ନୂଆଦିଲ୍ଲୀ: ପାକିସ୍ତାନ ସୀମାପାର ଆତଙ୍କବାଦ ନୀତି ନ ଛାଡ଼ିବା ଯାଏ, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ଭାରତ ନିକଟରେ ନିଜର ସଂକଳ୍ପ ଦୋହରାଇଥିଲା । ସେତେବେଳେ ଶୁଖିଲା ମରୁଡ଼ି ଯୋଗୁଁ ପାକିସ୍ତାନର ପାଣି ପାଇଁ ଡହଳବିକଳ ହେଉଥିଲା । କିନ୍ତୁ, ମାତ୍ର ଦୁଇ-ତିନି ଦିନ ଭିତରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଭାରତକୁ ବଗଲିହାର ଡ୍ୟାମରୁ ହଠାତ୍ ପାଣି ଛାଡ଼ିବାକୁ ପଡ଼ିଛି । ଏଭଳି ପରିସ୍ଥିତିରେ ଏବେ ପାକିସ୍ତାନ ବୁଡ଼ିବାକୁ ଯାଉଛି ।

ଚିନାବ୍ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ଖୋଲିଲା ଗେଟ୍

ଜମ୍ମୁ-କାଶ୍ମୀରର ରାମବନ୍ ଜିଲ୍ଲାରେ ପ୍ରଶାସନ ସୋମବାର ବଗଲିହାର ଡ୍ୟାମର ୩ଟି ଗେଟ୍ ଖୋଲି ପାଣି ଛାଡ଼ିଛି । ଡୋଡା-କିସ୍ତୱାଡ଼ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ଫଳରେ ଚିନାବ୍ ନଦୀର ଜଳସ୍ତର ବଢ଼ିଯାଇଛି । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଚିନାବ୍ ନଦୀରେ ପାଣିର ମାତ୍ରା କମାଇବା ପାଇଁ ବଗଲିହାର ଡ୍ୟାମର ଗେଟ୍ ଖୋଲିବାକୁ ପଡ଼ିଛି । ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ରାମବନ୍ ଜିଲ୍ଲା ପ୍ରଶାସନ କହିଛି ଯେ ପାଣିପାଗ ସ୍ଥିତି ଏବଂ ଚିନାବର ପ୍ରବାହ ଉପରେ ଲଗାତାର ନଜର ରଖାଯାଇଛି ।

ମେ' ମାସରେ ବନ୍ଦ ହୋଇଥିଲା ବଗଲିହାରର ସବୁ ଗେଟ୍

ପ୍ରାୟ ଦୁଇ ମାସ ପୂର୍ବରୁ ଅର୍ଥାତ୍ ମେ ମାସ ଆରମ୍ଭରେ ଭାରତ ବଗଲିହାର ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରିଦେଇଥିଲା । ଭାରତର ଏହି ପଦକ୍ଷେପ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନୀତି ଅନୁଯାୟୀ ଥିଲା । ଚିନାବ୍ ନଦୀ ଉପରେ ନିର୍ମିତ ବଗଲିହାର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ, ଭାରତର ଅନ୍ୟତମ ପ୍ରମୁଖ ହାଇଡ୍ରୋପାୱାର ପ୍ରୋଜେକ୍ଟ । ଏହା ଜମ୍ମୁ-କାଶ୍ମୀରରେ ବିଦ୍ୟୁତ୍ ସଂଚାଳନ ଏବଂ ଜଳପ୍ରବାହ ନିୟନ୍ତ୍ରଣ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଡ୍ୟାମ୍ ଗେଟ୍ ଖୋଲିବା ଦ୍ୱାରା ପାକିସ୍ତାନର କ’ଣ ହେବ ?

ମୌସୁମୀ ଋତୁରେ ଯେତେବେଳେ ବଗଲିହାର ଡ୍ୟାମରୁ ପାଣି ଛଡ଼ାଯାଏ, ସେତେବେଳେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ପାକିସ୍ତାନର ସିଆଲକୋଟ୍ ନିକଟରେ ଥିବା 'ମରାଲା ହେଡୱର୍କସ' ଏହାଦ୍ୱାରା ସବୁଠାରୁ ପ୍ରଥମେ ପ୍ରଭାବିତ ହୋଇପାରେ ।

ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିବା ପରେ ମଧ୍ୟ ପାକିସ୍ତାନକୁ ଯେକୌଣସି ସମ୍ଭାବ୍ୟ ବିପଦ ବିଷୟରେ ଆଗୁଆ ସତର୍କ କରାଇବାର ପରମ୍ପରା ବଜାୟ ରଖିଛି । କିନ୍ତୁ ଚୁକ୍ତିରେ ବିବାଦ ଯୋଗୁଁ ପାକିସ୍ତାନକୁ 'ରିଅଲ-ଟାଇମ୍ ହାଇଡ୍ରୋଲିକ୍ ଡାଟା' ନମିଳିବାର ଯେଉଁ ସମସ୍ୟା ଭୋଗିବାକୁ ପଡ଼ିପାରେ, ତାର ଆଶଙ୍କା ରହିଛି । ଚିନାବ୍ ନଦୀର ପାଣି ପାକିସ୍ତାନର କୃଷି ଅର୍ଥନୀତି ପାଇଁ ସଞ୍ଜୀବନୀ ସଦୃଶ । କିଛି ଦିନ ପୂର୍ବରୁ ପାକିସ୍ତାନ ବଗଲିହାର ଗେଟ୍ ବନ୍ଦ ହେବା ଯୋଗୁଁ ପାଣି ବୁନ୍ଦାଏ ପାଇଁ ଛଟପଟ ହେବା ଆଶଙ୍କାରେ ଛାତି ପିଟୁଥିଲା । କିନ୍ତୁ ଏବେ ସେହି ନଦୀ ପାଣିରେ ହଠାତ୍ ବନ୍ୟା ଆସିବା ଯୋଗୁଁ ତାର ଚାଷଜମିର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ।