ଭୁବନେଶ୍ୱର ୨୩।୦୯ : ରାସନ କାର୍ଡରୁ କଟିଲେଣି ପ୍ରାୟ ଦଶ ଲକ୍ଷ ଭୂତ ହିତାଧିକାରୀ । ରାଜ୍ୟରେ ୯ ଲକ୍ଷ ୮୧ ହଜାର ୬୬୧ ଭୂତ ଥିଲେ। ଏମାନେ ଲୁଚି ଲୁଚି ରହି ରାସନ ଖାଇ ଯାଉଥିଲେ । ଧରା ପଡ଼ିବା ପରେ ଭୂତଙ୍କ ନାଁ କଟାଯାଇଛି । ବିଧାନସଭାରୁ ରାସନ କାର୍ଡ ବାବଦରେ ଆସିଛି ଅସଲ ସତ । ବିଧାନସଭାରେ ଖାଦ୍ୟ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାସନକାର୍ଡରୁ ବାଦ୍ ପଡିଛନ୍ତି ୯ ଲକ୍ଷ ୮୧ ହଜାର ୬୬୧ ଅଯୋଗ୍ୟ ହିତାଧିକାରୀ । ଅବଶିଷ୍ଟ ୪ ଲକ୍ଷ ୮୭ ହଜାର ୬୩୪ ଟି ଆବେଦନ ପତ୍ରର କ୍ଷେତ୍ର ଯାଞ୍ଚ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ପାଇଁ ରାଜ୍ୟ ସରକାର ଭୂତ ଏବଂ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ଏକ ବଡ଼ ଧରଣର ଅଭିଯାନ ଚଳାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚାଲିଥିବା ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ରାଜ୍ୟରୁ ଲକ୍ଷ ଲକ୍ଷ ଅଯୋଗ୍ୟ ଓ ମୃତ ହିତାଧିକାରୀଙ୍କ ନାଁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯାଉଛି । ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ଦିଆଯାଇଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି ।

ଓଡ଼ିଶାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କ କାର୍ଡ କଟାଯିବା ଏବଂ ଇ-କେୱାଇସି ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଯୋଗ୍ୟ ଲୋକଙ୍କୁ ବାଦ୍ ଦେବା ଆଳରେ ସରକାର ଅନେକ ସମୟରେ ପ୍ରକୃତ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ନାମ ମଧ୍ୟ କାଟି ଦେଉଛନ୍ତି । ଅଯୋଗ୍ୟଙ୍କୁ ଚିହ୍ନଟ କରିବା ବାହାନାରେ ସରକାର ଲକ୍ଷ ଲକ୍ଷ ପ୍ରକୃତ ଗରିବ ଲୋକଙ୍କ ରାସନ କାର୍ଡ କାଟି ଦେଉଥିବା ଅଭିଯୋଗ କରିଛି କଂଗ୍ରେସ । ବିଜେଡି କହିଛି ରାଜନୈତିକ ଶତ୍ରୁତା କିମ୍ବା ପକ୍ଷପାତିତା କାରଣରୁ ସ୍ଥାନୀୟ ସ୍ତରରେ କିଛି ଯୋଗ୍ୟ ଲୋକଙ୍କ କାର୍ଡ ବାତିଲ କରାଯାଉଛି । ସରକାର ଆସିବା ପରେ ୨୦ ଲକ୍ଷ ଭୂତ ହିତାଧିକାରୀ ରାସନ କାର୍ଡର ଲାଭ ନେଉଥିବା କହୁଥିଲେ କିନ୍ତୁ ସେ ସଂଖ୍ୟା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡ଼ି।

Also Read-Niali paneer: ମିଳିଲା ପ୍ରମାଣ, ନିଆଳି ପନିରରେ ମିଶୁଥିଲା ଡିଟରଜେଣ୍ଟ ଓ ମଇଦା

ଯୋଗାଣ ମନ୍ତ୍ରୀ ବିଧାନସଭାରେ ରାସନ କାର୍ଡ ନେଇ ତଥ୍ୟ ରଖି କହିଛନ୍ତି, ସମଗ୍ର ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୮୫ ଟି ଆବେଦନ ପତ୍ର ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୯୯ ହଜାର ୪୫୧ ଟି ଆବେଦନର କ୍ଷେତ୍ର ତଦାରଖ ଶେଷ ହୋଇପାରିଛି ।