ଇସଲାମାବାଦ୍ : ପାକିସ୍ତାନ ନିଜର ଆର୍ଥିକ ସଙ୍କଟ, IMF ଋଣ ଏବଂ ସରକାରୀ ଖର୍ଚ୍ଚ କମାଇବା ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି। ଏଭଳି ସ୍ଥିତିରେ ଦେଶର ଶୀର୍ଷ ସାମ୍ବିଧାନିକ ଓ ସରକାରୀ ପଦବୀରେ ମିଳୁଥିବା ଦରମାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାକିସ୍ତାନରେ ସବୁଠାରୁ ଅଧିକ ଦରମା କିଏ ପାଉଛନ୍ତି ? ଅନେକେ ଭାବିପାରନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ସେନା ମୁଖ୍ୟ ହିଁ ଏହି ତାଲିକାର ଶୀର୍ଷରେ ଥିବେ। କିନ୍ତୁ ସରକାରୀ ଦରମା ତଥ୍ୟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ତଥ୍ୟ ଅନୁସାରେ, ପାକିସ୍ତାନର କିଛି ବରିଷ୍ଠ ସରକାରୀ ଅଧିକାରୀଙ୍କ ଦରମା ସେନା ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଦରମାଠାରୁ ଅଧିକ ।

ପାକିସ୍ତାନରେ ଅଧିକାଂଶ ଲୋକ ଭାବନ୍ତି ଯେ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ସବୁଠାରୁ ଅଧିକ ଦରମା ପାଆନ୍ତି। କିନ୍ତୁ ରିପୋର୍ଟ ଅନୁସାରେ, ପାକିସ୍ତାନର ବର୍ତ୍ତମାନ ମହାଲେଖା ପରୀକ୍ଷକ ମକବୁଲ୍ ଅହମଦ ଗୋଣ୍ଡଲଙ୍କ ବାର୍ଷିକ ଦରମା ପ୍ରାୟ ୯୭ ଲକ୍ଷ ୬୮ ହଜାର ୨୪୦ପାକିସ୍ତାନୀ ଟଙ୍କା। ଅର୍ଥାତ୍ ସେ ପ୍ରତିମାସ ପ୍ରାୟ ୮.୧୪ ଲକ୍ଷ ପାକିସ୍ତାନୀ ଟଙ୍କା ପାଆନ୍ତି। ଏଥିରେ ମୂଳ ଦରମା ପ୍ରାୟ ୭.୭୨ ଲକ୍ଷ ଟଙ୍କା, ଯେଉଁଥିରେ ଅନ୍ୟାନ୍ୟ ଭତ୍ତା ଅଲଗା ରହିଛି। ଏହି ଦରମା ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ ଆସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫଙ୍କ ଦରମାଠାରୁ ମଧ୍ୟ ଅଧିକ ବୋଲି ରିପୋର୍ଟରେ ଦାବି କରାଯାଇଛି।

ତେବେ ପାକିସ୍ତାନର ରାଷ୍ଟ୍ରପତି ପଦବୀର ନିର୍ଦ୍ଧାରିତ ଦରମା ଏହାଠାରୁ ଅଧିକ ରହିଛି। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ଦେଶର ଖରାପ ଆର୍ଥିକ ସ୍ଥିତିକୁ ଦେଖାଇ ନିଜ ଦରମା ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସାମ୍ନାକୁ ଆସିଥିବା ଅଧିକାରିକ ଦରମା ରେକର୍ଡ ଅନୁସାରେ, ପାକିସ୍ତାନର ମହାଲେଖା ପରୀକ୍ଷକଙ୍କ ମାସିକ ମୂଳ ଦରମା ୭ ଲକ୍ଷ ୭୨ ହଜାର ୭୮୦ ପାକିସ୍ତାନୀ ଟଙ୍କା ରହିଛି । ବିଭିନ୍ନ ଭତ୍ତାକୁ ମିଶାଇଲେ ଏହି ରାଶି ପ୍ରାୟ ଲକ୍ଷ ୧୪ ହଜାର ୨୦ ଟଙ୍କା ପ୍ରତିମାସ ପହଞ୍ଚିଛି । ବାର୍ଷିକ ହିସାବରେ ଏହି ଦରମା ପ୍ରାୟ ୯୭ ଲକ୍ଷ ୬୮ ହଜାର ୨୪୦ ପାକିସ୍ତାନୀ ଟଙ୍କା ହେଉଛି। ବର୍ତ୍ତମାନ ଏହି ପଦରେ ମକବୁଲ୍ ଅହମଦ ଗୋଣ୍ଡଲ କାର୍ଯ୍ୟରତ ଅଛନ୍ତି। ପାକିସ୍ତାନ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟର ସାମ୍ନା କରୁଛି। ଏଭଳି ସମୟରେ ସରକାରୀ ଅଧିକାରୀଙ୍କ ଦରମାକୁ ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।