News7 Logo

ରାଜନୈତିକ ଉଦ୍ଦେଶ୍ୟରୁ ପ୍ରେରିତ, ଟଙ୍କା ନେଇ କ୍ୟାମ୍ପେନ କରାଯାଉଛି; E20 ଉପରେ ନିତିନ ଗଡ଼କରୀଙ୍କ ବଡ଼ ବୟାନ

NEWS7
nitin gadkari

ନୂଆଦିଲ୍ଲୀ: ଇଥାନଲ୍ ମିଶ୍ରିତ ପେଟ୍ରୋଲକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ଦାବି କରାଯାଉଛି । କିଛି ୟୁଜର କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । ଏହାରି ଭିତରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କାରୀ ଗୁରୁବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ E20 ଇନ୍ଧନ ବିରୁଦ୍ଧରେ ଅଭିଯାନ ରାଜନୈତିକ ଉଦ୍ଦେଶ୍ୟରୁ ପ୍ରେରିତ ଓ ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ବ୍ୟକ୍ତିଗତ ଭାବେ ତାଙ୍କୁ ଟାର୍ଗେଟ୍ କରିବା ପାଇଁ ଏପରି କରାଯାଉଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଅଟୋମୋବାଇଲ୍ ନିର୍ମାତା, SIAM ଏବଂ ସୁପ୍ରିମକୋର୍ଟ ଇଥାନଲ୍ ମିଶ୍ରିତ ଇନ୍ଧନ ବ୍ୟବହାର ଉପରେ ସନ୍ଦେହ ଦୂର କରିସାରିଛନ୍ତି ।

 SIAM ବାର୍ଷିକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ E20 ଇନ୍ଧନର ଉପଯୋଗୀତା ଉପରେ କହିଛନ୍ତି । ସେ କହିଛନ୍ତି, ଏହା ସ୍ୱଦେଶୀ, ମୂଲ୍ୟକୁ ସ୍ଥିର ରଖିବାରେ ଓ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରେ । ୨୨ ଲକ୍ଷ କୋଟି ଟଙ୍କାର ଜୀବାଶ୍ମ ଇନ୍ଧନ ଆମଦାନୀ କରାଯାଏ । ଭାରତରେ ଇନ୍ଧନ ଉତ୍ପାଦନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି ।

ନିତିନ ଗଡ଼କାରୀ କହିଛନ୍ତି, ମକାରୁ ଇଥାନଲ୍ ଉତ୍ପାଦନ ଦ୍ୱାରା ଚାଷୀଙ୍କୁ ୪୫ ହଜାର କୋଟି ଟଙ୍କା ଲାଭ ହୋଇଛି । ପ୍ରତି କ୍ୱିଣ୍ଟାଲ ପିଛା ମକା ମୂଲ୍ୟ ୧୨୦୦ ଟଙ୍କାରୁ ୨୮୦୦ ଟଙ୍କା ହୋଇଛି । ଚଳିତ ବର୍ଷ ଉତ୍ତର ପ୍ରଦେଶ ଓ ବିହାରରେ ତିନି ଗୁଣ ଅଧିକ ମକା ଉତ୍ପାଦନ ହୋଇଛି । ଭାରତରେ ଚାଉଳ ଓ ଗହମ ମଧ୍ୟ ବଳକା ରହିଛି । ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଆପଣଙ୍କ ଉଦ୍ୟୋଗ ଯେପରି କାମ କରେ, ରାଜନୀତି ମଧ୍ୟ ସେହିପରି କାମ କରେ । ସୋସିଆଲ ମିଡିଆ ଅଭିଯାନ ପାଇଁ ଟଙ୍କା ଦିଆଯାଇଥିଲା । ଏହା ମୋତେ ରାଜନୈତିକ ଭାବରେ ଟାର୍ଗେଟ କରିବା ପାଇଁ ଥିଲା । ଏଥିରେ କୌଣସି ସତ୍ୟତା ନାହିଁ । ସବୁକିଛି ସ୍ପଷ୍ଟ । ଏହାର ଆମଦାନୀ ବିକଳ୍ପ, କମ ଖର୍ଚ୍ଚ, ପ୍ରଦୂଷଣମୁକ୍ତ ଏବଂ ସ୍ୱଦେଶୀ।'