ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଲଘୁଚାପ ସୃଷ୍ଟି ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ ଦିଆଯାଇଛି।

୧୦ରୁ ୧୨ ତାରିଖ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ। ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିଛି ସ୍ଥାନରେ ୧୦ରୁ ୨୦ ମି.ମି ଓ ଅନ୍ୟସ୍ଥାନରେ ୨୦ରୁ ୪୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତ ଓ ଉତ୍ତର ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ଗୁରୁବାର ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେଲଘୁ ଚାପ ସୃଷ୍ଟି ହୋଇଛି। ଏହା ଅବପାତ ହେବାର ସ୍ପଷ୍ଟ ସଙ୍କେତ ନାହିଁ। ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଯାଇ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇପାରେ। ୧୧ ତାରିଖରେ ଅଧିକ ବର୍ଷା ହେବ।

୧୨ ତାରିଖରେ ବର୍ଷା ଜାରି ରହିବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ପାଖ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ବଢ଼ିପାରେ। ଉତ୍ତର ଓ ଉପକୂଳ ଜିଲ୍ଲାରେ କମ୍ ସମୟରେ ଅଧିକ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଅଛି। ଛୋଟ ନଦୀ ଓ ନାଳରେ ହଠାତ୍ ପାଣି ବଢ଼ିବା ସହ କେତେକ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।

୧୧ରୁ ୧୫ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବର୍ଷା ବଢ଼ି ପାରେ। ସେପ୍ଟେମ୍ବରରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଆଗକୁ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜଳସେଚନ କମ୍ କମାଇବାକୁ ପରାମର୍ଶ ଦେଇଛନ୍ତି। ଉତ୍ତର ଓ ଉପକୂଳ ଓଡ଼ିଶାର ତଳିଆ ଜମିରେ ପାଣି ନିଷ୍କାସନ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି।