ନୂଆଦିଲ୍ଲୀ: ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ପାଇଁ ରାଜଧାନୀର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ପ୍ରସ୍ତୁତ ହୋଇସାରିଛି। ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ବିଦେଶୀ ପ୍ରତିନିଧି, ଅତିଥି ରାଷ୍ଟ୍ରର ପ୍ରତିନିଧି ଏବଂ ଅନ୍ତର୍ଜାତୀୟ ସଂସ୍ଥାର ଶୀର୍ଷ ଅଧିକାରୀଙ୍କ ପାଇଁ ୩,୦୦୦ରୁ ଅଧିକ ରୁମ୍ ବୁକ୍ କରାଯାଇଛି। ଏହି ସମ୍ମିଳନୀ ହେତୁ ସହରର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୂଟନୈତିକ କେନ୍ଦ୍ରସ୍ଥଳୀରେ ପରିଣତ ହୋଇଛି।

କେଉଁ ହୋଟେଲରେ କେଉଁ ଅତିଥି ରହିବେ ?

ଦି ଓବେରୟ (The Oberoi): ବ୍ରାଜିଲ୍, କାଜାକସ୍ତାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧିମଣ୍ଡଳୀ ସେଠାରେ ରହିବେ।

ଦି ଲଳିତ (The LaLiT): ଦକ୍ଷିଣ ଆଫ୍ରିକା ଏବଂ ବୁରୁଣ୍ଡିର ପ୍ରତିନିଧିମାନଙ୍କ ପାଇଁ ଏହି ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି।

ଲେ ମେରିଡିୟନ୍ (Le Méridien): ଜାତିସଂଘର ମହାସଚିବ, ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ମୁଖ୍ୟ, ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କର ସଭାପତିଙ୍କ ସମେତ ଉଗାଣ୍ଡା, ନାଇଜେରିଆ ଓ ମଲେସିଆର ପ୍ରତିନିଧିମାନେ ସେଠାରେ ରହିବେ।

ତାଜ ମହଲ ହୋଟେଲ: ଉରୁଗୁଏ, ଫିଲିପାଇନ୍ସ, କ୍ୟୁବା, ବେଲାରୁଷ ଓ ଭିଏତନାମର ପ୍ରତିନିଧିଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । 

ସାଙ୍ଗ୍ରି-ଲା ଏରୋସ୍ : ପଶ୍ଚିମ ଏସିଆର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ସେଠାରେ ରଖାଯାଇଛି।

ଆକାଶଛୁଆଁ ହୋଟେଲ ଭାଡ଼ା

ବିଦେଶୀ ଅତିଥିଙ୍କ ପ୍ରବଳ ଭିଡ଼ ଯୋଗୁଁ ରାଜଧାନୀରେ ହୋଟେଲ ରୁମ୍‌ର ଅଭାବ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ରୁମ୍ ଭଡ଼ା ଉପରେ ପଡ଼ିଥିବା ବେଳେ କେତେକ ପ୍ରମୁଖ ଫାଇଭ-ଷ୍ଟାର୍ ହୋଟେଲର ରୁମ୍ ଭଡ଼ା ରାତିକ ପାଇଁ ୨ ଲକ୍ଷ ଟଙ୍କା ଟପିଯାଇଛି।