ନୂଆଦିଲ୍ଲୀ: ତୁଚ୍ଛ ମାନସିକତା ଓ ହାସ୍ୟାସ୍ପଦ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସବୁବେଳେ ଅପାମାନିତ ହୋଇ ଆସିଥିବା ପାକିସ୍ତାନ ପୁଣି ଥରେ ନିଜର ପ୍ରକୃତ ପରିଚୟ ଦେଇଛି। ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ବିଶ୍ୱ ନେତାଙ୍କ ଫଟୋକୁ ଅପ୍ଲୋଡ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଫଟୋକୁ କ୍ରପ୍ କରି ଅପଲୋଡ୍ କରାଯାଇଛି। ତାହା ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରେ। ଏକଥା ଯେତିକି ତୁଚ୍ଛ ମନେ ହେଉଛି ସେତିକି ହାସ୍ୟାସ୍ପଦ ବି ଲାଗୁଛି।

ବର୍ତ୍ତମାନ ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀକୁ ନେଇ ପାକିସ୍ତାନର ଏହି ସୋସିଆଲ ମିଡିଆ ପୋଷ୍ଟଟି ଚର୍ଚ୍ଚାରେ ରହିଛି। ମଙ୍ଗଳବାର ବିଶ୍‌କେକ୍‌ରେ ଅନୁଷ୍ଠିତ ଏସଇଓ ଶିଖର ସମ୍ମିଳନୀରେ ୧୦ ସଦସ୍ୟ ଦେଶର ନେତାମାନେ ଏକାଠି ହୋଇ ଗ୍ରୁପ ଫଟୋ ଉଠାଇଥିଲେ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO) ପକ୍ଷରୁ ଏହି ଫଟୋକୁ କ୍ରପ୍ କରି ଏଡିଟ୍ କରି ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି।

ପାକିସ୍ତାନ PMO ପୋଷ୍ଟ କରିଥିବା ଫଟୋରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଇରାନ୍ର ରାଷ୍ଟ୍ରପତି ମସୌଦ ପେଜେଶକିଆନ୍ ଓ ଅନ୍ୟ କିଛି ନେତାଙ୍କୁ ଫ୍ରେମ୍ରୁ ବାଦ୍ ଦିଆଯାଇଥିବା କୁହାଯାଉଛି। କ୍ରପ୍ ହୋଇଥିବା ଫଟୋରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଝିରେ ଥିବା ଭଳି ଦେଖାଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଆସିବା ପରେ ଶେହବାଜ ଶରିଫ୍ ନିଜ ବ୍ୟକ୍ତିଗତ X ଆକାଉଣ୍ଟରେ ପରେ ସମ୍ପୂର୍ଣ୍ଣ ଗ୍ରୁପ୍ ଫଟୋ ପୋଷ୍ଟ କରିଥିବା ଜଣାପଡ଼ିଛି।

ପକେଇଲା ଛେପ ଢୋକିବାର ଅଭ୍ୟାସ ଛାଡ଼ୁନି ପାକିସ୍ତାନ

ପାକିସ୍ତାନ ପିଏମ୍ଓର ଫଟୋକୁ ନେଇ ଭାରତୀୟ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ୟୁଜର୍ ସମ୍ପୂର୍ଣ୍ଣ ଗ୍ରୁପ୍ ଫଟୋ ପୋଷ୍ଟ କରି କ୍ରପ୍ ହୋଇଥିବା ଫଟୋର ଜବାବ ଦେଇଛନ୍ତି। ଏପରିକି କେତେକ ୟୁଜର୍ ଶେହବାଜ ଶରିଫ୍‌ଙ୍କ ହାତରେ ‘ଭିକ୍ଷା ପାତ୍ର’ ଥିବା ଭଳି ଫଟୋ ଏଡିଟ୍ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ପାକିସ୍ତାନର ଆର୍ଥିକ ସହାୟତା ଅନ୍ୱେଷଣକୁ ନେଇ ପୂର୍ବରୁ ଶରିଫ୍‌ଙ୍କ ଏକ ମନ୍ତବ୍ୟକୁ ଆଧାର କରି ଏହି ବ୍ୟଙ୍ଗ କରାଯାଇଥିଲା।

ଜଣେ ୟୁଜର୍ ଲେଖିଥିଲେ ଯେ, ପାକିସ୍ତାନ PMO ମୋଦୀଙ୍କୁ ଫଟୋରୁ କାଟିଦେଇଥିବା ବେଳେ ମୋଦୀ ସମ୍ପୂର୍ଣ୍ଣ ଫଟୋ ସେୟାର କରିଛନ୍ତି। ଅନ୍ୟ ଜଣେ ସାମ୍ବାଦିକ ଏହାକୁ ‘ଖରାପ କ୍ରପ୍ ଜବ୍’ ବୋଲି କଟାକ୍ଷ କରିଥିଲେ। ଅନ୍ୟପକ୍ଷରେ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ସମସ୍ତ SCO ନେତାଙ୍କ ସହ ଶେହବାଜ ଶରିଫ୍ ମଧ୍ୟ ଦେଖାଯାଉଥିଲେ।

ଶେହବାଜଙ୍କ ପୁଟିନଙ୍କ ସହ ଆଲୋଚନା

SCO ସମ୍ମିଳନୀରେ ଶେହବାଜ ଶରିଫଙ୍କ ଅନ୍ୟ ଏକ ଦୃଶ୍ୟ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଗ୍ରୁପ ଫଟୋ ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଞ୍ଚରୁ ଚାଲିଯାଉଥିବା ବେଳେ ଶରିଫ୍ ତାଙ୍କ ହାତ ଧରି ଅଟକାଇ ଆଲୋଚନା କରୁଥିବା ଦେଖାଯାଇଥିଲା। ଏପଟେ SCO ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ପୁଟିନଙ୍କ ସହ ହଟ୍ ଆଲୋଚନା କରୁଥିବା ଦେଖାଯାଇଥିଲା। ତିନି ନେତା ପରସ୍ପରଙ୍କ ସହ ହାତ ମିଳାଇ କିଛି ସମୟ ଆଲୋଚନା କରିଥିଲେ।

ଆତଙ୍କବାଦ ପ୍ରସଙ୍ଗରେ ମୋଦୀଙ୍କ କଡ଼ା ବାର୍ତ୍ତା

SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ ଆତଙ୍କବାଦ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲେ। ଯଦିଓ ସେ ପାକିସ୍ତାନର ନାମ ସିଧାସଳଖ ନେଇନଥିଲେ, ଆତଙ୍କବାଦ ବିରୋଧରେ ‘ଡବଲ୍ ଷ୍ଟାଣ୍ଡାର୍ଡ’ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଥିଲେ।

ଆତଙ୍କବାଦର ଅର୍ଥଯୋଗାଣ ସମେତ ଏହାର ସମ୍ପୂର୍ଣ୍ଣ ଇକୋସିଷ୍ଟମ୍କୁ ଧ୍ୱଂସ କରିବା ଆବଶ୍ୟକ ବୋଲି ମୋଦୀ କହିଥିଲେ। ଯେଉଁ ଦେଶ ନିଜ ନୀତିର ଏକ ଉପକରଣ ଭାବେ ଆତଙ୍କବାଦକୁ ବ୍ୟବହାର କରନ୍ତି ଏବଂ ଆତଙ୍କବାଦୀଙ୍କୁ ସମର୍ଥନ ଦିଅନ୍ତି, ସେମାନଙ୍କୁ ଦୃଢ଼ ବାର୍ତ୍ତା ଦିଆଯିବା ଆବଶ୍ୟକ ବୋଲି ସେ ଜୋର ଦେଇଥିଲେ।

ପହଲଗାମ୍ ଆକ୍ରମଣ ଏବଂ ଏହା ପରବର୍ତ୍ତୀ ତିନି ଦିନିଆ ସଂଘର୍ଷ ପରେ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତ ରହିଛି। ସୀମାପାର ଆତଙ୍କବାଦ ବିରୋଧରେ ପାକିସ୍ତାନ ଦୃଢ଼ ପଦକ୍ଷେପ ନନେବା ପର୍ଯ୍ୟନ୍ତ ଭାରତ ସିନ୍ଧୁ ଜଳ ଚୁକ୍ତି (IWT) ସ୍ଥଗିତ ରଖିଥିବା ମଧ୍ୟ ଏହି ପରିପ୍ରେକ୍ଷିତରେ ଉଲ୍ଲେଖନୀୟ।