେଲିବ୍ରେସନକୁ ଭାରତୀୟ ଦଳ ଆପତ୍ତିଜନକ ବୋଲି କହିଥିଲା । ପାକିସ୍ତାନ ଏବଂ ଭାରତ ଆସନ୍ତା ରବିବାର ଏସିଆ କପ୍ ୨୦୨୫ର ଫାଇନାଲରେ ମୁହାଁମୁହିଁ ହେବେ ।

ଶୁଣାଣି ବେଳେ ହାରିସରୌଫ ଓ ସାହିବଜାଦା ଫରହାନ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ପାକିସ୍ତାନୀ ବୋଲର କହିଥିଲେ ଯେ ତାଙ୍କ ୬-୦ ଇଙ୍ଗିତ ଭାରତ ପାଇଁ ନଥିଲା । ଅନ୍ୟପଟେ ଫରହାନ କହିଥିଲେ ଗନ୍ ସେଲିବ୍ରେସନ ରାଜନୀତିରୁ ପ୍ରେରିତ ନଥିଲା । ଫରହାନ କହିଥିଲେ ଯେ ତାଙ୍କର ରାଜନୀତିକ ସନ୍ଦେଶ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା ।