ନୂଆଦିଲ୍ଲୀ: ସର୍ଜିକାଲ୍ ଷ୍ଟ୍ରାଇକ୍ ନୁହେଁ କି ଏୟାର ଷ୍ଟ୍ରାଇକ୍ ନୁହେଁ । ପହଲଗାମ ରକ୍ତପାତର ପ୍ରତିଶୋଧ ଓ୍ବାଟର ଷ୍ଟ୍ରାଇକରେ ନେବ ଭାରତ । ଏଥର ପାନେ ପାଇବ ପଡ଼ୋଶୀ ଦେଶ । ଜଳ ବନ୍ଦ ଯୋଗୁ ଶୋଷ ମରିବ ପାକିସ୍ତାନ । ଜମ୍ମ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର । ଭାରତ ସରକାର ସିନ୍ଧୁ ନଦୀ ଜଳସନ୍ଧିକୁ ରଦ୍ଦ କରି ଦେଇଛନ୍ତି । ଭାରତ ପଟୁ ପାକିସ୍ତାନକୁ ଯାଇଥିବା ସିନ୍ଧୁ, ଝେଲମ, ଚେନାବ, ବ୍ୟାସ୍, ରାବି, ସତଲେଜ୍ ନଦୀର ଜଳଧାରାକୁ ଅଟକାଇଦିଆଯାଇଛି ।
ଭାରତରୁ ପାକିସ୍ତାନ ଭିତରେ ଥିବା ୪ଟି ବନ୍ଧ ଏବଂ ଏହାକୁ ସଂଯୋଗ କରୁଥିବା କେନାଲ ମାଧ୍ୟମରେ ସିନ୍ଧୁ ନଦୀକୁ ପାଣି ପହଞ୍ଚାଉଥିବା ୪ଟି ସୁଇସ୍ ଗେଟକୁ ବନ୍ଦ କରିଦିଆଯାଇଛି । ୬ଟି ନଦୀର ପାଣିକୁ ଭାରତ ସମ୍ପୂର୍ଣ୍ଣ ଅଟକାଇଲେ, ପାକିସ୍ତାନର କୃଷି ପ୍ରଭାବିତ ହେବ । ବିଶେଷ କରି ସିନ୍ଧ୍ ଓ ପଞ୍ଜାବ ପ୍ରାନ୍ତରେ କୃଷି ସମସ୍ୟା ଦେଖାଯିବ । ପାକିସ୍ତାନ ମୋଟ୍ ଜିଡିପିର ୨୧ ପ୍ରତିଶତ ଭାଗ କୃଷିରୁ ଆସୁଛି । ସେହିପରି ଚାଷରୁ ୪୫ ପ୍ରତିଶତ ପାକିସ୍ତାନୀଙ୍କୁ ରୋଜଗାର ମିଳୁଛି । ପାଣି ବନ୍ଦ ହେଲେ ବେରୋଜଗାର ବଢ଼ିବ । ଜଳ ବିଦ୍ୟୁତ୍ ଉତ୍ପାଦନ କମିଲେ ପାଓ୍ବାର-କଟ୍ ସମସ୍ୟା ବଢ଼ିବ ।
ସିନ୍ଧୁ, ଝେଲମ୍, ଚେନାବ, ରାବି, ବ୍ୟାସ୍ ଓ ସତଲେଜ୍ ନଦୀର ପାଣି ପାକିସ୍ତାନର କେଉଁ କେଉଁ ସହରକୁ ପ୍ରଭାବିତ କରିବ:
ସିନ୍ଧୁ: ସିନ୍ଧୁ ନଦୀ ପାଣି ବନ୍ଦ ହେଲେ ପାକିସ୍ତାନର କରାଚୀ, ଅଟକ, ଗିଲଗିଟ୍, ଥଟ୍ଟା, ପେଶାଓ୍ବାର, ଜମଶୋରୋ, ରାଓ୍ବଲପିଣ୍ଡି, କୋଟ୍ ମଥନ ଆଦି ଅଞ୍ଚଳ ଜଳ ସମସ୍ୟା ଦେଖାଯିବ । ବିଶେଷ କରି ଚାଷୀ ପ୍ରଭାବିତ ହେବ ।
ଝେଲମ: ଝେଲମ ନଦୀ ପାକିସ୍ତାନର ମୁଜାଫରାବାଦ, ନ୍ୟୁ ମିରପୁର ସିଟି, ଝାଙ୍ଗ ଆଦି ଅଞ୍ଚଳରେ ପ୍ରବାହିତ ହେଉଛି । ଭାରତ ସରକାର ସିନ୍ଧୁ ନଦୀ ଜଳ ସନ୍ଧି ବନ୍ଦ କରିବା ଦ୍ବାରା ଏହି ସବୁ ସ୍ଥାନରେ ଲୋକେ ଶୋଷିଲା ମରିବେ ବୋଲି କୁହାଯାଉଛି ।
ରାବି ନଦୀ: ରାବି ନଦୀ ବିଶେଷ କରି ପାକିସ୍ତାନର ଏକ ବଡ଼ ସହରକୁ ପାଣି ଯୋଗାଉଛି । ରାବି ନଦୀର ଜଳ ଲାହୋର, ପଠାନକୋଟ୍ ଓ କମାଲିୟାକୁ ଯାଉଛି । ପାଣି ବନ୍ଦ ହେଲେ ବିଶେଷ ଭାବେ ଲୋହର ଭଳି ବଡ଼ ସହରରେ ଜଳ ସମସ୍ୟା ଦେଖାଯିବ ।
ସତଲେଜ୍: ସତଲେଜ ନଦୀ ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଓ ବହାବଲପୁର ଦେଇ ପ୍ରବାହିତ ହେଉଛି ।
ଚେନାବ: ଚେନାବ ନଦୀ ଦ୍ବାରା ପାକିସ୍ତାନର ସିୟାଲକୋଟ, କୋଟ ମିଥନ ଅଞ୍ଚଳ ଲୋକଙ୍କ ଶୋଷ ମେଣ୍ଟୁଛି । ଭାରତ ସରକାର ଏହି ସବୁ ନଦୀର ପାଣି ବନ୍ଦ କଲେ କିମ୍ବା କୌଣସି ମାଧ୍ୟମରେ ପାଣିକୁ ବ୍ୟବହାର ଉପଯୋଗୀ କରିଦିଆଗଲେ, ପାକିସ୍ତାନ ଶୋଷରେ ମରିବ । ଏହି ଓ୍ବାଟର ଷ୍ଟ୍ରାଇକ୍ ଦ୍ବାରା ପଡୋଶୀ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ ।
କୃଷି ପ୍ରଭାବିତ ହେବ: ସିନ୍ଧୁ ନଦୀ ଜଳ ରଦ୍ଦ ହେବା ଦ୍ବାରା ପାକିସ୍ତାନର ପଞ୍ଜାବରେ ଗହମ, ଧାନ ଓ ଆଖୁ ଉତ୍ପାଦନ ବିଶେଷ ଭାବେ ପ୍ରଭାବିତ ହେବ । ଫଳରେ ବେରୋଜଗାର ବଢ଼ିବ, ଭୋକିଲା ରହିବେ ଲୋକେ ।
ଜଳସ୍ତର ହ୍ରାସ ପାଇବ: ପାକିସ୍ତାନରେ ସିନ୍ଧୁ ନଦୀ ସିଷ୍ଟମରେ ପାଣିର ପ୍ରବାହ କମିଲେ, ଭୂତଳଜଳ କମିବ । ଫଳରେ ବୋରଓ୍ବେଲ୍ ମାଧ୍ୟମରେ ହେଉଥିବା ଜଳସେଚନରେ ସମସ୍ୟା ଦେଖାଯିବ ।
ଆର୍ଥିକ୍ ଓ ସାମାଜିକ ସଂକଟ: ପାକିସ୍ତାନରେ କୃଷି କ୍ଷେତ୍ର ପ୍ରଭାବିତ ହେବା ମାତ୍ରେ, ଅର୍ଥନୀତି ଭୁଶୁଡ଼ି ପଡ଼ିବ । ଗ୍ରାମୀଣ ରୋଜଗାର ଏବଂ ସାମାଜିକ ଅଶାନ୍ତି ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।