News7 Logo

Asia Cup: ଟସ୍ ପକାଇବା ବେଳେ ଭାରତୀୟ କ୍ୟାପ୍ଟେନ ହାତ ନ ମିଳାଇବାରୁ ଚିଡିଗଲା ପାକିସ୍ତାନ, ମ୍ୟାଚ୍ ରେଫରୀଙ୍କ ଉପରେ ଉଠାଇଲା ପ୍ରଶ୍ନ

NEWS7
gfx

ନୂଆଦିଲ୍ଲୀ ୧୫।୯: କୂଲଦୀପ ଯାଦବଙ୍କ ଦକ୍ଷତା ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନର ପାକିସ୍ତାନ ବ୍ୟାଟସ୍ ମ୍ୟାନଙ୍କ ନିକଟରେ କୌଣସି ଜବାବ ନଥିଲା। ଭାରତ ଏସିୟା କପ୍ ମୁକାବିଲାରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଗୋଟିଏ ପଟେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରି ମ୍ୟାଚ୍ ଜିତିଥିବା ବେଳେ ଅନ୍ୟପଟେ ଟସ୍ ପଡିବା ବେଳେ ଭାରତୀୟ କ୍ୟାପ୍ଟେନ ପାକିସ୍ତାନୀ କ୍ୟାପ୍ଟେନଙ୍କ ସହ କର ମର୍ଦ୍ଦନ କରିନଥିଲେ। ଏହା ଛଡା ମ୍ୟାଚ୍ ସମାପ୍ତ ହେବା ପରେ କୌଣସି ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଏପରିକି ଭାରତ ନିଜ ଡ୍ରେସିଂ ରୁମର ଦ୍ୱାର ମଧ୍ୟ ଭିତର ପଟୁ ବନ୍ଦ କରିଦେଇଥିଲା। ଭାରତର ଏପରି ମନବୃତ୍ତିକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି।

ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାରୁ ବର୍ତ୍ତିବା ଲାଗି ଟିମ୍ ଇଣ୍ଡିଆର ନିଷ୍ପତ୍ତି ଫ୍ୟାନସଙ୍କ ଲାଗି ଯଦିଓ ନୂଆ କଥା ତେବେ ଏ ନେଇ ମ୍ୟାଚ୍ ରେଫ୍ରି ଓ ପାଇକ୍ରାଫ୍ଟଙ୍କୁ ପୂର୍ବରୁ ଏ ନେଇ ସୂଚନା ଦେଇ ଦିଆଯାଇଥିଲା। ପାକିସ୍ତାନୀ ଟିମ୍‌ ଭାରତୀୟ ଟିମ୍ ସହିତ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଡ୍ରେସିଂ ରୁମ ପର୍ଯ୍ୟନ୍ତ ଯାଇଥିଲା, ତେବେ ସେମାନଙ୍କ ମୁହଁ ଉପରେ ଡ୍ରେସିଂ ରୁମ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା। ଏବେ ଜଣାପଡିଛି ମ୍ୟାଚ୍ ରେଫରୀ ପାକିସ୍ତାନୀ ଖେଳାଳିମାନଙ୍କୁ ଭାରତୀୟ ଟିମ୍ ର ଉଦ୍ଦେଶ୍ୟ ସମ୍ପର୍କରେ ପୂର୍ବରୁ ସୂଚିତ କରିଦେଇଥିଲେ ଓ ସଲମାନ ଅଲୀ ଆଗାଙ୍କୁ ସୂର୍ଯ୍ୟକୁମାର ଅଥବା ଅନ୍ୟ ଭାରତୀୟ ଖେଳାଳିଙ୍କ ସହିତ ହାତ ନ ମିଳାଇବାକୁ ପରାମର୍ଶ ଦିଆଯାଇଥିଲା।

ପାକିସ୍ତାନୀ ଖେଳାଳିଙ୍କ ସହିତ କୌଣସି ପ୍ରକାରର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ଅଣଦେଖା କରିବା ପାଇଁ ଭାରତୀୟ ଟିମ୍ ର ଏହି ନିଷ୍ପତ୍ତି ଏବେ ସାରା ବିଶ୍ୱର କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।  ଅପରେସନ ସିନ୍ଦୂରରେ ଶହିଦ ହୋଇଥିବା ସୈନିକ ଓ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ସମ୍ମାନରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇବା ଟାଳି ଯାଇଥିଲା। ଏଣୁ ସଲମାନ ଓ ତାଙ୍କ ଟିମ୍‌ ନିରାଶ ହୋଇଛନ୍ତି।

ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ପିସିବି ଏକ ବୟାନରେ କହିଛି ଯେ ଟସ୍ ପଡିବା କାଳରେ ସୂର୍ଯ୍ୟକୁମାର ପାକିସ୍ତାନୀ କ୍ୟାପ୍ଟେନ ସଲମାନଙ୍କ ସହ ହାତ ମିଳାଇ ନଥିଲେ। ଭାରତର ଏହି ନିଷ୍ପତ୍ତି ‘ଖେଳ ଭାବନାର ବିପରୀତ’ ଓ ପିସିବି ଏହାକୁ ଅଧିକାରୀକ ଭାବେ ବିରୋଧ କରିବ । ପିସିବି ଏକ ବୟାନରେ ଏହି ନିଷ୍ପତ୍ତି ପୁଷ୍ଟି କରିଛି। ଏଥିରେ କୁହାଯାଇଛି ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ଏହି ବ୍ୟବହାରକୁ ଖେଳ ଭାବନାର ବିରୁଧ ବୋଲି କହି ନିଜ ବିରୋଧ ରୁଜୁ କରିଛି।

ପିସିବି କହିଛି ଯେ ମ୍ୟାଚ୍ ପରେ ପୁରସ୍କାର ସମାରୋହକୁ କ୍ୟାପ୍ଟେନ ସଲମାନ ନ ଆସିବା ଭାରତୀୟ ଟିମ୍ ବିରୁଦ୍ଧରେ  ପାକିସ୍ତାନ ବିରୋଧର ଏକ ସଂକେତ ଥିଲା। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ପରେ ଅପରେସନ ସିନ୍ଦୂର ଆରମ୍ଭଠାରୁ ଏ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍ ହୋଇନଥିଲା। ଏସିୟା କପରେ ପ୍ରଥମ ଥର ଭାରତ ଓ ପାକ୍ ଟିମ୍‌ ମୁହାଁମୁହିଁ ହୋଇଥିବା ବେଳେ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।