ଇସଲାମାବାଦ: ପାକିସ୍ତାନର ସରକାରୀ ଏୟାର ଲାଇନ୍ ପିଆଇଏ ବିକ୍ରି ହୋଇଛି । ଆରିଫ୍ ହବିବ ଗ୍ରୁପ୍ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ (PIA)କୁ ୪୩୨୦ କୋଟି ଟଙ୍କା କ୍ରୟ କରିଛି । ପାକିସ୍ତାନ ସରକାର ଏୟାର ଲାଇନ୍ ଲାଗି ୩୨୦୦ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ । କିନ୍ତୁ ଏହାଠୁ ଅଧିକ ୧୩୨୦ କୋଟି ଟଙ୍କା ମିଳିଛି । ନିଲାମୀ ସମୟରେ ଆରିଫ ହବିବ ଗ୍ରୁପ ଏବଂ ଲକି ସିମେଣ୍ଟ ଗ୍ରୁପ୍ ମଧ୍ୟରେ ଟକ୍କର ହୋଇଥିଲା । ଲକି ସିମେଣ୍ଟ ଗ୍ରୁପ୍ ୪୨୮୮ କୋଟି ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇଥିଲା ।

ଏୟାର ଲାଇନକୁ କ୍ରୟ କରିବା ଲାଗି ୩ ଜଣ ଦାବିଦାର ଥିଲେ । ଏଥିରେ ଲକି ସିମେଟ୍ ଗ୍ରୁପ୍, ଆରିଫ ହବିବ କର୍ପୋରେସନ୍ ଏବଂ ପ୍ରାଇଭେଟ୍ ଏୟାର ଲାଇନ୍ ଏୟାର ବ୍ଲୁ ସାମିଲ ଥିଲେ । ପ୍ରଥମେ ୩ କମ୍ପାନି ବନ୍ଦ ଲଫାପାରେ ନିଜ ନିଜର ନିଲାମୀ ରାଶି ସଂପର୍କରେ ସୂଚନା ଦେଇଥିଲେ । ଆରିଫ ହବିବ ଗ୍ରୁପ୍ ୩୬୮୦ କୋଟି ଟଙ୍କା, ଲକି ସିମେଣ୍ଟ ୩୨୪୮ କୋଟି ଏବଂ ଏୟାର ବ୍ଲୁ ୮୪୮ କୋଟି ଟଙ୍କା ଉଲ୍ଲେଖ କରିଥିଲେ । ଏହା ପରେ ଏୟାର ବ୍ଲୁ ବିଡିଂ ପ୍ରକ୍ରିୟାରୁ ବାଦ ପଡ଼ିଥିଲା ।

ଆର୍ଥିକ ସଂକଟରେ ପିଆଇଏର ୭୫ ପ୍ରତିଶତ ଅଂଶଧନ ବିକ୍ରି କରିବା ଲାଗି ସରକାର ଚିନ୍ତା କରିଥିଲେ । ଆଜିର ଏହି ନିଲାମୀ ଟିଭି ଚ୍ୟାନେଲ୍ରେ ଲାଇଭ ଷ୍ଟ୍ରିମିଂ ହୋଇଥିଲା । ସେପଟେ ଡେଡଲାଇନର ୨ ଦିନ ପୂର୍ବରୁ ସେନା ସହ ଜଡ଼ିତ ଏକ ସାର କମ୍ପାନି ନିଲାମୀରୁ ଓହରି ଯାଇଥିଲା । ପରେ ଏହି ରେସ କେବଳ ୩ଟି କମ୍ପାନି ସାମିଲ ହୋଇଥିଲେ ।

ବିମାନ କମ୍ପାନୀ ବିକ୍ରୟ ପଛରେ ସବୁଠାରୁ ବଡ଼ କାରଣ ହେଉଛି IMF ନୀତି। ପାକିସ୍ତାନକୁ IMF ଠାରୁ ୭ ବିଲିୟନ ଡଲାର ଋଣ ଆବଶ୍ୟକ। ଏଥିପାଇଁ ଆଇଏମଏଫ ଚାହୁଁଛି ଯେ, ପାକିସ୍ତାନରେ କ୍ଷତିରେ ଚାଲୁଥିବା ସରକାରୀ କମ୍ପାନୀଗୁଡ଼ିକୁ ଘରୋଇକରଣ କରାଯାଉ। ଏହି ସର୍ତ୍ତ ଅନୁଯାୟୀ, ପାକିସ୍ତାନ ପିଆଇଏ ସମେତ ଏହାର ୨୪ଟି ସରକାରୀ କମ୍ପାନୀକୁ ଘରୋଇକରଣ କରୁଛି ।