ଭୁବନେଶ୍ଵର: ରାଜ୍ୟରେ ଲାଗିରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷ କରି ଅନେକ ସ୍ଥାନରେ ଗ୍ରାମବାସୀଙ୍କ କଚ୍ଛା ଘର ଭାଙ୍ଗିଯାଇଥିବା ବେଳେ ବର୍ଷା ଜାରି ରହିଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏହି ପରିସ୍ଥିତିରେ ପ୍ରଭାବିତଙ୍କ ପାଇଁ ବଡ଼ ଆଶ୍ୱାସନା ଦେଇଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ସରକାରୀ ଯୋଜନାରେ ତୁରନ୍ତ ନୂଆ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶୁକ୍ରବାର ସୂଚନା ଦେଇଛନ୍ତି ।

'ଅନ୍ତଦ୍ୱୟ ଗୃହ ଯୋଜନା'ରେ ମିଳିବ ଘର

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୪ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ 'ଅନ୍ତଦ୍ୱୟ ଗୃହ ଯୋଜନା' ଅଧୀନରେ ନୂତନ ଆବାସ ଯୋଗାଇ ଦିଆଯିବ । ବର୍ଷା କମିବା କ୍ଷଣି ମାତ୍ର ୫ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read: ଲଗାଣ ବର୍ଷା ଓ ବନ୍ୟା: ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଅଧିକ ପ୍ରଭାବିତ, ବ୍ୟାପକ ସ୍ଥାନାନ୍ତର

ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ

ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ୬ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯିବା ସହ ଶୁଖିଲା ରାସନ ଓ ବ୍ଲାଙ୍କେଟ୍ ବଣ୍ଟନ କରାଯାଉଛି । ତେବେ ବର୍ତ୍ତମାନ ଇନ୍ଦ୍ରାବତୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ନେଇ ଆଶ୍ୱାସନା ମିଳିଛି ।

ନବରଙ୍ଗପୁରରେ ମକା ଚାଷ ପ୍ରଭାବିତ

ନବରଙ୍ଗପୁର ଓ ଝରୀଗାଁ ଅଞ୍ଚଳରେ ଅନେକ ଗାଁ ଜଳମଗ୍ନ ହୋଇ ରହିଛି । ପ୍ରବଳ ଜଳବନ୍ଦୀ ଯୋଗୁଁ ବ୍ୟାପକ ମକା ଫସଲ ପଚି ନଷ୍ଟ ହୋଇଛି, ଯାହାର କ୍ଷୟକ୍ଷତି ମାପିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ପ୍ରାୟ ୨୦ରୁ ୨୫ଟି ସ୍ଥାନରେ ଭୂସ୍ଖଳନ ଘଟିଛି । ମାଲକାନଗିରିର ୬ଟି ମୁଖ୍ୟ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଛି, ଯଦିଓ ସାଧାରଣ ଯୋଗାଯୋଗ ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇନାହିଁ । ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ କୋରାପୁଟରେ ୨୬ ମିଲିମିଟର, ମାଲକାନଗିରିରେ ୧୮ ମିଲିମିଟର ଏବଂ ନବରଙ୍ଗପୁରରେ ୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

Also Read: ଦଲାଲ୍ ମୁକ୍ତ ହେବ ଶ୍ରୀମନ୍ଦିର ! ଟୋକନ୍ କାଟିଲେ ମିଳିବ ମହାପ୍ରସାଦ