ନୂଆଦିଲ୍ଲୀ, ୦୮/୦୫: ଆଇଏସଆଇ ଟାର୍ଗେଟ୍ ରେ ଦିଲ୍ଲୀ । ଦିଲ୍ଲୀ ଏବଂ ସୋନିପତର କିଛି ପ୍ରସିଦ୍ଧ ସ୍ଥାନରେ ଆକ୍ରମଣ ପାଇଁ ଷଡଯନ୍ତ୍ର । ୯ ଜଣ ଆତଙ୍କବାଦୀ ଗିରଫ ହେଲା ପରେ ସାମ୍ନାକୁ ଆସିଛି ସତ । ଯାହା ପଛରେ ପାକିସ୍ତାନର ହାତ ଥିବା ନେଇ ମଧ୍ୟ ପ୍ରମାଣ ମିଳୁଛି ।

ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ ପାକିସ୍ତାନ ସମର୍ଥିତ ଶେହଜାଦ ଭଟ୍ଟି ସଙ୍ଗଠନର ଆତଙ୍କବାଦୀଙ୍କୁ ଜେରା କରିବା ପରେ ଅନେକ କିଛି ସୂଚନା ପାଇଛି । ଯାହା ପୋଲିସକୁ ଚକିତ କରିଛି । ସେମାନଙ୍କ ଟାର୍ଗେଟରେ ଦିଲ୍ଲୀର ଏକ ପ୍ରସିଦ୍ଧ ମନ୍ଦିର ଏବଂ ହରିୟାଣାର କିଛି ସୈନ୍ୟ କ୍ୟାମ୍ପ୍ ରହିଥିଲା ।

ଦିଲ୍ଲୀ ପୋଲିସ ଗୁରୁବାର ଆତଙ୍କବାଦୀ ସଙ୍ଗଠନର ୯ ସଦସ୍ୟଙ୍କୁ ବିପୁଳ ଗୁଳିଗୋଳା ସହ ଗିରଫ କରିଥିଲା । ସେମାନଙ୍କୁ ଜେରା ଚାଲିଛି । ଜେରାରେ ଜଣା ପଡିଛି ଯେ, ମନ୍ଦିର ସେମାନଙ୍କ ମୁଖ୍ୟ ଟାର୍ଗେଟ୍ ଥିଲା । ସେମାନଙ୍କ ଫୋନରୁ ମନ୍ଦିର ପରିସରର ଫଟୋ ମିଳିଛି । ଯାହା ସେମାନେ ପାକିସ୍ତାନରେ ବସିଥିବା କିଛି ବ୍ୟକ୍ତିଙ୍କୁ ପଠାଇଛନ୍ତି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଇଶାରାରେ ଏମାନେ କାମ କରୁଥିଲେ । ବିଭିନ୍ନ ସ୍ଥାନରେ ଗୁଳିବର୍ଷା କରି ଆତଙ୍କ ଖେଳାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା ।

ତଦନ୍ତରେ ଆହୁରି ଜଣା ପଡିଛି ଯେ, ଦିଲ୍ଲୀ-ସୋନିପଥ ଜାତୀୟ ରାଜପଥରେ ଥିବା ଏକ ପ୍ରସିଦ୍ଧ ଢାବା ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା । ଏହି ଢାବାରେ ପ୍ରତିଦିନ ହଜାର ହଜରା ଲୋକ ଆସିଥାନ୍ତି । ଏଠାରେ ଆତଙ୍କବାଦୀ ଗ୍ରେନେଡ୍ ମାଡ କରିବାକୁ ଯୋଜନା କରୁଥିଲେ ।

ଏହା ବ୍ୟତୀତ ହରିୟାଣାର ହିସାରରେ ଥିବା ଏକ ସୈନ୍ୟ କ୍ୟାମ୍ପ ସେମାନଙ୍କ ରାଡାରରେ ରହିଥିଲା । ଅଭିଯୁକ୍ତମାନେ ସୈନ୍ୟ କ୍ୟାମ୍ପର ତଥ୍ୟ ହାସଲ କରିବାରେ ସଫଳ ହୋଇଥିଲେ । କ୍ୟାମ୍ପର ଭିଡିଓ ଉତ୍ତୋଳନ କରିଥିଲେ । ଏହାସହ ୟୁପିର କିଛି ପୋଲିସ ଷ୍ଟେସନରେ ସେମାନେ ବିସ୍ଫୋରଣ ଯୋଜନା କରିଥିବା ଜଣା ପଡିଛି ।