ମାଲକାନଗିରି ୧୩।୦୫ : ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଆବୁଝମାଡ଼ ଜଙ୍ଗଲରୁ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ । କୋଟିଏରୁ ଅଧିକ ଟଙ୍କା ସହ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ ।

ପୋଲିସ ସୂଚନା ଅନୁଯାୟୀ, ଆତ୍ମ ସମର୍ପଣ କରିଥିବା କିଛି ମାଓବାଦୀଙ୍କ ଠାରୁ ଗୁପ୍ତ ତଥ୍ୟ ମିଳିବା ପରେ ସୁରକ୍ଷା ବାହିନି ଆବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଟି ତଳେ ଲୁଚାଇ ରଖିଥିବା ଏକ ବଡ଼ ଡମ୍ପ୍ ଠାବ ହୋଇଥିଲା । ଏଥିରୁ ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଓବାଦୀ ମାନେ ସୁରକ୍ଷା କର୍ମୀଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ମହଜୁଦ୍ କରିଥିବା ପୋଲିସ ଅନୁମାନ କରୁଛି। ଏହି ସର୍ଚ୍ଚ ଅପରେସନ ସମୟରେ ଯବାନ ମାନେ ମାଓବାଦୀଙ୍କ ଏକ ବିଶାଳ ଡମ୍ପ୍ ଠାବ କରିଥିବା ବେଳେ ସେଠାରୁ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ସହ AK-4, SLR, INSAS, 303 ରାଇଫଲ୍ ସହ LMG, BGL, ରକେଟ୍ ଲଞ୍ଚର୍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଜବାନ ।

Also Read:-Gold Silver Import Duty Hike India: ସୁନା-ରୁପା ପ୍ରେମୀଙ୍କୁ ଶକ୍ତ ଝଟକା, ଆମଦାନୀ ଶୁଳ୍କ ୧୫%କୁ ବୃଦ୍ଧି କଲେ ସରକାର, ବଢ଼ିବ ଦର

ତେବେ ନାରାୟଣପୁର ଜିଲ୍ଲାକୁ ନକ୍ସଲ ମୁକ୍ତ କରାଯାଇଥିବା ଦାବି ହେଉଥିବା ସତ୍ତ୍ୱେ ଆବୁଝମାଡ଼ ଭଳି ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗୁପ୍ତ ଡମ୍ପ୍ ରହିଥିୁବା ନେଇ ପୋଲିସ ସତର୍କ ରହିଛି । ଆଗାମୀ ଦିନରେ ଅଧିକ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ନାରାୟଣପୁର ପୋଲିସ କହିଛି।