ନୂଆଦିଲ୍ଲୀ : ଗୁରୁବାର ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲଗାତାର ଦେଶକୁ ୧୧ ଥର ସମ୍ବୋଧିତ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଲାଲ କିଲ୍ଲା ପ୍ରାଚୀରରେ ୧୧ ଥର ପତାକା ଉତ୍ତୋଳନ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଦେଶବାସୀଙ୍କୁ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ବାରମ୍ବାର ହେଉଥିବା ନିର୍ବାଚନ ଲାଗି ବିକାଶରେ ବାଧା ସୃଷ୍ଟି ହେଉଛି। ଏ ନେଇ ରାଜନୈତିକ ଦଳମାନେ ଆଲୋଚନା କରିଛନ୍ତି। କମିଟି ମଧ୍ୟ ଭଲ ରିପୋର୍ଟ ଦେଇଛନ୍ତି। ଦେଶର ଲୋକେ, ରାଜନୈତିକ ଦଳ ଓ ସମ୍ବିଧାନକୁ ବୁଝୁଥିବା ଲୋକଙ୍କୁ ‘ୱାନ ନେସନ ୱାନ ଇଲେକ୍ସନ’ ଲାଗି ଆଗେଇ ଆସିବା ଦରକାର। ଏହା ସହିତ ପ୍ରଧାନମନ୍ତ୍ରୀ ସିକ୍ୟୁଲାର ସିଭିଲ କୋଡ ଦେଶ ଲାଗି ସମୟର ଦାବି ବୋଲି କହିଛନ୍ତି। ଏହି କୋଡ ଲାଗୁ ହେବା ପରେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅବସର ମିଳିବ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି-୨୦ ଆୟୋଜନ କରି ଭାରତ ବିଶ୍ୱକୁ ଦେଖାଇ ଦେଇଛି, ଆମେ ବି ବଡ଼ ବଡ଼ ଆୟୋଜନ କରିପାରୁ। ଏହା ପୂର୍ବରୁ ଜି-୨୦ ସମ୍ମିଳନୀ କେବେ ଏତେବଡ଼ ହୋଇନଥିଲା। ଆମେ ଏବେ ଚାହୁଁଛୁ ୨୦୩୬ ଅଲିମ୍ପିକ ଆୟୋଜନ ଭାରତରେ ହେଉ, ଏହି ଆୟୋଜନ ନିମନ୍ତେ ଆମର ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ବିକାଶ କାହାଲାଗି ଚିନ୍ତାର ବିଷୟ ନ ହେଉ। ଭାରତ ବୁଦ୍ଧଙ୍କ ଦେଶ, ଯୁଦ୍ଧ ଆମର ରାସ୍ତା ନୁହେଁ। ପୁରା ମାନବ ଜାତିର ସେବା ଲାଗି ଭାରତର ସାମର୍ଥ୍ୟ ରହିଛି।
ସେହିପରି ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାର ବିରୋଧରେ ସଚ୍ଚୋଟତାର ସହ ଲଢିବୁ ବୋଲି କହିଛନ୍ତି। ଭ୍ରଷ୍ଟାଚାରୀଙ୍କ ମନରେ ଭୟ ସଞ୍ଚାର ହେଉ। କିଛି ଲୋକେ ଖୋଲାଖୋଲି ଭ୍ରଷ୍ଟାଚାରର ମହିମା ମଣ୍ଡନ ଓ ଜୟଜୟକାର କରୁଛନ୍ତି। ଏହା ସୁସ୍ଥ ସମାଜ ନିମନ୍ତେ ଭଲ ନୁହେଁ। ଯଦି ଭ୍ରଷ୍ଟାଚାରର ମହିମା ମଣ୍ଡନ କରାଯାଏ ତେବେ ଯେଉଁମାନେ ଭ୍ରଷ୍ଟାଚାରୀ ନୁହନ୍ତି ସେମାନେ ବି ଭ୍ରଷ୍ଟାଚାର କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଭାରତ ପ୍ରତିରକ୍ଷା ଉପକରଣ ଓ କଳକବଜା ବିଦେଶରୁ ଆମଦାନୀ କରୁଥିଲା। ଆଜି ଆମେ ଡିଫେନ୍ସ ପ୍ରଡକ୍ଟ ରପ୍ତାନୀ କରୁଛେ। ଏହି କ୍ଷେତ୍ରରେ ଆମେ ଧିରେ ଧିରେ ଆଗକୁ ବଢୁଛେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱର ନିବେଶକ ଆମ ଦେଶରେ ନିବେଶ କରିବାକୁ ଚାହୁଁଛନ୍ତି। ଏଣୁ ରାଜ୍ୟ ସରକାରମାନଙ୍କୁ ନିବେଦନ ସେମାନଙ୍କ ନୀତି ସ୍ପଷ୍ଟ କରନ୍ତୁ, ଆଇନଶୃଙ୍ଖଳା ସୁଧାର କରନ୍ତୁ। ନିବେଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ରାଜ୍ୟଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ଦରକାର। ଏଣୁ ରାଜ୍ୟମାନେ ନିଜ ନୀତିରେ ସୁଧାର କରନ୍ତୁ। ନିବେଶ ନିମନ୍ତେ ଭୂମିର ଆବଶ୍ୟକତା ପଡିବ। ଏଣୁ ରାଜ୍ୟମାନେ ଲ୍ୟାଣ୍ଡ ବ୍ୟାଙ୍କ କରନ୍ତୁ। ରାଜ୍ୟମାନେ ଗୁଡଗଭର୍ଣ୍ଣାସ ଲାଗି କାମ କଲେ ନିବେଶକ ଫେରିଯିବେ ନାହିଁ।
ଭାରତର ଛାତ୍ରଙ୍କୁ ଏପରି ସବୁ ଦେଶଙ୍କୁ ମେଡିକାଲ ପଢିବାକୁ ଯିବାକୁ ପଡୁଛି, ଯାହା ସେମାନଙ୍କ ଲାଗି ସୁରକ୍ଷିତ ନୁହେଁ। ଏଣୁ ଆମେ ନିଷ୍ପତ୍ତି ନେଇଛୁ ଆଗାମୀ ୫ ବର୍ଷରେ ମେଡିକାଲ ଲାଇନରେ ୭୫ ହଜାର ନୂଆ ସିଟ୍ ସୃଷ୍ଟି କରିବା। ବିକାଶିତ ଭାରତ ସ୍ୱସ୍ଥ ଭାରତ ହେବା ମଧ୍ୟ ଆବଶ୍ୟକ। ଏଥିଲାଗି ଆମେ ଜାତୀୟ ପୋଷଣ ମିସନ ହାତକୁ ନେଇଛୁ। ଏଥି ପାଇଁ ରିସର୍ଚ୍ଚ କାର୍ଯ୍ୟ ନିମନ୍ତେ ବଜେଟ୍ ବି ବଢେଇଛୁ। ବିଶ୍ୱରେ ଅର୍ଗାନିକ ଫୁଡର ଚାହିଦା ବଢୁଛି। ଭାରତକୁ ଅର୍ଗାନିକ ଫୁଡର ହବରେ ପରିଣତ କରାଯିବ। ଆମେ ଅର୍ଗାନିକ କ୍ଷେତ୍ରରେ ବଜେଟ ବଢାଇଛୁ। ଚାଷୀଙ୍କୁ ସହଜରେ ଋଣ ଦିଆଯାଉଛି।
ମହିଳାଙ୍କ ଅଧିକାର ନେଇ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ବିରୋଧରେ ଅପରାଧର ଖୁବ୍ ଚର୍ଚ୍ଚା ହେଉଛି, ତେବେ ଅପରାଧୀଙ୍କୁ ଦଣ୍ଡ ମିଳିବାର ଚର୍ଚ୍ଚା ହେଉ ନାହିଁ। ଏହା ଉପରେ ଚର୍ଚ୍ଚା ହେବା ଦରକାର, ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହେବା ଦରକାର। ସ୍ୱୟଂ ସହାୟତା ସମୂହର ୧ କୋଟି ଭଉଣୀ ଲକ୍ଷପତି ଦିଦି ହୋଇପାରିଛନ୍ତି। ମହିଳାମାନେ ଆତ୍ମନିର୍ଭର ହେଉଛନ୍ତି। ମହିଳାଙ୍କ ଆତ୍ମନିର୍ଭରତା ନୂଆ ଆର୍ଥିକ କ୍ରାନ୍ତି।
ଭାରତର ରପ୍ତାନୀ ବଢିଛି ଏଣୁ ବୈଦେଶିକ ମୁଦ୍ରାଭଣ୍ଡାର ମଧ୍ୟ ବଢୁଛି। ବୈଦେଶିକ ମୁଦ୍ରାଭଣ୍ଡାର ଏବେ ପୂର୍ବାପେକ୍ଷା ଦୁଇଗୁଣା ହୋଇଯାଇଛି। ଦେଶରେ ପ୍ରତିବ୍ୟକ୍ତି ଆୟ ଦୁଇଗୁଣ କରିବାରେ ଆମକୁ ସଫଳତା ମିଳିଛି। ଭାରତର ଗତି ବଢିଛି ଓ ଦିଶା ମଧ୍ୟ ଠିକ୍ ଅଛି। ଭାରତର ସାମର୍ଥ୍ୟ ଅଛି ଏଣୁ ଗ୍ଲୋବାଲ ସଂସ୍ଥାମାନଙ୍କର ଭାରତ ଉପରେ ଭରସା ବଢିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଅନାବଶ୍ୟକ ଆଇନ ହଟାଇ ଦେଇଛୁ। ପ୍ରଚଳିତ ଅପରାଧିକ ଆଇନରେ ମଧ୍ୟ ସଂଶୋଧନ କରିଛୁ। ସେହିପରି ପ୍ରଧାନମନ୍ତ୍ରୀ ଜନପ୍ରତିନିଧିମାନଙ୍କୁ ଇଜ୍ ଅଫ ଡୁଇଂ ବିଜନେସ ନିମନ୍ତେ ମିସନ ମୋଡରେ କାମ କରନ୍ତୁ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ସରକାର ସମ୍ବେଦନଶୀଳ, ଚାହେ ସେ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଅଥବା ସ୍ଥାନୀୟ ପାଳିକା ଆପଣ ଆପଣଙ୍କ ସମସ୍ୟା ନେଇ କେବଳ ଚିଠିଟିଏ ଲେଖନ୍ତୁ। ଦେଶରେ ଛୋଟ ମୋଟ ୩ଲକ୍ଷ ୟୁନିଟ୍ କାମ କରୁଛନ୍ତି। ପ୍ରତ୍ୟେକ ସ୍ତରର ସରକାର ବର୍ଷରେ କେବଳ ଦୁଇଟି ସଂଶୋଧନ କରନ୍ତୁ ଓ ତାକୁ କାର୍ଯ୍ୟକାରୀ କରନ୍ତୁ ଦେଖିବେ ଆମେ ବର୍ଷରେ ୨୫-୩୦ ଲକ୍ଷ ରିଫର୍ମ କରିଛେ। ଏହା ଦ୍ୱାରା ଜନତାଙ୍କୁ ଲାଭ ହେବ। ରିଫର୍ମ ଆମ ବିକାଶ ମାର୍ଗର ବ୍ଲୁ ପ୍ରିଣ୍ଟ ହୋଇଯାଇଛି। ପ୍ରଥମେ ଦେଶର ବ୍ୟାଙ୍କ ସଂକଟ ଦେଇ ଗତି କରୁଥିଲେ। ଆଜି ବିଶ୍ୱର ସର୍ବ ବୃହତ୍ତବ୍ୟାଙ୍କ ସୂଚୀର ଭାରତୀୟ ବ୍ୟାଙ୍କ ବି ଅଛନ୍ତି।
ଦେଶର ଜନସଂଖ୍ୟା ୧୪୦ କୋଟି। ଯଦି ଏତିକି ଲୋକେ କାନ୍ଧକୁ କାନ୍ଧ ମିସାଇ ଚାଲିବା ଆରମ୍ଭ କରିବେ ଆମେ ସମୃଦ୍ଧ ଭାରତ ନିର୍ମାଣ କରିପାରିବା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବିକଶିତ ଭାରତ-୨୦୪୭’ କେବଳ ଭାଷଣର ଏକ ଶବ୍ଦ ନୁହେଁ ଏହା ପଛରେ ଆମେ କଠୋର ପରିଶ୍ରମ ମଧ୍ୟ କରୁଛୁ। ଏଥିଲାଗି ଦେଶର କୋଟି କୋଟି ଜନତାଙ୍କ ପରାମର୍ଶ ମଧ୍ୟ ନିଆଯାଉଛି। ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳ ପାଇଁ ଲୋକେ ଅମୂଲ୍ୟ ପରାମର୍ଶ ଦେଉଛନ୍ତି। ଲୋକେ ଚାହୁଁଛନ୍ତି ଦେଶ ଯେତଶୀଘ୍ର ସମ୍ଭବ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତିରେ ପରିଣତ ହେଉ। ଏଥି ପାଇଁ ଦେଶର ନାମମାତ୍ର ଚାଷୀଙ୍କୁ ମଜଭୁତ କରିବାକୁ ପଡିବ। ଦେଶକୁ ସ୍କିଲ କ୍ୟାପିଟାଲରେ ପରିଣତ କରାଯିବ।