ନୂଆଦିଲ୍ଲୀ: ପହଲଗାମ୍ ନରସଂହାରକୁ ନେଇ ଦେଶ ସ୍ତବ୍ଧ। ଭୁଲି ହେଉନି ସେହି ଆତଙ୍କୀଙ୍କ ବର୍ବରତା। କିଏ ସ୍ୱାମୀକୁ ହରାଇଛି ତ ଆଉ କିଏ ପୁଅକୁ ହରାଇଛି। ନିରବ ହୋଇଯାଇଛି ସାରା ଦେଶ, କାନ୍ଦୁଛି କୋଟି କୋଟି ଭାରତୀୟଙ୍କ ହୃଦୟ। ଏଭଳି ସ୍ଥିତିରେ ପାକିସ୍ତାନର ବୟାନ ନିଲର୍ଜତାର ଚରମସୀମାରେ ପହଞ୍ଚିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏବଂ ଉପପ୍ରଧାନମନ୍ତ୍ରୀ ଇସାକ ଦାର ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ସହ ତୁଳନା କରିଛନ୍ତି। ପହଲଗାମ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଡାର ସ୍ୱାଧୀନତା ସଂଗ୍ରାମୀ ବୋଲି କହିଛନ୍ତି। ଇଶାକ ଦାର କହିଛନ୍ତି ଯେ ପହଲଗାମରେ ଆକ୍ରମଣ କରିଥିବା ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମୀ କୁହାଯାଇପାରେ।
ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିକୁ ନେଇ ଏବେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଆତଙ୍କବାଦୀମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିବା ଅତ୍ୟନ୍ତ ଦୁଃଖଦାୟକ।
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତି ବିଷୟରେ ଡାର କହିଛନ୍ତି ଯେ ଏହା ୨୪୦ ନିୟୁତ ପାକିସ୍ତାନୀଙ୍କ ପାଇଁ ଏକ ଜୀବନରେଖା। ଯଦି ଭାରତ ପାଣି ବନ୍ଦ କରେ, ତେବେ ଏହାକୁ ଯୁଦ୍ଧ କାର୍ଯ୍ୟ ବୋଲି ବିବେଚନା କରାଯିବ। ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ଯେକୌଣସି ବିପଦର ସମସ୍ତ ଅଞ୍ଚଳରେ କଡ଼ା ଜବାବ ଦିଆଯିବ।
ସେପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି ଯେ ଭାରତ ପାକିସ୍ତାନ ପାର ହୋଇ ଆକ୍ରମଣ ଯୋଜନା କରୁଛି। ଯଦି ଭାରତ ଆମ ନାଗରିକଙ୍କୁ କ୍ଷତି ପହଞ୍ଚାଏ, ତେବେ ଭାରତୀୟ ନାଗରିକମାନେ ମଧ୍ୟ ସୁରକ୍ଷିତ ରହିବେ ନାହିଁ। ଏହା ଟିଟ୍ ଫର୍ ଟାଟ୍ ହେବ।
ପହଲଗାମ ଆକ୍ରମଣର ଗୋଟିଏ ଦିନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ କରିବା ଏବଂ ଓ୍ୱାଘା-ଅଟାରୀ ସୀମାକୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସାର୍କ ଭିସା ଛାଡ଼ ଯୋଜନା (SVES) ଅଧୀନରେ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଥିଲା।
ଜମ୍ମୁ ଏବଂ କାଶ୍ମୀରର ପହଲଗାମ୍ ସହର ନିକଟରେ 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ଏକ ପର୍ଯ୍ୟଟନ ସ୍ଥଳରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ଏହା ଉପତ୍ୟକାର ସବୁଠାରୁ ଭୟଙ୍କର ଆକ୍ରମଣ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୬ ଜଣ ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ଏବଂ ଦୁଇଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି।