• ୧୦ ମାସରେ ଏପରି ଅନେକ ନିଷ୍ପତ୍ତି ହୋଇଛି ଯେଉଁଥିରେ ଇସି ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ରାଜି ନଥିଲେ
  • ପ୍ରଶ୍ନ ଉଠୁଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ କ’ଣ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସ୍ତରରେ ନିଆଯାଉଥିଲା
  • ୪ଟି ଏପରି ପ୍ରସଙ୍ଗରେ ଥିଲା ଯାହାର ସିଧା ସମ୍ପର୍କ ନିର୍ବାଚନୀ ପ୍ରକ୍ରିୟା ସହ ଥିଲା

ନୂଆଦିଲ୍ଲୀ: ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ନିର୍ବାଚନ ଆୟୋଗରେ ଥିଲା କି ମତପାର୍ଥକ୍ୟ? ଦେଶରେ ଏହି ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ ଟିମ୍ ଭାଗଭାଗ ଥିଲେ କି? ଏହି ସବୁ ପ୍ରଶ୍ନ ଏବେ ଦେଶର ରାଜନୀତିରେ ନୂଆ ବିବାଦ ଛିଡା କରିଛି। ଏହାର କାରଣ ହେଉଛି ଏକ ଇଂରାଜୀ ଖବର କାଗଜର ରିପୋର୍ଟ, ଯେଉଁଥିରେ ଦାବି କରାଯାଇଛି ନିର୍ବାଚନ ଆୟୋଗ ଗତ ୧୦ ମାସରେ ଏପରି ଅନେକ ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ ନିର୍ବାଚନ କମିଶନର (ଇସି) ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ରାଜି ନଥିଲେ। ରିପୋର୍ଟ ଅନୁସାରେ ଉଭୟ ନିର୍ବାଚନ କମିଶନର ଏସଆଇଆର ସମ୍ପର୍କିତ କେତେକ ପରିବର୍ତ୍ତନ ଉପରେ ମଧ୍ୟ ଆପତ୍ତି କରିଥିଲେ।

ଯଦିଓ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ୨ ନିର୍ବାଚନ କମିଶନର (ଇସି)ଙ୍କ ମିଳିତ ସଂସ୍ଥା ଅଟେ, ଦାବି କରାଯାଉଛି ସେମାନେ ଗତ ୧୦ ମାସରେ ଅନୁନ୍ୟ ୧୪ ଥର ଅସହମତି ପ୍ରକାଶ କରିଥିଲେ, ହେଲେ କୌଣସିଥିରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏଥିରେ ୨ ନିର୍ବାଚନ କମିଶନରଙ୍କ ଆପତ୍ତି ଅଣଦେଖା କରାଯାଇଥିବା ଅଭିଯୋଗ ଯଦି ସତ୍ୟ, ତେବେ ପ୍ରଶ୍ନ ଉଠୁଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ କ’ଣ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସ୍ତରରେ ନିଆଯାଉଥିଲା?

ରିପୋର୍ଟରୁ ହଟଚମଟ
ରିପୋର୍ଟ ଅନୁସାରେ ୨ ଇସିଙ୍କ ୧୪ ଆପତ୍ତି ମଧ୍ୟରୁ ୪ଟି ଏପରି ପ୍ରସଙ୍ଗରେ ଥିଲା ଯାହାର ସିଧା ସମ୍ପର୍କ ନିର୍ବାଚନୀ ପ୍ରକ୍ରିୟା ସହ ଥିଲା। ଏଥିରେ ନୂଆ ଭୋଟରଙ୍କୁ ଯୋଡାଯିବା ନିୟମର କଥିତ ଅଣଦେଖା, ଭୋଟର ଲିଷ୍ଟ ଉପରେ କେନ୍ଦ୍ରିୟକୃତ ନିୟନ୍ତ୍ରଣ, ପଶ୍ଚିମବଙ୍ଗରେ ପାଖାପାଖି ୩୪ ଲକ୍ଷ ଭୋଟରଙ୍କ ନାମ ସୂଚୀରେ ରଖିବା ବିରୋଧରେ ଦାୟର ଅପିଲ ଓ ଗୋଆରେ ୯୭ ଯୋଗ୍ୟ ଭୋଟରଙ୍କ ନାମ ଦ୍ୱିତୀୟବାର ଭୋଟର ଲିଷ୍ଟରେ ଯୋଡା ନଯିବାର ମାମଲା ଆଦି ଥିଲା। ଯଦି ରିପୋର୍ଟରେ କରାଯାଇଥିବା ଦାବି ସଠିକ ତେବେ ଦେଶର ନିର୍ବାଚନ ପ୍ରକ୍ରିୟା ଜଣେ ଲୋକ ହାତରେ କେନ୍ଦ୍ରୀତ ହୋଇଥିବା ନେଇ ବିରୋଧୀ ଉଠାଉଥିବା ପ୍ରଶ୍ନ ମଧ୍ୟ ଠିକ୍।

ଅଭିଯୋଗକୁ ଖାରଜ କରିଛନ୍ତି ନିର୍ବାଚନ ଆୟୋଗ
ତେବେ ନିର୍ବାଚନ ଆୟୋଗ ଏହି ସବୁ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। କହିଛନ୍ତି କୌଣସି ସଂସ୍ଥାରେ ପୃଥକ ପୃଥକ ରାୟ ଓ ପରାମର୍ଶ ଦେବା ଏକ ସାଧାରଣ ପ୍ରକ୍ରିୟା। ଆୟୋଗ କହିଛନ୍ତି ଯେ ଏହାକୁ ମତପାର୍ଥକ୍ୟ ଭାବେ ଦେଖାଯିବା ଉଚିତ ନୁହେଁ। ଏହା ସତ୍ତ୍ୱେ ଏବେ ପ୍ରଶ୍ନ ଉଠୁଛି ଯଦି ଆପତ୍ତି ରୁଜ ହୋଇଥିଲା, ତେବେ ତା ଉପରେ କଣ ବିଚାର କରାଯାଇଥିଲା ଓ ଚୂଡ଼ାନ୍ତ ନିଷ୍ପତ୍ତି କେଉଁ ଆଧାରରେ ନିଆଯାଇଥିଲା? ଏହି ପ୍ରସଙ୍ଗ କେବଳ ନିର୍ବାଚନୀ ପ୍ରକ୍ରିୟା ମଧ୍ୟରେ ସୀମିତ ନାହିଁ ବରଂ ଗଣତାନ୍ତ୍ରିକ ସଂସ୍ଥାର କାର୍ଯ୍ୟପ୍ରଣାଳୀ ସହ ସମ୍ପର୍କିତ।

ଆକ୍ରମକ ହେଲେ ବିରୋଧୀ
ଏସଆଇଆର ପ୍ରକ୍ରିୟାକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ଭିଡିଓ ସେୟାର କରି ସିଇସି ଜ୍ଞାନେଶ କୁମାରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯାହା ବି କିଛି କରାଯାଉଛି ତାହା ଭୁଲ ଓ ଦେଶ ହୀତ ପରିପନ୍ଥୀ। ରାହୁଲ ଗାନ୍ଧି କହିଛନ୍ତି ଯେ ‘ଭୋଟ ଚୋରି ଭାରତୀୟ ଲୋକଙ୍କ ବିରୋଧରେ ଏକ କ୍ରାଇମ, ଆମ ସମ୍ବିଧାନ ଉପରେ ସିଧା ଆକ୍ରମଣ। ଏହାକୁ ସଫଳ କରିଥିବା ବିଜେପି, ଆରଏସଏସ ଓ ନିର୍ବାଚନ ଆୟୋଗ ଦେଶ ଦ୍ରୋହ କାମ କରିଛନ୍ତି, ନ୍ୟାୟ ନିଶ୍ଚିତ ମିଳିବ’।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କଲେ କପିଲ ଶିବଲ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱାଧୀନ ରାଜ୍ୟସଭା ସାଂସଦ କପିଲ ଶିବଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସଂଜ୍ଞାନ ନେବା ଦରକାର ଓ ପୁରା ପ୍ରକରଣର ଯାଞ୍ଚ ହେବା ଦରକାର ବୋଲି କହିଛନ୍ତି। ଏଥିରେ ବିଜେପି ସିଇସିଙ୍କ ସପକ୍ଷରେ ବାହାରି କହିଛି ଯେକୌଣସି ଗଣତାନ୍ତ୍ରିକ ସଂସ୍ଥାରେ ବିଚାରରେ ମତପାର୍ଥକ୍ୟ ରହିବା ସ୍ୱଭାବିକ ଓ ଏହାକୁ ସଂକଟ ରୂପେ ଦେଖାଯିବା ଉଚିତ ନୁହେଁ। ଏଥିରେ ବିଜେପି କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି କହିଛି ଯେ ନିର୍ବାଚନରେ ଅନିୟମିତତା ଓ ସଂସ୍ଥାଙ୍କ ଦୂରୁପଯୋଗ ଇତିହାସ କଂଗ୍ରେସ ସହ ଜଡିତ।

ଜାଣନ୍ତୁ କଣ କହିଲେ ଅଖିଳେଶ ଯାଦବ?
ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି (ସପା ) ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯଦି ଏପରି ଅଭିଯୋଗ ସତ୍ୟ ତେବେ ଏହା ଗଣତନ୍ତ୍ର ପାଇଁ ଚିନ୍ତାଜନକ। ଏଥିରୁ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠୁଛି।

ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମମତା
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସାରା ଦେଶରେ ଆନ୍ଦୋଳନ କରାଯିବ।

ଜାଣନ୍ତୁ କେଜରିୱାଲ କହିଲେ କ’ଣ?
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁରା ପ୍ରକରଣ ଉପରେ କହିଛନ୍ତି ଯେ ଗତ ୩ ବର୍ଷରେ ଭୋଟର ଲିଷ୍ଟରେ ଯାହା ବି ପରିବର୍ତ୍ତନ ହୋଇଛି ସେ ସବୁକୁ ଖାରଜ କରି ୩ ବର୍ଷ ପୂର୍ବର ଭୋଟର ଲିଷ୍ଟକୁ ପୁଣି ଲାଗୁ କରାଯାଉ।

ଉଦ୍ଧବ କହିଲେ ଗଣତନ୍ତ୍ରରେ ମନମର୍ଜି ଚଳିବନି
ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କହିଛନ୍ତି ଯେ ଗଣତନ୍ତ୍ରରେ କାହାର ମନମର୍ଜୀ ଚଳେନା ଓ ସଂସ୍ଥାଙ୍କୁ ନିରପେକ୍ଷା ହେବା ଆବଶ୍ୟକ। ଏଥିରେ କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଯେ ଏହା ଏକ ଗୁରୁତର ପ୍ରଶ୍ନ। ନିର୍ବାଚନ ଆୟୋଗରେ ନିଷ୍ପତ୍ତି ନେବାର ପ୍ରକ୍ରିୟା କିପରି କାମ କରୁଛି?

କଣ କହିଲେ ଅସଦୁଦ୍ଦିନ ଓୱେସୀ
ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦେଶରେ ଏକଦା ନିର୍ବାଚନ ଆୟୋଗଙ୍କ ଉପରେ ଲୋକଙ୍କ ଅତୁଟ ଆସ୍ଥା ଥିଲା। ହେଲେ ସମୟ ସହିତ ଲୋକଙ୍କ ଭରସା ଭାଙ୍ଗିଛି। ସେ ଏକ୍ସ ରେ ଏ ନେଇ ଏକ ପୋଷ୍ଟ କରିଥିବା ବେଳେ ପ୍ରଶ୍ନ କରିଛନ୍ତି ଯେ ଯଦି ଆୟୋଗରେ ଅଧିକାଂଶ ସଦସ୍ୟ କୌଣସି ନିଷ୍ପତ୍ତିରେ ସହମତ ନଥିଲେ ଏପରି ନିଷ୍ପତ୍ତିର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ।

ପ୍ରଶ୍ନ ଉଠାଇଛନ୍ତି ଯୋଗେନ୍ଦ୍ର ଯାଦବ
ଏହି ପୁରା ପ୍ରକରଣରେ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ‘ଆଜିର ଖବର କେବଳ ଏହା ନୁହେଁ ଯେ ନିର୍ବାଚନ କମିସନରଙ୍କ ମଧ୍ୟରେ ଏସଆଇଆରକୁ ନେଇ ଗୁରୁତର ଅସହମତି ଥିଲା, ବଡ ପ୍ରଶ୍ନ ହେଉଛି ଦୁଇ ନିର୍ବାଚନ କମିଶନର ଯଦିଏହି ନିଷ୍ପତ୍ତିକୁ ଭୁଲ ଓ ବେଆଇନ ଭାବୁଥିଲେ, ତେବେ ସେମାନେ ଏହାକୁ ରୋକିବା ପାଇଁ କରିଛନ୍ତି କ’ଣ? କେବଳ ଚୁପଚାପ ଅସହମତି ପ୍ରକାଶ କରିବା ପର୍ଯ୍ୟାପ୍ତ ଥିଲା କି ନା ଏହା ମଧ୍ୟ ଉତ୍ତରଦାୟୀ ପ୍ରଶ୍ନ?’

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ମନିଷ ସିସୋଦିଆ
ଏହି ପ୍ରସଙ୍ଗରେ ଆମ ଆଦମୀ ପାର୍ଟି ନେତା ମନିଷ ସିସୋଦିଆ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ଏନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ପ୍ରଥମେ ଜ୍ଞାନେଶ କୁମାର ‘ଇସ୍ତଫା’ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। କୌଣସି ଦେଶର ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଏହାଠୁ ବଡ଼ ଅଭିଯୋଗ ଆଉ କଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଇସିଙ୍କୁ କହିଲେ ଦେଶଦ୍ରୋହୀ କୁମାର
ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମଇତ୍ରା ଇସି ଜ୍ଞାନେଶ କୁମାରଙ୍କୁ ଦେଶଦ୍ରୋହୀ କୁମାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କର ସାହାସ କମ ନୁହେଁ। ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ଅଭିଯୋଗରେ କ୍ଷମାମାଗିବାକୁ ଓ ସତ୍ୟପାଠ ଦାଖଲ କରିବାକୁ କହିବାର ଦୁଃସାହାସ ମଧ୍ୟ କରିଥିଲେ। ଜ୍ଞାନେଶ କୁମାର ତୁମେ ‘ଚୋର’ ଏହା ଏବେ ପ୍ରମାଣିତ ହୋଇ ସାରିଲାଣି, ଏଥିରେ ତୁମେ ଦେଶକୁ କ୍ଷମା ମାଗି ‘ଇସ୍ତଫା’ କାହିଁକି ଦେଇନ? ବୋଲି ପ୍ରଶ୍ନ କରିଛନ୍ତି।