ଆତଙ୍କବାଦକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲଜ୍ଜାଜନକ ସ୍ୱୀକାରୋକ୍ତି, ଜାଣନ୍ତୁ ସ୍କାଏ ନ୍ୟୁଜ୍ ସାକ୍ଷାତକାରରେ କହିଲେ କ’ଣ?

Published By : Prameya-News7 Bureau | April 25, 2025 IST

ନୂଆଦିଲ୍ଲୀ ୨୫।୪: ପହଲଗାମ ଆତଙ୍କୀ ଗୁଳିକାଣ୍ଡ ପରେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ଏକ ଆଶ୍ଚର୍ଯ୍ୟ ଜନକ ସ୍ୱୀକାରୋକ୍ତି କରିଛନ୍ତି। ବ୍ରିଟେନର ସ୍କାଏ ନ୍ୟୁଜ ସହିତ ସାକ୍ଷାତକାରରେ ଖ୍ୱାଜା ଆସିଫ ମାନିଛନ୍ତି ଯେ ଆତଙ୍କବାଦକୁ ସମର୍ଥନ କରିବା ଓ ଟେରର ଫଣ୍ଡିଂରେ ପାକିସ୍ତାନର ଦୀର୍ଘ ଇତିହାସ ରହିଛି। ସ୍କାଏ ନ୍ୟୁଜ ସହ ଆଲୋଚନାରେ ସେ କହିଛନ୍ତି ଯେ ଆମେ ୩୦ ବର୍ଷ ହେଲା ଆମେରିକା ଲାଗି ଏହି କୁକୃତ୍ୟ କରିଆସୁଛୁ। 

ଭାରତ ସହିତ ଅଲଆଉଟ୍ ୱାରର କଥା କହୁଥିବା ଖ୍ୱାଜା ଆସିଫ କହିଛନ୍ତି ଯେ ପାକିସ୍ତାନରେ ଲସ୍କର-ଏ-ତୌୟବା (ଏଲଇଟି) ସମାପ୍ତ ହୋଇସାରିଛି। ସେ ସ୍ୱୀକାର କରିଛନ୍ତି ଯେ ଅତୀତରେ ପାକିସ୍ତାନ ସହିତ ଏଲଇଟିର କିଛି ଲିଙ୍କ୍ ମିଳିଥିଲା। ହେଲେ ଏବେ ଏହି ଆତଙ୍କବାଦ ସଙ୍ଗଠନ ସମାପ୍ତ ହୋଇସାରିଛି। ସେ କହିଛନ୍ତି ଯେ ପାକିସ୍ତାନ ସହିତ ଲସ୍କରର ଲିଂକ ମିଳିବାର ଅର୍ଥ ଏହା ନୁହେଁ ଯେ ଆମେ ତାକୁ ସହଯୋଗ କରୁଛୁ। 

ଯେତେବେଳେ ଖ୍ୱାଜା ଆସିଫଙ୍କୁ ଲସ୍କରରୁ ବାହାରିଥିବା ଏକ ଆତଙ୍କବାଦ ସଙ୍ଗଠନ ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟି କରିଛି ବୋଲି ପଚରା ଗଲା ଏଥିରେ ସେ କହିଛନ୍ତି ଯେ ଯେତେବେଳେ ମୂଳ ସଙ୍ଗଠନ ହିଁ ଆଉ ନାହିଁ ଏଥିରେ ଅଫସଟ୍ ସଙ୍ଗଠନ କଥା ଉଠୁଛି କେଉଁଠୁ? ଉଲ୍ଲେଖଯୋଗ୍ୟ ଯେ ଲସ୍କରରୁ ବାହାରିଥିବା ଦି ରେଜିଷ୍ଟାନ୍ସ ଫୋର୍ସ(ଟିଆରଏଫ) ପହଲଗାମ ଗୁଳିକାଣ୍ଡ ପାଇଁ ନିଜକୁ ଦାୟି କରିଛି। ଏହି ଗୁଳିକାଣ୍ଡରେ ୨୬ ଜଣ ନିରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। 

ସ୍କାଏ ନ୍ୟୁଜ୍ ସହ ଆଲୋଚନାରେ ଯେବେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ପଚରାଗଲା ଯେ ଆପଣ ମାନୁଛନ୍ତି ପାକିସ୍ତାନର ସେହି ଆତଙ୍କବାଦୀ ସଙ୍ଗଠନଙ୍କ ପ୍ରତି ସମର୍ଥନ, ପ୍ରଶିକ୍ଷଣ ଓ ଆର୍ଥିକ ସହଯୋଗର ଦୀର୍ଘ ଇତିହାସ ରହିଛି? ଏଥିରେ ଖ୍ୱାଜା ଆସିଫ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ଦେଇଆସୁଛି। ସେ କହିଛନ୍ତି ଯେ ଆମେ ଗତ ୩ ଦଶନ୍ଧୀ ହେଲା ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଏପରିକି ବ୍ରିଟେନ ପାଇଁ ଏହି କୁକୃତ୍ୟ କରି ଆସୁଛୁ। ସେ କହିଛନ୍ତି ଯେ ଏହା ଆମର ଭୁଲ ଥିଲା, ଏଥି ପାଇଁ ଆମର ବହୁତ କ୍ଷତି ହୋଇଛି। 

ପାକିସ୍ତାନ ରକ୍ଷାମନ୍ତ୍ରୀ ନିଜ ଦେଶର ଏହି ଭୁଲକୁ ଉଚିତ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ସୋଭିଏତ ୟୁନିୟନ ବିରୋଧରେ ଆଫଗାନିସ୍ତାନକୁ ସହଯୋଗ କରି ନଥାନ୍ତୁ କି ୯/୧୧ ରେ ଆମେର ସଂଲିପ୍ତତା ନଥାନ୍ତା ତେବେ ପାକିସ୍ତାନ ଉପରକୁ ଏବେ କେହି ଅଙ୍ଗୁଳି ଉଠାଇ ପାରୁନଥାନ୍ତେ। ତେବେ ଖ୍ୱାଜା ଆସିଫ ପହଲଗାମ କାଣ୍ଡକୁ ଭାରତର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମ ଏଜେନ୍ସୀମାନେ ଭାବୁଛନ୍ତି ଯେ ଏହି କାମ ଭାରତ ନିଜେ ହିଁ କରିଛି। 

ଯେତେବେଳେ ଖ୍ୱାଜା ଆସିଫଙ୍କୁ ପଚରାଗଲା ଆତଙ୍କବାଦକୁ ସମର୍ଥନ ଦେବାରେ ପାକିସ୍ତାନର ଦୀର୍ଘ ଇତିହାସ ରହିଛି  ଏହାର ଜବାବରେ ସେ ବିଶ୍ୱର ବଡ଼ ଦେଶମାନଙ୍କ ଉପରେ ଦୋଷ ଲଦିଥିଲେ। ସେ କହିଛନ୍ତି ଯେ ଏଠାରେ ଯାହା ବି ହେଉଛି ବଡ଼ ଦେଶ ପାକିସ୍ତାନକୁ ଦୋଷୀ କରିବା ସହଜ। ଯେତେବେଳେ ୮୦ ଦଶକରେ ଆମେ ସେମାନଙ୍କ ପାଇଁ ସୋଭିଏତ ସଂଘ ବିରୋଧରେ ଲଢୁଥିଲୁ ଆଜିର ନେତାମାନେ ସେତେବେଳେ ୱାସିଂଟନର ଆତିଥ୍ୟରେ ଆପ୍ୟାୟିତ ହେଉଥିଲେ। 

ସେ କହିଛନ୍ତି ଏହା ପରେ ୯/୧୧ ଆକ୍ରମଣ ହେଲା ପୁଣି ଥରେ ସେହି କଥା ହେଲା। ସେତେବେଳେ ଆମ ସରକାର ପୁଣି ବଡ଼ ଭୁଲ କଲେ ସେତେବେଳେ ଏହି ଆତଙ୍କବାଦୀଙ୍କୁ ଆମେରିକା ପ୍ରକ୍ସି ରୂପେ ବ୍ୟବହାର କରିଥିଲା। ସେତେବେଳେ ଆମେରିକା ସେମାନଙ୍କୁ ଖେଳର ଗୋଟି ଭଳି ବ୍ୟବହାର କରିଥିଲା। ଏମାନେ ସବୁ ଗୋଟିଏ ସଙ୍ଗଠନର ହିଁ ଲୋକେ ଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.